କନକ ବ୍ୟୁରୋ : କର୍ଣ୍ଣାଟକରେ ବୋମାଇ ସରକାର ଉପରେ ଅଭିଯୋଗ ଆଣି କଂଗ୍ରେସ ସେ ସମୟରେ କ୍ୟୁଆର କୋଡର ବ୍ୟବହାର କରିଥିଲା । ଏବେ ମଧ୍ୟପ୍ରଦେଶରେ ଶିବରାଜସିଂ ଚୌହାନ ସରକାର ଉପରେ ସମାନ ରଣନୀତି ପ୍ରୟୋଗ କରିଛି କଂଗ୍ରେସ । ଏହି କ୍ରମରେ ଡିଜିଟାଲ ପେମେଣ୍ଟ କମ୍ପାନୀ ଫୋନପେ କଂଗ୍ରେସ ଉପରେ ନିଜର ଲୋଗ ବ୍ୟବହାର କରିବା ନେଇ ଆପତ୍ତି ଉଠାଇଛି ।

Advertisment

ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଆଗରୁ କଂଗ୍ରେସ ଓ ବିଜେପି ମଧ୍ୟରେ ପୋଷ୍ଟର ୱାର ଦେଖିବାକୁ ମିଳିଛି । କଂଗ୍ରେସ ଅଧ୍ୟକ୍ଷ କମଲନାଥଙ୍କ ବିରୋଧରେ ବିଜେପି କ୍ୟୁଆର କୋଡ ଥିବା ପୋଷ୍ଟର ଲଗାଇବା ପରେ ଏବେ କଂଗ୍ରେସ ତରଫରୁ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଶିବରାଜସିଂ ଚୌହାନଙ୍କ ବିରୋଧରେ ଫୋନ ପେ ଲୋଗ ଥିବା ପୋଷ୍ଟର ଭୋପାଳରେ ଲଗାଇଛି । ଏଥିରେ କାମ ବଦଳରେ ମୁଖ୍ୟମନ୍ତ୍ରୀ ୫୦ ପ୍ରତିଶତ କମିଶନ ଫୋନପେ ମାଧ୍ୟମରେ ନେଉଥିବା ଲେଖାଯାଇଛି ।

ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ କଂଗ୍ରେସ ତରଫରୁ ଶିବରାଜସିଂ ଚୌହାନଙ୍କ ବିରୋଧରେ ଲାଗିଥିବା ପୋଷ୍ଟରରେ ଶିବରାଜ ସିଂ ଚୌହାନଙ୍କ ଫଟୋ ଛପା ଯାଇଛି । ଏଥିରେ ଲେଖାଯାଇଛି କି, ୫୦ ପ୍ରତିଶତ କମିଶନ ଆଣ, ଫୋନ ପେରେ କାମ କରାଅ । ଏନେଇ ଜୁନ ୨୬ ତାରିଖରେ ଫୋନପେ ତରଫରୁ ଟ୍ୱିଟ୍ ମାଧ୍ୟମରେ ଏହି ପୋଷ୍ଟରକୁ ନେଇ ଆପତ୍ତି ଉଠାଯାଇଛି ।

ଫୋନପେ ତରଫରୁ କୁହାଯାଇଛି କମ୍ପାନୀର ଲୋଗ ଏହି ପୋଷ୍ଟରରୁ ହଟାଯିବା ଆବଶ୍ୟକ । ଏହାସହ କ୍ଷମତା କେନ୍ଦ୍ର ହେଉ ବା ବିରୋଦୀ ଦଳ କେହି ବି ଫୋନପେର ଲୋଗ ବ୍ୟବହାର କରି ରାଜନୀତି କରିବାକୁ ଫୋନପେ ତରଫରୁ ନାପସନ୍ଦ କରାଯାଇଛି । ଫୋନ ପେ ତାର ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛି କି, ଆମ କମ୍ପାନୀ କୌଣସି ରାଜନୈତିକ ପାର୍ଟି କିମ୍ବା କ୍ଷମତା ଲଢେଇ ଅଭିଯାନରେ ସାମିଲ ନୁହେଁ । ଫୋନପେ ଆମ କମ୍ପାନୀର ପଞ୍ଜିକୃତ ଏକ ଟ୍ରେଡମାର୍କ ।