ମହିଳାଙ୍କୁ ରୋଜଗାର ଦେଇଛି ଫିନାଇଲ ପ୍ରସ୍ତୁତିି । ୨୦ ପ୍ରତିଶତ ଲାଭ ହେଉଥିବା କହିଲେ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟ

112

କନକ ବ୍ୟୁରୋ : ସବୁ କ୍ଷେତ୍ରରେ ଏବେ ମହିଳା ମାନେ ଆଗୁଆ । ନିଜେ ପାଇଁ ନିଜେ ବାଛୁଛନ୍ତି ରୋଜଗାରର ବାଟ । ଆଉ ଏଥି ପାଇଁ ବଳ ଯୋଗାଉଛି ସ୍ୱୟଂ ସହାୟକ ଗୋଷ୍ଠୀ । ଏହି ଗୋଷ୍ଠୀ ମାଧ୍ୟମରେ ଜୟପୁର ସହର ବ୍ୟାଙ୍କ କଲୋନୀର ମହିଳା ମାନେ ଫିନାଇଲ ପ୍ରସ୍ତୁତ କରି ସହରରକୁ ଯୋଗାଉଛନ୍ତି । ଉଦ୍ୟୋଗଟି ଛୋଟ ହେଲେ ମଧ୍ୟ ଭଲ ରୋଜଗାର ହେଉଥିବା କହିଛନ୍ତି ଏସଏଚଜି ମହିଳା । ଆଉ ସଂଘର ନାଁ ଦେଇଛନ୍ତି ଲେଡ଼ି ଲାୟନସ ସ୍ୱୟଂ ସହାୟକ ଗୋଷ୍ଠୀ ।

ମହିଳାଙ୍କୁ ରୋଜଗାର ଦେଇଛି ଫିନାଇଲ । ଘର କାମ ସାରି ଗୋଟିଏ ସ୍ଥାନରେ ଏକତ୍ରିତ ହୁଅନ୍ତି ମହିଳା । ଆଉ ୩ରୁ ୪ଘଂଟା ସମୟ ଦେଇ ଫିନାଇଲ ପ୍ରସ୍ତୁତି କରନ୍ତି । ସଂଘରେ ୧୦ ଜଣ ମହିଳା ଥିବାବେଳେ ସମସ୍ତେ ନିଜ ନିଜ ଦାୟୀତ୍ୱ ନିଜ ଭିତରେ ବାଟିଂ ନିଅନ୍ତି । କିଏ ଫିନାଇଲରେ କେମିକାଲକୁ ମିଶ୍ରଣ କରେ ତ ଆଉ କିଏ ସେଥିରେ ସୁଗନ୍ଧ ମିଶାଏ । ପୁଣି ଆଉ କିଏ ଫିନାଇଲ ବୋତଲରେ ଷ୍ଟିକରିଂ କରିଥାଏ । ଦିନକୁ ୨ଶହରୁ ୩ଶହ ଫିନାଇଲ ବୋତଲ ପ୍ରସ୍ତୁତ କରି ବ୍ୟବସାୟ କରୁଛନ୍ତି ଜୟପୁର ବ୍ୟାଙ୍କ କଲୋନୀରେ ରହୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ବ୍ୟବସାୟ ପାଇଁ ୨ ଦିନ ଆଗରୁ ବଜାରରୁ ଅର୍ଡ଼ର ମିଳିଥାଏ । ସେହି ଅନୁସାରେ ଦିନକୁ ୨ଶହରୁ ୩ଶହ ଫିନାଇଲ ବୋତଲ ପ୍ରସ୍ତୁତ କରି ବ୍ୟବସାୟ କରନ୍ତି ଏହି ସଂଘର ସଦସ୍ୟା । ଗୋଟିଏ ବୋତଲକୁ ତିଆରି କରିବାରେ ୨୫ ରୁ ୩୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହାକୁ ସେମାନେ ୫୦ ଟଙ୍କାରେ ବିକ୍ରି କରନ୍ତି ।

ଫିନାଇଲ ଅତି ଆବଶ୍ୟକୀୟ ଜିନିଷ ହୋଇଥିବା ବେଳେ ଘରେ ଘରେ ଏହାର ବ୍ୟବହାର ହୋଇଥାଏ । ଘରକୁ ସଫାରଖିବା ସହ ଜୀବାଣୁ ନାଶ କରିବା ପାଇଁ ଲୋକେ ଫିନାଇଲ ବ୍ୟବହାର କରିଥାଆନ୍ତି । ବଜାରରେ ମିଳୁଥିବା ଫିନାଇଲ ଅଧିକା ଦରରେ ବିକ୍ରୀ ହେଉଥିଲେ ମଧ୍ୟ ଏହାର ଗୁଣାତ୍ମକ ମାନ ପୁର୍ବ ଭଳି ଆଉ ମିଳୁନାହିଁ । ତାକୁ ଆଖି ଆଗରେ ରଖି ଭଲ ଫିନାଇଲ ତିଆରି କରୁଛନ୍ତି ବୋଲି କୁହନ୍ତି ଏସଏଚଜି ମହିଳା । ଜୟପୁର ପୌର ପାଳିକାର ସହଯୋଗରେ ଭୁବନେଶ୍ୱରରେ ତାଲିମ ନେଇ ନିଜେ ପ୍ରସ୍ତୁତ କରିବା ସହ ଅନ୍ୟ ମାନଙ୍କୁ ତାହା ଶିଖାଉଛନ୍ତି । ଲାଭ ପଇସାକୁ ସଂଘର ଆକାଉଂଟ ରେ ସଂଚୟ କରି ରଖିଛନ୍ତି । ଆଗକୁ ଏକ ବଡ଼ ଉଦ୍ୟୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସଂଘର ଏଭଳି ଉତ୍ସାହକୁ ନେଇ ପୌରପାଳିକା ମଧ୍ୟ ସହଯୋଗର ହାତ ବଢ଼ଇଛି ।