ଦୃଢ ଇଚ୍ଛାଶକ୍ତି ଆଗରେ ଟାହିଟାପରା ବି ତୁଚ୍ଛ…ରୋଗୀଣା ସ୍ୱାମୀ ଓ ପିଲାଙ୍କ ଭବିଷ୍ୟତ ପାଇଁ ସମାଜ ସହ ଲଢୁଛନ୍ତି ଫୁଲବାଣୀର ଝିଲି ପାତ୍ର…ସାଇକେଲରେ ବୁଲି ଫଳ ବିକ୍ରିକରି ପରିବାରକୁ ଯୋଗାଉଛନ୍ତି ଆହାର

682

କନକ ବ୍ୟୁରୋ: ଦୃଢ ଇଚ୍ଛା ଶକ୍ତି ଥିଲେ ଅସମ୍ଭବ ବି ସମ୍ଭବ ହୋଇପାରିବ । ଯାହା ଆଗରେ ଲୋକଙ୍କ ଟାହିଟାପରା ବି ହୋଇଯାଏ ତୁଚ୍ଛ ଆଉ ଏକଥାକୁ ସତ କରି ଦେଖାଇଛନ୍ତି ଫୁଲବାଣୀର ଝିଲି ପାତ୍ର । ଜଣେ ଶିକ୍ଷିତ ହୋଇ ମଧ୍ୟ ଫଳ ବେପାର କରି ପରିବାରକୁ ଯୋଗାଉଛନ୍ତି ଆହାର ।

ସୁନ୍ଦରଗଡର ମୂଳ ବାସିନ୍ଦା ହେଉଛନ୍ତି ଝିଲି । ଯୁକ୍ତ ଦୁଇରେ ଉର୍ତ୍ତୀର୍ଣ୍ଣ ହେବା ପରେ ଆହୁରି ପାଠ ପଢି ଚାକିରି କରିବାର ସ୍ୱପ୍ନ ଦେଖିଥିଲେ ସିଏ ହେଲେ ବାପାମାଆ ତାଙ୍କୁ ସନ୍ନ୍ୟାସୀ ପାତ୍ରଙ୍କ ସହ ବିବାହ କରାଇଦେଲେ । ତେବେ ସନ୍ନ୍ୟାସୀଙ୍କ ରୋଜଗାର ଅଧିକ ନଥିଲା । ତଥାପି ଦୁଃଖକଷ୍ଟରେ ଚଳିଯାଉଥିଲା ତାଙ୍କର ଛୋଟିଆ ସଂସାର । କିନ୍ତୁ ୫ବର୍ଷ ହେଲା ସନ୍ନ୍ୟାସୀ ଅସୁସ୍ଥ ହୋଇପଡିଲେ । ଆଉ କାମଧନ୍ଦା କରିପାରିଲେ ନାହିଁ । ଘରେ ଆର୍ଥିକ ଅଭାବ ଦେଖାଦେବା ସହ ମୁଣ୍ଡରେ ରହିଲା ଦୁଇ ପିଲାଙ୍କ ପାଠପଢା ଚିନ୍ତା । ଏସବୁ ଭିତରେ ପରିବାରରର ବୋଝ ମୁଣ୍ଡାଇବାକୁ ଝିଲି ଶେଷରେ ପଦାକୁ ପାଦ କାଢିଲେ । ଘରୁ ସାଇକେଲରେ ଆସି ଗୋପବନ୍ଧୁ ଛକରେ ଫଳ ବିକ୍ରି କରିବା ଆରମ୍ଭ କଲେ । ପ୍ରଥମେ ତାଙ୍କୁ ଏଥିପାଇଁ ଅନେକ ଟାହିଟାପରା ଶୁଣିବାକୁ ମିଳିଥିଲା । ତଥାପି ଝିଲି ଏଥିରେ ଭାଙ୍ଗି ନପଡି ଦିପଇସା ରୋଜଗାର କରିବାକୁ ମନୋବଳକୁ ଦୃଢ କରିଥିଲେ । ଆଉ ଏଥିରୁ ଯାହା କିଛି ରୋଜଗାର ହେଲା ସେଇଥିରେ ହିଁ ସ୍ୱାମୀଙ୍କ ଚିକିତ୍ସା ସହ ପୁଅଙ୍କ ପାଠପଢା ଏବଂ ପରିବାରର ପ୍ରତିପୋଷଣ କରୁଛନ୍ତି ।

ଆଜକୁ ୩ବର୍ଷ ହେଲା ଫଳ ବେପାର କରି ଆସୁଛନ୍ତି ଝିଲି । ସକାଳେ ଘର କଥା ବୁଝି ସାଇକେଲ ଧରି ବେପାର ପାଇଁ ବାହାରି ପଡନ୍ତି ଝିଲି । ଆଉ ସଂଧ୍ୟା ହେଲେ ପୁଣି ଘରକୁ ଫେରିଆସି ସ୍ୱାମୀ ପିଲାଙ୍କ କଥା ବୁଝନ୍ତି । ସତରେ ପୁରୁଷଙ୍କ ତୁଳନାରେ ମହିଳା କିିଛି  ବି କମ୍ ନୁହେଁ ଆଉ ଏକଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଫୁଲବାଣୀର ଝିଲି ।