ଆଦିବାସୀ ମହିଳାଙ୍କୁ ରୋଜଗାର ଦେଇଛି ଫିନାଇଲ ପ୍ରସ୍ତୁତ, ୩ଟି ସ୍ୱୟଂ ସହାୟକ ଗୋଷ୍ଠୀ ମିଶି ଆରମ୍ଭ କରିଛନ୍ତି ସଂଜିବନୀ ପ୍ରଡ୍ୟୁସର ଗ୍ରୁପ

161

କନକ ବ୍ୟୁରୋ : ଆଦିବାସୀ ଅଂଚଳରେ ମହିଳାଙ୍କୁ ରୋଜଗାର ଦେଉଛି ଫିନାଇଲ । ରାୟଗଡା ପଦ୍ମପୁର ବ୍ଲକ ଅନ୍ତର୍ଗତ ତେମବାଗୁଡ଼ା ଗାଁର ମା’ ଶାରଳା, ମା’ ମହେଶ୍ୱରୀ ଓ ମା’ କଲ୍ୟାଣୀ ନାମକ ୩ଟି ସ୍ୱୟଂ ସହାୟକ ଗୋଷ୍ଠୀ ମିଶି ଆରମ୍ଭ କରିଛନ୍ତି ସଂଜିବନୀ ପ୍ରଡ୍ୟୁସର ଗ୍ରୁପ୍ । ୩୦ଜଣ ମହିଳା ଏକାଠି ହୋଇ ମିଶନ ଶକ୍ତି ସହଯୋଗରେ ତାଲିମ ନେଇ ପସ୍ତୁତ କରୁଛନ୍ତି ବ୍ଲାକ ଫିନାଇଲ, ନିମାଇଲ, ଡିସ ୱାସ । ଏଥିରୁ ବାର୍ଷିକ ତାଙ୍କୁ ଲକ୍ଷାଧିକ ଟଙ୍କା ରୋଜଗାର ମିଳୁଛି । ଘର କାମ ପରେ ପ୍ରତିଦିନ ୨ ରୁ ୩ ଘଂଟା ସମୟ ଦେଇ ଏହି ଫିନାଇଲ ପ୍ରସ୍ତୁତ କାମରେ ଲାଗି ପଡ଼ନ୍ତି ଗୃପର ମହିଳାମାନେ । ମହିଳା ମାନେ ନିଜ ନିଜ ଦାୟିତ୍ୱ ନିଜ ଭିତରେ ବାଂଟି ନିଅନ୍ତି । କିଏ ଫିନାଇଲରେ କେମିକାଲକୁ ମିଶ୍ରଣ କରେ ତ ଆଉ କିଏ ସେଥିରେ ସୁଗନ୍ଧ ମିସାଏ । ପୁଣି ଆଉ କିଏ ଫିନାଇଲ ବୋତଲରେ ଷ୍ଟିକରିଂ କରିଥାଏ । ଦିନକୁ ଦୁଇରୁ ତିନି ଶହ ବୋତଲ ପ୍ରସ୍ତୁତ କରି ବ୍ୟବସାୟ କରୁଛନ୍ତି ମହିଳା ମାନେ ।

ଗଞ୍ଜାମରୁ କଂଚାମାଲ ଆଣି ୧୦ ହଜାର ଟଙ୍କାରେ ବ୍ୟବସାୟ ଆରମ୍ଭ କରିଥିବା ଏହି ଉତ୍ପାଦକ ଗୋଷ୍ଠୀ ଖୁବ କମ ଦିନରେ କଂଚାମାଲ ସମେତ ଲକ୍ଷାଧିକ ସଂଚୟ ମଧ୍ୟ କରିଛନ୍ତି । ଉତ୍ପାଦିତ ଫିନାଇଲକୁ ବୋତଲ ପିଛା ୨୦ ରୁ ୫୦ ଟଙ୍କାରେ ନିକଟସ୍ଥ ବଜାରରେ ବିକ୍ରି କରିବା ସହ ଅଂଚଳରେ ଥିବା ବିଭିନ୍ନ ଆଶ୍ରମ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଓ ଚିକିତ୍ସାଳୟକୁ ଫିନାଇଲ ଯୋଗାଇ ଦୁଇ ପଇସା ରୋଜଗାର କରୁଛନ୍ତି ।

ଅ।।ଦିବାସୀ ଅଂଚଳର ଏହି ମହିଳାଙ୍କ ପ୍ରୟାସ ଏବେ ଅନ୍ୟମାନଙ୍କ ପାଇଁ ପାଲଟିଛି ପ୍ରେରଣା ।