ଆଖିସିନା ଦେଇ ନାହାନ୍ତି ଭଗବାନ, ହେଲେ ଦେଇଛନ୍ତି ସୁନ୍ଦର କଣ୍ଠ । ବିଶ୍ୱ ଦିବ୍ୟାଙ୍ଗ ଦିବସରେ ସୁନ୍ଦର ଗୀତ ଗାଉଛନ୍ତି ଗୌରାଙ୍ଗ

129

କନକ ବ୍ୟୁରୋ: ଏତେ ସୁନ୍ଦର ଗାଉଥିବା କଣ୍ଠ, ଏତେ ସୁନ୍ଦର ବଜାଉଥିବା ହାତ ଆଉ ଏ ଭଲ ମଣିଷ ଭିତରେ ଯେ ଭଗବାନ ଗୋଟେ ଅଭାବ ରଖିଦେଇଥିବେ ତାହା ଏ ଗୀତ ଶୁଣିଲେ ଆପଣ ଜାଣି ପାରିବେନି । ଯାଦୁଗରୀ କଣ୍ଠରେ କିମିଆ କରୁଥିବା ଏ ବ୍ୟକ୍ତିଙ୍କ ସୁରିଲା ସ୍ୱର ପଛରେ ରହିଛି ଗୋଟେ ସଙ୍ଘର୍ଷମୟ କାହାଣୀ । କ୍ୟାସିଓର କି ବୋଡ ଟିପି ମଧୁର ମୁର୍ଛନା କାଢୁଥିବା ଏ ହାତ ପଛରେ ରହିଛି ଗୋଟେ ହାରି ନଥିବା ମଣିଷର ଜୀବନ ଗାଥା… ଜଣେ ଦିବ୍ୟାଙ୍ଗ କେମିତି ଜିଇଁବା ପାଇଁ ଜୁ ଗୋଟାଏ, ଅକ୍ଷମତା ସତ୍ୱେ ସମାଜରେ ଆଗକୁ ଯିବାକୁ ଆଶା ବାନେ୍ଧ ଆଉ ଯନ୍ତ୍ରଣା ସହ ଯୁଦ୍ଧ କରି କେମିତି ଜିତିବାକୁ କମର କଷେ ତାହା ଏହି ଦୁଇ ଦିବ୍ୟାଙ୍ଗକୁ ଦେଖିଲେ ଆପଣ ଜାଣିପାରିବେ…

ନାଁ- ଗୌରାଙ୍ଗ ସେଠୀ । ଘର ବାଲେଶ୍ୱର ଜିଲ୍ଲା, ସୋର ବ୍ଲକ ମାଣିପୁର ଖୁଣ୍ଟା ଗାଁର । ଗୌରାଙ୍ଗ ଜନ୍ମରୁ ଦିବ୍ୟାଙ୍ଗ । ଭଗବାନ ଜନ୍ମଦେଲା ବେଳେ ତାଙ୍କ ଆଖିରେ ଦୃଷ୍ଟିଶକ୍ତି ଦେଇ ନାହାନ୍ତି । ଯେଉଁଥିପାଇଁ ଦୁନିଆ ଦେଖିବା ଅସମ୍ଭବ, ଆଉ ବଞ୍ଚିବା ତ ଦୂରର କଥା । ବାପା ଥିବା ବେଳେ ତାଙ୍କ ଉପରେ ଭରସା କରି ଚଳିଯାଉଥିଲେ ଗୌରାଙ୍ଗ । ହେଲେ ୪ ବର୍ଷ ତଳେ ବାପା ଚାଲିଯିବା ପରେ ଏବେ ତାଙ୍କ କାନ୍ଧରେ ପରିବାରର ଭାର ।

ପରିବାର ପୋଷିବାକୁ ଏଇ ପାନ ଦୋକାନ ଉପରେ ଭରସା କରିଛନ୍ତି ଗୌରାଙ୍ଗ । ଗାଁ ଗହଳିରେ ବିସ୍କୁଟ, ଚେନାଚୁର ଦୋକାନରେ କେତେ ବା ଲାଭ ହେବ ଯେଉଁଥିରେ ଘର ଚଳେଇ ହେବ । ତଥାପି ଅକ୍ଷମତା ଭିତରେ ନିଜ ସକ୍ଷମ ଅନୁସାରେ ପାନରେ ଚୂନ ମାରିବା ବେଳେ ପାନ ଭାଙ୍ଗିବା ବେଳେ ପରିବାର ଚଳାଇବା କଥା ଭାବନ୍ତି, ନିଜ ଝିଅର ଭବିଷ୍ୟତ କଥା ଭାବନ୍ତି ଦିବ୍ୟାଙ୍ଗ ଗୌରାଙ୍ଗ । ଭଗବାନ ସିନା ଆଖି ଦୁଇଟା ଦେଇ ନାହାନ୍ତି କିନ୍ତୁ ଭଲ କଣ୍ଠ ଦେଇଛନ୍ତି । ଯେଉଁଥିପାଇଁ ସେ ବିଭିନ୍ନ ସ୍ଥାନରେ ଭଜନ ଗାଇ ଦି ପଇସା ରୋଜଗାର କରନ୍ତି । ହେଲେ କରୋନା ପାଇଁ ଏବେ କଟକଣା ଲାଗିଥିବାରୁ ସେ ବାଟ ବି ବନ୍ଦ ।

ସେହିପରି ଅନ୍ୟଜଣେ ଦିବ୍ୟାଙ୍ଗ ହେଉଛନ୍ତି ସୋର ପୌରାଞ୍ଚଳ ୧୯ ନମ୍ବର ୱାର୍ଡର ଜଗବନ୍ଧୁ ମହାଳିକ । ଜଗବନ୍ଧୁ ବି ଜନ୍ମରୁ ଦିବ୍ୟାଙ୍ଗ । ଭଗବାନ ତାଙ୍କୁ ଦୁଇ ଗୋଡ ଦେଇ ନାହାନ୍ତି । ତଥାପି ସେ ହାରି ନାହାନ୍ତି । ଜନ୍ମ ହୋଇଛନ୍ତି ଯେତେବେଳେ ବଞ୍ଚିବାକୁ ତ ପଡିବ । ତେଣୁ ସେ ଏକ ସାଇକେଲ ଓ ବାଇକ ମରାମତି ଦୋକାନ କରିଛନ୍ତି । ପରିବାର ୯ ଜଣଙ୍କ ବୋଝ ନିଜେ ବହୁଛନ୍ତି । ରାସ୍ତା କଡରେ ଥିବା ଏହି ଭଙ୍ଗା ଦୋକାନରେ ସାଇକେଲ ସଜାଡି ଯାହାକିଛି ହୁଏ ସେଥିରେ ସମସ୍ତେ ଚଳନ୍ତି । ଟଙ୍କା ରହିଲେ ତ ଘରଟେ କରିବେ ତେଣୁ ଅଭାବୀର ଏଇ ଆଜବେଷ୍ଟ ଘରେ କଟେ ସମସ୍ତଙ୍କ ଜୀବନ ।

ସେ ଗୌରାଙ୍ଗ ହୁଅନ୍ତୁ ବା ଜଗବନ୍ଧୁ । ଅବା ହୁଅନ୍ତୁ ଅନ୍ୟ ଦିବ୍ୟାଙ୍ଗମାନେ । ଯେତେବେଳେ ସାଧାରଣ ଲୋକଟିଏ ପାଇଁ ବିନା ଆଖିରେ ବଞ୍ଚିବା, ବିନା ଗୋଡରେ ଚାଲିବା, ବିନା ହାତରେ ଜିଇଁବା ମୁସକିଲ ହୋଇପଡୁଛି । ଭାବିଲେ, ସେତେବେଳେ ଜଣେ ଦିବ୍ୟାଙ୍ଗ କେମିତି ଜୀବନ ଜିଉଁଥିବ ? ସକ୍ଷମ ସମାଜରେ ଅକ୍ଷମତାର ଆଣ୍ଠୁରେ କେମିତି ଚାଲୁଥିବ ? ଆଖି ନଥାଇ ବି କେତେ କଷ୍ଟରେ ନିଜ ପରିବାର ପୋଷୁଥିବ ? ଭିକ ନମାଗି, ପର ପାଖରେ ହାତ ନପାତି ସ୍ୱାଭିମାନର ସହ ବାଧାବିଘ୍ନ ଆଡେଇ କେମିତି ବଞ୍ଚୁଥିବ ? ଏକଥା ଭାବିଲା ବେଳକୁ ଆଖି ଓଦା ହୋଇଯାଉଛି । ଆଉ ସୋରର ଗୌରାଙ୍ଗ ଓ ଜଗବନ୍ଧୁଙ୍କ ତ ଅନ୍ୟମାନଙ୍କ ପାଇଁ ପ୍ରେରଣା । ତେଣୁ ଆସନ୍ତୁ ଆଜି ବିଶ୍ୱ ଦିବ୍ୟାଙ୍ଗ ଦିବସରେ ଶପଥ ନେବା- ଦିବ୍ୟାଙ୍ଗମାନଙ୍କୁ ସାହାଯ୍ୟ କରିବା, ସମ୍ମାନ ଦେବା… ଘୃଣା ନୁହେଁ ହୃଦୟରେ ଜାଗାଟିଏ ଦେବା…