କନକ ବ୍ୟୁରୋ : ଭାଙ୍ଗି ଯାଇଛି ପାହାଡିଆ ନଦୀ ଉପରେ ନିର୍ମିତ ହୋମ ପାଇପ୍ ପୋଲ । ଏହାସହ ପୋଲକୁ ସଂଯୋଗ କରୁଥିବା ମାଟି ରାସ୍ତାଟି ମଧ୍ୟ ବିପର୍ଯ୍ୟସ୍ଥ ଅବସ୍ଥାରେ ରହିଛି । ଫଳରେ ବର୍ଷ ବର୍ଷ ଧରି ଅସୁବିଧା ଭୋଗୁଛନ୍ତି କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର ୪ଟି ଗ୍ରାମବାସୀ । ପ୍ରତିବର୍ଷ ବର୍ଷା ଦିନେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଆନ୍ତି କୁସୁମବାଟା, ମୁଣ୍ଡୁମାସ୍କା, ପାଜିଗୁଡା ଏବଂ ସଲାଗୁଡା ଗ୍ରାମବାସୀ । ଆଉ ଏ ସମସ୍ୟା ସହ ଜୁଝି ହେବ ନାହିଁ, ତେଣୁ ଚରମ ନିଷ୍ପତି ନେଇଛନ୍ତି ଗ୍ରାମବାସୀ । ୨୦୨୪ ସାଧାରଣ ନିର୍ବାଚନ ସୁଦ୍ଧା ଯଦି ସ୍ଥାୟୀ ପୋଲ ଓ ସ୍ଥାୟୀ ରାସ୍ତା ନିର୍ମାଣ ନହୁଏ, ତେବେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ପ୍ରଶାସନକୁ ଚେତାଇ ଦେଇଛନ୍ତି ।

ପ୍ରାୟ ୫୦ ବର୍ଷ ତଳେ ନିର୍ମିତ ହୋମ ପାଇପ ପୋଲଟି ୨୦୦୮ରେ ବଢି ପାଣିରେ ଭାଙ୍ଗି ଯାଇଥିଲା । ସେବେ ଠାରୁ ୪ଟି ଗାଁର ଲୋକ ଭଙ୍ଗା ପୋଲ କଡରେ ନଦୀରେ ପଶି ଯାତାୟାତ କରୁଛନ୍ତି । ନଦୀ ଆରପଟେ ସ୍କୁଲ ଏବଂ ପଂଚାୟତ କାର୍ଯ୍ୟଳୟ ସବୁ କିଛି ରହିଥିବାରୁ ଛୋଟ ଛୋଟ ପିଲା ନଦୀରେ ପଶି ଯିବା ଆସିବା କରୁଛନ୍ତି । ଏହି ସମସ୍ୟା ବାବଦରେ ଗ୍ରାମବାସୀମାନେ ବହୁବାର ସରପଂଚ ଠାରୁ ଆରମ୍ଭ କରି ସାଂସଦ, ବିଧାୟକ ଏବଂ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ବୁଝୁନାହାନ୍ତି । କି ୨୪ ବର୍ଷ ଧରି ରାଜ୍ୟରେ ଥିବା ସ୍ଥିର ସରକାର ପୋଲଟିଏ ନିର୍ମାଣ କରିପାରିଲେ ନାହିଁ । ତେଣୁ ଲୋକମାନେ ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି ।

ତେବେ ଲୋକଙ୍କ ଏହି ଅଭିଯୋଗ ସଂପର୍କରେ ଫୁଲବାଣୀ ବି.ଡିଓ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।