ଟିକା କେନ୍ଦ୍ରରେ ଫଟୋକୁ ନେଇ ତେଜିଲା ବିବାଦ । ବିଜେଡି-ବିଜେପି  ମୁହାଁମୁହିଁ ।

160

କନକ ବ୍ୟୁରୋ : କରୋନା ଟିକାକରଣ କେନ୍ଦ୍ରରେ ଫୋଟକୁ ନେଇ ବିଜେଡି-ବିଜେପି ମଧ୍ୟରେ ବିବାଦ ଥମୁନି । ଆଜି ବାଲେଶ୍ୱର ଷ୍ଟେସନରେ ଛକ ନିକଟରେ ଥିବା ଗାନ୍ଧୀ ସ୍ମୃତି ଭବନ ଟିକା କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ପୁସିଂକାର୍ଡ ବଣ୍ଟନ କରାଯାଉଥିଲା । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଟିକାକେନ୍ଦ୍ର ପରିଦର୍ଶନ କରିବା ବେଳେ ଏହାକୁ ନେଇ ଉତେଜନା ଦେଖାଦେଇଛି । ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ପୁସିଂ କାର୍ଡକୁ ଚିରିଦେବା ସହ ପୁଳାପୁଳା ପୁସିଂ କାର୍ଡ ଫିଙ୍ଗି ପ୍ରତିବାଦ ଜଣାଇଛନ୍ତି । ଏପଟେ ଟିକାକରଣ କେନ୍ଦ୍ରରେ ଫୋଟକୁ ନେଇ ବିଜେପି ଓ ବିଜେଡି ସାଂସଦଙ୍କ ମଧ୍ୟରେ ଟୁଇଟ୍ କଳି ଦେଖିବାକୁ ମିଳିଛି । ସେପଟେ କଂଗ୍ରେସ ଫଟୋ ରାଜନୀତିକୁ ବିଶ୍ୱାସ କରେ ନାହିଁ ବୋଲି କହିଛନ୍ତି ପିସିସି ସଭାପତି ।

ବାଲେଶ୍ୱରରେ ଏକ ଟିକାକରଣ କେନ୍ଦ୍ରରେ ପହଞ୍ଚି ଚିହିଁକି ଉଠିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଦିନକ ପୂର୍ବରୁ ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିବା ନେଇ ହଙ୍ଗାମା ହେବା ପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଅନ୍ତତଃ ପ୍ରଶାସନିକ ଅଧିକାରୀମାନେ ରାଜନୀତି କରିବା ଉଚିତ ନୁହେଁ । ବୁଧବାର ବିବାଦ ଆରମ୍ଭ ହୋଇଥିଲା ପୁସିଂ କାର୍ଡ ବାଂଟିବାକୁ ନେଇ । ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ପୁସିଂ କାର୍ଡ ବଂଟନକୁ ନେଇ ବିଜେପି କର୍ମୀମାନେ ପ୍ରତିବାଦ କରିଥିଲେ ଏବଂ ଅନେକ ପୁସିଂ କାର୍ଡକୁ ଚିରିଦେଇଥିଲେ ।

ଏପଟେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଟ୍ୱିଟ କରି କହିଛନ୍ତି, ଓଡିଶା ଟିକା ପାଇବାରେ ବିଫଳ ହେଲା, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଓଡିଶାକୁ ବଂଚାଇଦେଲେ । ତେଣୁ ସୌଜନ୍ୟତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିବା ଉଚିତ । ରାଜ୍ୟ ସରକାର ଅସୁରକ୍ଷିତ ଓ ସଂକୀର୍ଣ୍ଣ ମନୋଭାବ ଦେଖାଇଛନ୍ତି ।

ସେପଟେ ବିଜେଡି ସାଂସଦ ସସ୍ମିତ ପାତ୍ର ଟ୍ୱିଟ କରି କହିଛନ୍ତି, ସବୁ କୋଭିଡ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିଛି । କିନ୍ତୁ ବିଜେଡି ଏହାକୁ ବିରୋଧ କରି ନାହିଁ । କରୋନା କ୍ଷେତ୍ରରେ ପ୍ରଥମେ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଟିକା କିଣିବା ପାଇଁ ବାଧ୍ୟ କଲେ , ପୁଣି ଏହି ନୀତି ପ୍ରତ୍ୟାହାର କରିନେଲେ । ଓଡିଶା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥାଇ ସଚେତନତାର ବାର୍ତା କେବଳ ଦିଆଯାଇଛି । ଅପରାଜିତାଙ୍କୁ  କହିଛନ୍ତି, ବୋଧହୁଏ  ନିଜେ ଅପରାଜିତା ଅସୁରକ୍ଷିତ ମଣୁଛନ୍ତି ଏବଂ ସେଥିପାଇଁ  ସଂକୀର୍ଣ୍ଣ ରାଜନୀତି କରୁଛନ୍ତି ।