ମିଛ ଥିଲା ଗଣଦୁଷ୍କର୍ମ ଅଭିଯୋଗ । ଓଲଟା ଯୁବତୀଙ୍କ ନାଁରେ ରୁଜୁ ହେଲା ମାମଲା, ନିର୍ଦ୍ଦୋଷରେ ଖଲାସ ହେଲେ ୪ ଅଭିଯୁକ୍ତ ।

544

କନକ ବ୍ୟୁରୋ : ମିଛ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଯୁବତୀଙ୍କ ବିରୋଧରେ ମାମଲା ଚାଲିବ । ଆଜି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟ । ୨୦୨୦ ମେ’ ମାସରେ ଗଣଦୁଷ୍କର୍ମ ହୋଇଥିବା ନେଇ ଯୁବତୀ ଅଭିଯୋଗ ଆଣିଥିଲେ । ଏହି ମାମଲାରେ ଶୁଣାଣି ବେଳେ ସମ୍ପୃକ୍ତ ଯୁବତୀ ଓ ସାକ୍ଷୀ ବୟାନ ବଦଳାଇଥିଲେ । ତେଣୁ ମିଥ୍ୟା ତଥ୍ୟ ଓ ସାକ୍ଷୀ ଦେଇଥିବାରୁ କୋର୍ଟ ଯୁବତୀଙ୍କ ନାଁରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେବା ସହ ୪ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ଗଣଦୁଷ୍କର୍ମ ମାମଲାରେ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଅଭିଯୋଗକାରିଣୀଙ୍କ ନାଁରେ ହେବ ମାମଲା, ସମସ୍ତ ୪ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ । ମିଥ୍ୟା ତଥ୍ୟ ଓ ସାକ୍ଷୀ ଦେବା ପଡିଲା ମହଙ୍ଗା । ଏକ ଗଣଦୁଷ୍କର୍ମ ମାମଲାରେ ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏକ ନିଆରା ରାୟରେ କୋର୍ଟ ଅଭିଯୋଗକାରିଣୀଙ୍କ ନାଁରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଅଭିଯୋଗ ଆଣିଥିବା ଯୁବତୀଙ୍କୁ ମିଳିବାକୁ ଥିବା କ୍ଷତିପୂରଣ ଅର୍ଥ ମଧ୍ୟ ନଦେବାକୁ ରାୟରେ କୁହାଯାଇଛି ।

ଘଟଣା ଅନୁସାରେ

– ୨୦୨୦ ମେ’ ମାସରେ ଗଣଦୁଷ୍କର୍ମ ହୋଇଥିବା ନେଇ ଯୁବତୀ ଅଭିଯୋଗ ଆଣିଥିଲେ

– ଫୁଲବାଣୀ ସଦର ଥାନା ଅଂଚଳରେ ଯୁବତୀ ୪ଜଣ ଝିଅଙ୍କ ସହ ଗାଁ ନିକଟକୁ ବୁଲିବାକୁ ଯାଇଥିଲେ

– ୪ଜଣ ଯୁବକ ଆସି ସେମାନଙ୍କୁ ଭୟଭୀତ କରାଇଥିଲେ

– ସମସ୍ତେ ଖସି ପଳାଇ ଯାଇଥିବା ବେଳେ ସମ୍ପୃକ୍ତ ଯୁବତୀ ଜଣକ ଯାଇପାରିନଥିଲେ

 – ସଂପୃକ୍ତ ଯୁବକ ମାନେ ତାଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ

 – ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଚାର୍ଜସିଟ ଦାଖଲ କରିଥିଲା

ତେବେ ମାମଲାର ଶୁଣାଣି ବେଳେ ଯୁବତୀ ଓ ସାକ୍ଷୀ ବୟାନ ବଦଳାଇଥିଲେ । ତେଣୁ ମିଥ୍ୟା ତଥ୍ୟ ଓ ସାକ୍ଷୀ ଦେଇଥିବାରୁ କୋର୍ଟ ପୀଡିତାଙ୍କ ନାଁରେ ମାମଲା ରୁଜୁ କରିବାକୁ ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।