ଟେଲିଫୋନ ଜଗତରେ ‘ମହାମାରୀ’ ପ୍ରଭାବ: ଏଣିକି ମୋବାଇଲ ସହ ଆଉ ମିଳିବ ନାହିଁ ଚାର୍ଜର; ନୂଆ ଫୋନ କିଣିଲେ ଏବେ ଚାର୍ଜର ପାଇଁ ଲାଗିବ ଅତିରିକ୍ତ ଚାର୍ଜ

4,037

କନକ ବ୍ୟୁରୋ: କରୋନା କାଳରେ ମହଙ୍ଗା ମାଡ । ଇଲେକ୍ଟ୍ରୋନିକ୍ସ ଜଗତରେ ମହାମାରୀ ପ୍ରଭାବ । ଏଣିକି ଫୋନ ସହ ଆଉ ମିଳିବ ନାହିଁ ଚାର୍ଜର ।  ନୂଆ ମୋବାଇଲ ଫୋନ କିଣିବା ସମୟରେ ଏଣିକି ଗ୍ରାହକଙ୍କୁ ଚାର୍ଜ ପାଇଁ ଦେବାକୁ ପଡିପାରେ ଅତିରିକ୍ତ ଟଙ୍କା । ଏକଥା ଆମେ କହୁ ନାହିଁ ବରଂ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ ଜଣାପଡିଛି । ତେବେ  ସ୍ମାର୍ଟଫୋନ ବକ୍ସରେ ଚାର୍ଜର ନଦେବାକୁ ଖୁବ୍ ଶିଘ୍ର ନିଷ୍ପତି ନେଇପାରେ ସାମସଙ୍ଗ କଂପାନୀ ।

ଦକ୍ଷିଣ କୋରିଆ ସ୍ମାର୍ଟଫୋନ ନିର୍ମାତା କଂପାନୀ ତଥା ସାମସଙ୍ଗ ନିଜ ସ୍ମାର୍ଟଫୋନ ବକ୍ସରେ ଚାର୍ଜର ନଦେବାକୁ ନିଷ୍ପତି ନେଇପାରେ ବୋଲି ଜଣାପଡିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ଅନୁସାରେ, ଆସନ୍ତା ବର୍ଷରୁ ମୋବାଇଲ କଂପାନୀମାନେ କିଛି ସ୍ମାର୍ଟଫୋନର ବକ୍ସ  କଂପୋନେଟ୍ସରେ ଚାର୍ଜରକୁ ହଟାଇବାକୁ ଯୋଜନା କରୁଛନ୍ତି ।  ଆଉ ଯଦି ଏହି ନିଷ୍ପତି ଆଗଛୁ ବଢେ ତେବେ ସାମସଙ୍ଗ କଂପାନୀର ମୋବାଇଲ କିଣିଲେ ଆପଣଙ୍କୁ ଚାର୍ଜର ପାଇଁ ଅଲଗା ଟଙ୍କା ଦେବାକୁ ପଡିପାରେ ।

ତେବେ ବିଶ୍ୱର ନାମୀଦାମୀ ସ୍ମାର୍ଟଫୋନ ନିର୍ମାତା କଂପାନୀମାନଙ୍କ ମଧ୍ୟରେ ସାମସଙ୍ଗ ହେଉଛି ଗୋଟିଏ ।  ପ୍ରତି ବର୍ଷ କୋଟିଏରୁ ଅଧିକ ଫୋନ ସାମସଙ୍ଗ କଂପାନୀ ବିକ୍ରି କରିଥାଏ । ଏଭଳି ପରିସ୍ଥିତିରେ ଯଦି ସାମସଙ୍ଗ ଅଧାରୁ ଅଧିକ ସ୍ମାର୍ଟଫୋନ ବକ୍ସରେ ଚାର୍ଜରକୁ ହଟାଇ ଦିଏ ତେବେ କଂପାନୀକୁ ବଡ ଧରଣର ଫାଇଦା ମିଳିବ । କାରଣ ଏହାଦ୍ୱାରା କଂପାନୀ ତାର ସ୍ମାର୍ଟଫୋନର ଦାମକୁ  କମାଇ ଦେବ ଯାହା ଫଳରେ ଲୋକେ ସାମସଙ୍ଗ ଫୋନ କିଣିବାକୁ ଆଗ୍ରହ ପ୍ରକାଶ କରିବେ । ପୂର୍ବରୁ ଅନେକ ନୂଆ ମୋବାଇଲ କିଣିବା ସମୟରେ ସେଥିରେ ଇୟରଫୋନ କଂପାନୀ ପକ୍ଷରୁ ଦିଆଯାଉନଥିଲା ତେବେ ଏବେ ଚାର୍ଜର ମଧ୍ୟ ନମିଳିବା ଖବର ନିଶ୍ଚୟ ବୋଝ ଉପରେ ନଳିତା ବିଡା ଭଳି ପ୍ରତୀୟ ହେଉଛି ।