ଏପଟେ ଶରୀରର ବୋଝକୁ ସେପଟେ ପରିବାର ବୋଝ । ପାଠ ଛାଡି ପରିବାର ଚଳାଇବାକୁ ମୂଲ ଲାଗୁଛନ୍ତି ଦିବ୍ୟାଙ୍କ ସୁରେନ୍ଦ୍ର ।

83

କନକ ବ୍ୟୁରୋ: ଦଇବ ସିନା ତାଙ୍କୁ ଦିବ୍ୟାଙ୍ଗ କରିଦେଇଛି, ହେଲେ ଜୀବନ ଯୁଦ୍ଧରେ ସେ ଆଜି ପାଲଟିଛନ୍ତି ଜଣେ ଯୋଦ୍ଧା । କାରଣ ପ୍ରତିଦିନ ନିଜ ଜୀବନ ସହ ସେ କରୁଛନ୍ତି ଲଢେଇ, ଆଉ ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ । ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ସେ ହାତରେ କୋଡି ଧରି ମାଟି ହାଣୁଛନ୍ତି । ଏହାକୁ ଦେଖଥିଲେ ଏଥିରୁ ଅନେକ କିଛି ଶିକ୍ଷା ମିଳୁଛି । ସାଧାରଣ ଅର୍ଥରେ କହିବାକୁ ଗଲେ ଦିବ୍ୟାଙ୍ଗ ହୋଇ ମଧ୍ୟ ଏହି ଯୁବକ ଜଣକ କେବେ ହାରି ନାହାନ୍ତି କି କାହା ଆଗରେ ହାତ ପତାଇ ନାହାନ୍ତି । ପେଟ ପୋସିବା ପାଇଁ ଦିନ ରାତି କରୁଛନ୍ତି କସରତ । ଏହି ଯୁବକ ଜଣକ ହେଉଛନ୍ତି ବଲାଙ୍ଗିର କଣ୍ଟାବାଞ୍ଝି ଅନ୍ତର୍ଗତ ବାଞ୍ଜିପାଲି ଗାଁର ସୁରେନ୍ଦ୍ର ତାଣ୍ଡି ।

ସୁରେନ୍ଦ୍ର ତାଣ୍ଡିଙ୍କ ବୟସ ୨୭ ବର୍ଷ । ସେ ଜଣେ ଦିବ୍ୟାଙ୍ଗ । ଶରୀରର ୫୦ ପ୍ରତିଶତ ଦିବ୍ୟାଙ୍ଗ ଥିବା ପ୍ରମାଣ ପତ୍ର ମଧ୍ୟ ତାଙ୍କ ପାଖରେ ଅଛି । ପାଠ ପଢା ବେଳୁ ଜୀବନରେ ଅନେକ ସଂଘର୍ଷ କରିଛନ୍ତି ସୁରେନ୍ଦ୍ର । ଦିବ୍ୟାଙ୍ଗ ବୋଲି କାହାଠୁ ନିଜକୁ କମ ବୋଲି କେବେ ଭାବିନାହାନ୍ତି । ପିଲା ବେଳୁ ତାଙ୍କ ଭିତରେ ଦୃଢ ଆତ୍ମବିଶ୍ୱାସ ଭରି ରହିଥିଲା । ଧାର କରଜ କରି କଲେଜ ଯାଏଁ ପାଠ ପଢିଥିଲେ ସୁରେନ୍ଦ୍ର । ପରିବାର କହିଲେ ବାପା କାନ୍ତ ତାଣ୍ଡି, ମାଆ ବିଳାସ ତାଣ୍ଡି, ସାନ ଭାଇ ଓ ଉଭଣୀଟିଏ । ସୁରେନ୍ଦ୍ରଙ୍କୁ ଦିବ୍ୟାଙ୍ଗ ଭତ୍ତା ୭୦୦ ଓ ତାଙ୍କ ମାଙ୍କୁ ଦିବ୍ୟାଙ୍ଗ ଭତ୍ତା ୫୦୦ ଟଙ୍କା ମିଳୁଛି । ଯେଉଁଥିରେ ପୂରା ପରିବାର ଚଳିବା କଷ୍ଟକର ହୋଇପଡୁଛି ।

ଆଗକୁ ପଢିବା ପାଇଁ ଦାରିଦ୍ର୍ୟ ତାଙ୍କ ଗୋଡ ଟାଣିଦେଇଥିଲା । ଆଉ ଶେଷରେ ବାପାଙ୍କ ସହ କାନ୍ଧ ମିଶାଇବା ଆରମ୍ଭ କରିଥିଲେ । ଆଉ ଏବେ ପୂରା ପରିବାରର ବୋଝ ସମ୍ଭାଳୁଛନ୍ତି ସୁରେନ୍ଦ୍ର । ଏପଟେ ଶରୀରର ବୋଝକୁ ସେପଟେ ପରିବାର ବୋଝ । ଏହାରି ଭିତରେ ନିଜ ସ୍ୱପ୍ନକୁ ମଧ୍ୟ ଭୁଲି ନାହାନ୍ତି ସୁରେନ୍ଦ୍ର । ଏବେ ସରକାରୀ ଚାକିରିଟିଏ ପାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏହାସହ ନିଜ ସାନ ଭାଇର ପାଠପଢା ଖର୍ଚ୍ଚ ମଧ୍ୟ ଉଠାଉଛନ୍ତି ।

ଏସବୁ ଭିତରେ ଗାଁ ପିଲାଙ୍କ ଭବିଷ୍ୟତ କଥା ମଧ୍ୟ ଚିନ୍ତା କରୁଛନ୍ତି ସୁରେନ୍ଦ୍ର । ସେଥିପାଇଁ ଗାଁର ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ମାଗଣାରେ ଶିକ୍ଷା ଦେଉଛନ୍ତି । ଜଣେ ଦିବ୍ୟାଙ୍ଗ ଯୁବକଙ୍କ ଏଭଳି ନିଆରା ପ୍ରୟାସ ଆଉ ସଂଘର୍ଷ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ହେଲେ ନିଜ ସ୍ୱପ୍ନ ପୂରା କରିବାକୁ ସରକାରୀ ସହାୟତା ଅପେକ୍ଷାରେ ଅଛନ୍ତି ସୁରେନ୍ଦ୍ର ।