ଚୀନକୁ କଡ଼ା ମୁକାବିଲା ଦେବାକୁ…ଭାରତଠାରୁ ବ୍ରହ୍ମୋସ୍ ମିସାଇଲ୍ କିଣିବ ଫିଲିପାଇନ୍ସ ।

157

କନକ ବ୍ୟୁରୋ : ଭାରତରୁ ୩୭୪ ନିୟୁତ ଡଲାର ବିନିମୟରେ ବ୍ରହ୍ମୋସ୍ ସୁପରସୋନିକ କ୍ରୁଜ ମିସାଇଲ କିଣିବ ଦକ୍ଷିଣ-ପୂର୍ବ ଏସୀୟ ଦେଶ ଫିଲିପାଇନ୍ସ । ବଢିଚାଲିଥିବା ଚୀନ ପ୍ରାଦୁର୍ଭାବର ମୁକାବିଲା କରିବାକୁ ଏହି କ୍ରୁଜ ମିସାଇଲ ବେଶ ପ୍ରଭାବୀ ହୋଇପାରିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

ଭାରତ ପରି ଫିଲିପାଇନ୍ସ ସହ ମଧ୍ୟ ଚୀନର ସୀମା ବିବାଦ ରହିଛି । ଭାରତ ସହ ସ୍ଥଳଭାଗରେ ବିବାଦ ଥିବାବେଳେ ଫିଲିପାଇନ୍ସ ସହ ଦକ୍ଷିଣ ଚୀନ ସାଗରରେ ଚୀନର ବିବାଦ ରହିଛି । ଚୀନ ଜାହାଜମାନେ ବାରମ୍ବାର ଫିଲିପାଇନ୍ସର ଜଳସୀମା ଅତିକ୍ରମ କରି ଉପଦ୍ରପ ଚଳାଇଥିବାରୁ ଫିଲିଲାଇନ୍ସ ଚିନ୍ତିତ ରହିଛି । ଚୀନ ଜାହାଜ ଗୁଡ଼ିକର ମୁକାବିଲା କରିବାକୁ ହିଁ ଫିଲିପାଇନ୍ସ ଭାରତଠାରୁ ବ୍ରହ୍ମସର ନାଭାଲ ଭର୍ସନ (ନୌସେନା ସଂସ୍କରଣ) ଖରିଦ କରୁଛି । ଫିଲିପାଇନ୍ସ ପ୍ରଥମ ପର୍ଯ୍ୟାୟରେ ଭାରତଠାରୁ ୩ଟି ବ୍ୟାଟେରୀ ବ୍ରହ୍ମୋସ୍ ସିଷ୍ଟମ କିଣିବ । ପରବର୍ତ୍ତୀ ପର୍ଯ୍ୟାୟରେ ଆଉ କେତେକ ବ୍ୟାଟେରୀ ଖରିଦ କରିବାର ସମ୍ଭାବନା ରହିଛି ।

କେବଳ ଫିଲିପାଇନ୍ସ ନୁହେଁ, ଇଣ୍ଡୋନେସିଆ, ଭିଏତନାମ ପରି କେତେକ ଦକ୍ଷିଣ-ପୂର୍ବ ଏସୀୟ ଦେଶ ମଧ୍ୟ ବ୍ରହ୍ମୋସ୍ କିଣିବାକୁ ଯୋଜନା କରୁଛନ୍ତି । ଏସବୁ ଦେଶମାନଙ୍କ ସହ ମଧ୍ୟ ଚୀନର ସୀମା ବିବାଦ ରହିଛି । ସୂଚନାଯୋଗ୍ୟ ଯେ, ବ୍ରହ୍ମୋସ୍ ହେଉଛି ଭାରତ ଓ ଋଷିଆ ଦ୍ୱାରା ମିଳିତ ଭାବେ ବିକଶିତ କରାଯାଇଛି । ଏହାକୁ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ କ୍ରୁଜ ମିସାଇଲ ବୋଲି କୁହାଯାଉଛି ।