ଜଟିଳ ହେଉଛି ଫୁଲବାଣୀ ରାଜନୀତି । ୩ ଦଳରେ ମାଳମାଳ ଆଶାୟୀ, ବିଜେଡି ଗଡ଼ ଭାଙ୍ଗିବାକୁ ବିରୋଧୀଙ୍କ ରଣନୀତି ।

ଫୁଲବାଣୀ ନିର୍ବାଚନମଣ୍ଡଳୀରେ ରାଜନୈତିକ ବାତାବରଣ ବେଶ୍ ଉଷ୍ମ ହେବାରେ ଲାଗିଛି ।

107

କନକ ବ୍ୟୁରୋ: ସାରା ରାଜ୍ୟରେ ଏବେ ବହୁଛି ସାଧାରଣ ନିର୍ବାଚନୀ ହାୱା । ଏନେଇ ମଧ୍ୟ କନ୍ଧମାଳ ଜିଲ୍ଲାର ଫୁଲବାଣୀ ନିର୍ବାଚନମଣ୍ଡଳୀରେ ରାଜନୈତିକ ବାତାବରଣ ବେଶ୍ ଉଷ୍ମ ହେବାରେ ଲାଗିଛି । ବିଜେଡିର ଗଡ କୁହାଯାଉଥିବା ଏହି ନିର୍ବାଚନମଣ୍ଡଳୀରେ ପ୍ରମୁଖ ୩ ଦଳ ବିଜେଡି, କଂଗ୍ରେସ ଓ ବିଜେପି ଆସନ୍ତା ନିର୍ବାଚନ ପାଇଁ ବଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଭୋଟ୍ ହାତେଇବାକୁ ବଳ କଷୁଛନ୍ତି । କିନ୍ତୁ ଚଳିତ ଥର ପୁଣି ବିଜେଡି ଏଠାରେ ବାଜିମାତ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ଏଥିରେ ବ୍ରେକ୍ ଲଗାଇବାକୁ ବିରୋଧୀ ବିଜେପି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛନ୍ତି ।

ଗତ ନିର୍ବାଚନର ବିଜେତା ତଥା ବିଜେଡି ବିଧାୟକ ଦୁଗୁନି କହଁର ଚଳିତ ଥର ପୁଣି ପ୍ରର୍ଥୀ ହେବାକୁ ଆଶାୟୀ ରହିଛନ୍ତି । ତାଙ୍କ ବ୍ୟତୀତ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ପୂର୍ବତନ ନଗରପାଳ ରାଜେନ୍ଦ୍ର କହଁର, ଖଜୁରିପଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବୀରେନ୍ଦ୍ର କହଁରଙ୍କ ବି ପ୍ରାର୍ଥୀ ଦୌଡରେ ଅଛନ୍ତି । ଜିଲ୍ଲା ପରିଷଦ ସଦସ୍ୟା ଜୟଶ୍ରୀ କହଁର,ଫିରିଙ୍ଗିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲାଲନନ୍ଦ ପ୍ରଧାନ ମଧ୍ୟ ଆଶାୟୀ ଥିବା କୁହାଯାଉଛି। ଯଦି ମହିଳାଙ୍କ ପାଇଁ ସଂରକ୍ଷଣ ନିଷ୍ପତ୍ତି ନିଆଯାଏ , ତେବେ ବିଜେଡି ମହିଳା ଜିଲ୍ଲା ସଭାନେତ୍ରୀ ଅନିମା କହଁରଙ୍କ ନାଁ ବିଜେଡି ଆଶାୟୀ ପ୍ରାର୍ଥୀ ତାଲିକାରେ ଯୋଡ଼ି ହେଉଥିବା ଚର୍ଚ୍ଚା ହେଉଛି ।

ଅନ୍ୟପଟେ ଏହି ଆସନକୁ ଆସନକୁ କବଜା କରିବା ପାଇଁ ଜି-ଜାନ୍ ଲଗେଇଦେଇଛି ବିଜେପି । ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରରେ ଥିବା ବିଜେପି ସରକାରର ବିଭିନ୍ନ ଯୋଜନାର ସଫଳତାକୁ ବଖାଣି ଭୋଟ୍ ହାତେଇବାକୁ ଯୋଜନା କରୁଛି ବିଜେପି । ତେଣୁ ବିଜେପିରୁ ଗତଥର ପ୍ରାର୍ଥୀ ଦେବନାରାୟଣ ପ୍ରଧାନଙ୍କୁ ଏଥର ମଧ୍ୟ ଟିକେଟ୍ ମିଳିପାରେ ବୋଲି ଆଶାବାଦୀ ଅଛନ୍ତି । ସେହିଭଳି ଅନ୍ୟ ଆଶାୟୀଙ୍କ ମଧ୍ୟରେ ବର୍ତ୍ତମାନ ଜିଲ୍ଲା ପରିଷଦ ସଭ୍ୟ ଥିବା ମକରଧ୍ବଜ ମଲ୍ଲିକ, ରଘୁପତି କହଁର, ପବିତ୍ର କହଁର ଏବଂ ଗୋଲକ ବିହାରୀ କହଁର ପ୍ରମୁଖ ଆଶାୟୀ ଦୌଡରେ ଅଛନ୍ତି । ଦେଖିବାର ବିଷୟ ବିଜେପି ନେତୃବୃନ୍ଦ କାହା ଉପରେ ବିଶ୍ୱାସ ରଖି ଫୁଲବାଣୀ ଆସନକୁ କବଜା କରିବାରେ ସକ୍ଷମ ହୋଇପାରିବେ ।

ସେହିଭଳି ଉଭୟ ବିଜେଡି ଓ ବିଜେପିକୁ ମାତ୍ ଦେଇ ବିଜୟ ତିଳକ ପିନ୍ଧିବା ପାଇଁ କଂଗ୍ରେସ କସରତ କରୁଥିବା ଦେଖିବାକୁ ମିଳିଛି । ସେହି ମର୍ମରେ କଂଗ୍ରେସ ଏଥର ନୂଆ ମୁହଁ ଖୋଜୁଛି । ଏହି ତାଲିକାରେ ପ୍ରଥମରେ ଅଛନ୍ତି ପିସିସି ସମ୍ପାଦକ ଘନ କୁମାର ଶବର । ଗତଥରର ପ୍ରାର୍ଥୀ ସୁଦର୍ଶନ କହଁର , କିଶୋର କହଁର, ମହେନ୍ଦ୍ର ମଲ୍ଲିକ ଏବଂ କଂଗ୍ରେସ ମହିଳା ଜିଲ୍ଲା ସଭାନେତ୍ରୀ ଜାନକୀ ପ୍ରଧାନଙ୍କ ନାଁ ମଧ୍ୟ କଂଗ୍ରେସର ଆଶାୟୀ ପ୍ରାର୍ଥୀ ତାଲିକା ଦୌଡ଼ରେ ଥିବା ଶୁଣିବାକୁ ମିଳୁଛି ।