ଫୋନ ପେ ବ୍ୟବହାରକାରୀଙ୍କୁ ଝଟକା, ମୋବାଇଲ ରିଚାର୍ଜ ଉପରେ ଦେବାକୁ ହେବ ଅଧିକ ଟଙ୍କା

1,021

କନକ ବ୍ୟୁରୋ : ଯୁଗ ବଦଳିବାରେ ଲାଗିଛି । ଏବେ ଛୋଟ ଛୋଟ କାରବାର ପାଇଁ ଲୋକମାନେ ସିଧା ସଳଖ ଟଙ୍କାର ବ୍ୟବହାର କରିବା ପରିବର୍ତ୍ତେ ଅନଲାଇନ ପେମେଣ୍ଟ କରିବାକୁ ପସନ୍ଦ କରୁଛନ୍ତି । ତେଣୁ ମୋବାଇଲକୁ ବି ମନିପର୍ସ ଭାବେ ବ୍ୟବହାର କରାଯାଉଛି । ଏହାସହ ମୋବାଇଲ ପ୍ୟାକେଜ ରିଚାର୍ଜ, ଟିଭି ପ୍ୟାକେଜ ରିଚାର୍ଜ, ବୀମାଦେୟ ଭଳି ଅନେକ କାରବାର ଲୋକମାନେ ସିଧା ସଳଖ ଅନଲାଇନ ପେମେଣ୍ଟ କରୁଛନ୍ତି । ହେଲେ ଅନଲାଇନ ପେମେଣ୍ଟରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଆପ୍ ‘ଫୋନ ପେ’ ଏବେ ତାର ଗ୍ରାହକମାନଙ୍କ ଝଟକା ଦେଇଛି ।

ଫୋନ ପେ ରେ ଯଦି ଆପଣ ୫୦ ଟଙ୍କାରୁ ଅଧ୍ଚଳ ପ୍ୟାକ୍ ରିଚାର୍ଜ କରୁଛନ୍ତି ତେବେ ଆପଣଙ୍କୁ ୧ ଟଙ୍କାରୁ ୨ ଟଙ୍କା ମଧ୍ୟରେ ପ୍ରଶେସିଙ୍ଗ ଦେୟ ଦେବାକୁ ହେବ । ଏଭଳି ସ୍ଥଳରେ ସମାନ ରିଚାର୍ଜ ପାଇଁ ଅନ୍ୟ ଅନଲାଇନ ପେମେଣ୍ଟ ଆପ ଗୁଗୁଲ ପେ, ପେଟିଏମ ଓ ଅମାଜନ ଭଳି କମ୍ପାନୀମାନେ ମୁକ୍ତ ସେବା ଜାରି ରଖିଛନ୍ତି ।

କମ୍ପାନୀ ତରଫରୁ କୁହାଯାଇଛି କି, ୫୦ ଟଙ୍କାରୁ କମ୍ ରିଚାର୍ଜ ଉପରେ ଆପଣଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ହେଲେ ୫୦ ଟଙ୍କାରୁ ୧୦୦ ଟଙ୍କାର ରିଚାର୍ଜ ଉପରେ ୧ ଟଙ୍କା ଓ ୧୦୦ ଟଙ୍କାରୁ ଅଧିକ ରିଚାର୍ଜ ଉପରେ ୨ ଟଙ୍କା ସେବାକର ଦେବାକୁ ପଡିବ । ଅନ୍ୟପଟେ କେବଳ ଫୋନ ପେ ଅନଲାଇନ ପେମେଣ୍ଟ ରିଚାର୍ଜ ଉପରେ ସେବାକର ନେଉନାହିଁ, ଆପଣ ଯଦି କ୍ରେିଡିଟ କାର୍ଡ ମାଧ୍ୟମରେ ପେମେଣ୍ଟ କରୁଛନ୍ତି ତେବେ ବି କମ୍ପାନୀ ସେବାକର ନେଉଛି । ହେଲେ ଅନ୍ୟ କାରବାର ଉପରେ ଏପର୍ଯ୍ୟନ୍ତ ଫୋନ ପେ ସେବାକର ନେବ କି ନାହିଁ ତାହା ସ୍ପଷ୍ଟ କରିନାହିଁ ।

କହିରଖୁ କି ଅନ୍ୟ ପେମେଣ୍ଟ ଆପ୍ ଠାରୁ ଫୋନ ପେ ରେ ତୃତୀୟ ପକ୍ଷ କାରବାର ଦେଶରେ ସବୁଠାରୁ ଅଧିକ ରହିଛି । କେବଳ ଗତ ସେପ୍ଟେମ୍ବର ମାସରେ ଫୋନ ପେ ମାଧ୍ୟମରେ ଲୋକମାନେ ୧୬୫ କୋଟି ଟଙ୍କାରୁ ଅଧିକ କାରବାର କରିଛନ୍ତି । ଏହା ମୋଟ ଅନଲାଇନ ପେମେଣ୍ଟ ହୋଇଥିବା ଦେଶର ମୋଟ କାରବାରର ୪୦ ପ୍ରତିଶତ ବୋଲି କୁହାଯାଇଛି । ସୂଚନା ଥାଉକି ୨୦୧୫ ମସିହାରେ ଫ୍ଲିପକାର୍ଟର ପୂର୍ବତନ ଅଧିକାରୀ ସମୀର ନିଗମ କରିଥିଲେ । ଏହି ଡିଜିଟାଲ ପେମେଣ୍ଟ ଆପରେ ୩୦୦ ମିଲିୟନରୁ ଅଧିକ ପଞ୍ଜିକୃତ ବ୍ୟବହାରକାରୀ ରହିଛନ୍ତି ।