କନକ ବ୍ୟୁରୋ: ମୁଁ ପାଠ ପଢିବି, ବଡ ମଣିଷ ହେବି... ଅଭାବ, ଅନଟନ ଭିତରେ ବି ଆଗକୁ ବଢିବି... ଆସୁ ଯେତେ ଝଡ, ହଉ ଯେତେ ଯନ୍ତ୍ରଣା, ସମୟ ସହ ସାଲିସ ନକରି ସଙ୍ଘର୍ଷ କରିବି, ସଫଳ ହେବି । ହାତ ନଥାଉ, ପାଦରେ ଲେଖି ମୁଁ ପରୀକ୍ଷା ଦେବି, ମାଟ୍ରିକ ପାସ୍ କରିବି... ମୁଁ ଜିତିବି, ନିଶ୍ଚୟ ଜିତିବି...
କୁହାଯାଏ ଦୃଢ ଇଚ୍ଛା ଶକ୍ତି ଆଗରେ ଅସମ୍ଭବ ବି ସମ୍ଭବ ହୁଏ । ଆଉ ଯଦି ନିଷ୍ଠାର ସହ ଉକ୍ତ କାମକୁ କରାଯାଏ ତେବେ ସଫଳତା ତୁମ ପାଖକୁ ଦୌଡି ଦୌଡି ଆସିବ । ଏ କଥାକୁ କାମରେ କରିଦେଖାଇଛନ୍ତି ଅମ୍ବିକାପୁର ଡିଗମା ପଞ୍ଚାୟତର ଦିବ୍ୟାଙ୍ଗ ଛାତ୍ର ମହେଶ । ଦଶମ ଶ୍ରେଣୀର ଛାତ୍ର ମହେଶ ଜନ୍ମରୁ ଦିବ୍ୟାଙ୍ଗ । ତାଙ୍କର ଗୋଟିଏ ହାତ ନାହିଁ ଆଉ ଅନ୍ୟ ହାତଟି ଅଚଳ । ହେଲେ ପାଠ ପ୍ରତି ମହେଶଙ୍କ ଅହେତୁକ ରୁଚି ତାଙ୍କୁ ସବୁ କଷ୍ଟ ଭିତରେ ଆଗକୁ ଯିବାକୁ ପ୍ରେରଣା ଦେଉଛି ।
ସେପଟେ ପିଲା ବେଳୁ ବାପାଙ୍କୁ ହରାଇଛନ୍ତି ମହେଶ । ଅନେକ ଦୁଃଖ ଅଭାବ ଭିତରେ ବି କେବେ ହାରି ଯାଇ ନାହାନ୍ତି କି ନିଜ ଉପରୁ ବିଶ୍ୱାସ ହରାଇ ନାହାନ୍ତି ଦିବ୍ୟାଙ୍ଗ ଛାତ୍ର । ଗରିବର ଗଳିରୁ ୯ମ ଯାଏଁ ପାଠ ଶେଷ କରିବା ପରେ ଏବେ ସେ ମାଟ୍ରିକ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି । ହାତ ନଥିବା ସତ୍ୱେ ବି ପାଦରେ ପରୀକ୍ଷା ଦେଇ ପାସ୍ କରିବେ ବୋଲି ଦମ୍ଭର ସହ କହିଛନ୍ତି ମହେଶ ।
ପ୍ରଥମେ ପ୍ରଥମେ ଗୋଡରେ ଲେଖିବା କଷ୍ଟ ହେଉଥିଲା ମାତ୍ର ଏବେ ଅଭ୍ୟାସରେ ପରିଣତ ହୋଇଗଲାଣି । ତେବେ ଭାଗ୍ୟ, ଭଗବାନ, ସମୟ ଆଗରେ ହାର ନମାନି ମହେଶ କୁହନ୍ତି. ଭଗବାନ ସିନା ହାତ ଦେଲେନି, ହେଲେ ଗୋଡ ଦେଇଛନ୍ତି । ଯାହା ମତେ ପରୀକ୍ଷା ଦେବାରେ ସହଯୋଗ କରୁଛି । ଦିବ୍ୟାଙ୍ଗ ଛାତ୍ରଙ୍କ ଏଭଳି ନିଷ୍ଠା ଦେଖି ଯେକେହି ବି କହିବେ ଭଗବାନ ମହେଶକୁ ଶକ୍ତି ଦିଅନ୍ତୁ ଆଉ ସେ ପାଦରେ ଲେଖି ପାସ କରନ୍ତୁ ।