ଫେବ୍ରୁଆରୀ ୧୫ଠୁ ସ୍ୱାଭାବିକ ହେବ ହାଇକୋର୍ଟ: ପୂର୍ବ ପରି ଚାଲିବ କୋର୍ଟ କାମ, ମାନିବାକୁ ପଡିବ ଏସଓପି

ଅଦାଲତରେ ଶୁଣାଣି ବେଳେ ଉପସ୍ଥିତ ରହିପାରିବେ ଆଇନଜୀବୀ । ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ବିଜ୍ଞପ୍ତି

181

କନକ ବ୍ୟୁରୋ: ଫେବ୍ରୁଆରୀ ୧୫ରୁ ହାଇକୋର୍ଟରେ ପୂର୍ବଭଳି ମାମଲା ଶୁଣାଣି ଆରମ୍ଭ ହେବ । କରୋନା ପାଇଁ ଶୁଣାଣିରେ ପରିବର୍ତ୍ତନ କରାଯାଇଥିବା ବେଳେ ଏବେ ପୁଣି ଥରେ ସ୍ୱାଭାବିକ ହେବ ଶୁଣାଣି । ଏନେଇ ଜାରି ହେଲା ବିଜ୍ଞପ୍ତି । ଅଦାଲତ କୋଠରୀରେ ଆଇନଜୀବୀମାନେ ବ୍ୟକ୍ତିଗତ ଭାବେ ଉପସ୍ଥିତି ରହି ମାମଲା ପରିଚାଳନା କରିପାରିବେ । ଆସନ୍ତା ୧୫ ତାରିଖରୁ ଫିଜିକାଲ ମୋଡରେ ମାମଲା ଶୁଣାଣି ଆରମ୍ଭ ହେବ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।

ହାଇକୋର୍ଟ ଓ ସବ୍ ଅର୍ଡିନେଟ କୋର୍ଟ ପାଇଁ ପ୍ରକାଶ ପାଇବାକୁ ଥିବା ଏସଓପି ଅନୁସାରେ ଫିଜିକାଲ ମୋଡରେ ମାମଲା ଶୁଣାଣି ଆରମ୍ଭ ହେବ । ପ୍ରତି ମାମଲାରେ ଫିଜିକାଲ ବା ଭର୍ଚୁଆଲ ମୋଡରେ ଉପସ୍ଥିତି ରହି ମାମଲାର ପରିଚାଳନା କରାଯିବ ସେନେଇ ସଂପୃକ୍ତ ଆଇନଜୀବୀ ହାଇକୋର୍ଟ ରେଜିଷ୍ଟ୍ରିକୁ ଆଗୁଆ ଅବଗତ କରିବେ । ଏହି ପ୍ରସଙ୍ଗରେ ସେମାନଙ୍କ ବିକଳ୍ପ ନେଇ ମାମଲା ଶୁଣାଣିର ପୂର୍ବଦିନ ଅବଗତ କରିବାକୁ ଆଇନଜୀବୀମାନଙ୍କୁ ଅନୁରୋଧ କରାଯାଇଛି ।

ଏହି ପ୍ରସଙ୍ଗ ଆଗକୁ ପରିସ୍ଥିତିରେ ହେବାକୁ ଥିବା ଉନ୍ନତି ବା ପରିବର୍ତ୍ତନ ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବାକୁ ଥିବା ସ୍ୱାସ୍ଥ୍ୟ ସଂପର୍କିତ ଆଡଭାଇଜରୀ ଉପରେ ନିର୍ଭର କରିବ । ପୂର୍ବରୁ ଫେବ୍ରୁଆରୀ ୧ ତାରିଖରୁ ହାଇକୋର୍ଟ କାର୍ଯ୍ୟାଳୟ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ ବୋଲି ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।