କନକ ବ୍ୟୁରୋ : ଆପଣମାନେ ଏହି ବ୍ୟକ୍ତିଙ୍କ ଜିବନୀକଥା ବିଶ୍ୱାସ କରିବା ଟିକିଏ କଷ୍ଟ । ଚାରୋଟି ବିଷୟ ଉପରେ ମାଷ୍ଟର ଡିଗ୍ରୀ ଏବଂ ଗୋଟିଏ ବିଷୟ ଉପରେ ପିଏଚଡି କରିଥିବା ଏହି ବ୍ୟକ୍ତି ନିଜର ରୋଜଗାର ପାଇଁ ପଞ୍ଜାବରେ ରାସ୍ତାରେ ବୁଲି ବୁଲି ପନିପରିବା ବିକ୍ରି କରୁଛନ୍ତି । ଡକ୍ଟର ସନ୍ଦୀପ ସିଂ ପଟିଆଲାର ପଞ୍ଜାବ ବିଶ୍ୱବିଦ୍ୟାଳୟର ପ୍ରଫେସର ଥିଲେ । ତାଙ୍କର ଦୁର୍ଭାଗ୍ୟଜନକ ପରିସ୍ଥିତି ତାଙ୍କୁ ଚାକିରୀ ଛାଡିବା ପାଇଁ ବାଧ୍ୟ କରିଥିଲା । ବର୍ତ୍ତମାନ ସେ ପଞ୍ଜାବର ରାସ୍ତାରେ ବୁଲି ବୁଲି ପରିବା ବିକ୍ରି କରୁଛନ୍ତି । ଏବଂ ସେ ଏହା ମଧ୍ୟ କହୁଛନ୍ତି ଯେ ସେ ବର୍ତ୍ତମାନ ପନିପରିବା ବିକ୍ରି କରି ଯେତିକି ରୋଜଗାର କାରୁଛନ୍ତି ତାହା ପ୍ରଫେସର ଚାକିରୀ ଦରମା ଠାରୁ ବହୁ ଅଧୀକ ।
୩୯ ବର୍ଷର ସନ୍ଦୀପ ସିଂ ପ୍ରାୟ ୧୧ ବର୍ଷ ପଞ୍ଜାବୀ ବିଶ୍ୱବିଦ୍ୟାଳୟର ଆଇନ ବିଭାଗରେ ଚୁକ୍ତିଭିତ୍ତିକ ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ । ଆଇନରେ ପିଏଚଡି ସହିତ ପଞ୍ଜାବୀ, ସାମ୍ବାଦିକ ଏବଂ ରାଜନୀତିକ ବିଜ୍ଞାନ ସହିତ ଚାରୋଟି ବିଷୟ ଉପରେ ସେ ମାଷ୍ଟର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ଆଶ୍ଚର୍ଯ୍ୟର କଥା ହେଲା ଯେ ପ୍ରଫେସର ସନ୍ଦୀପ ସିଂ ବର୍ତ୍ତମାନ ପଟିଆଲା ରାସ୍ତାରେ ପନିପରିବା ବିକ୍ରି କରୁଥିବାର ଦେଖିବାକୁ ମିଳିଛି ।
ଦରମା କାଟିବା ଏବଂ ଅନିୟମିତତା ଭଳି ସମସ୍ୟା ହେବାରୁ ସନ୍ଦୀପ ସିଂ ପ୍ରଫେସର ଚାକିରୀରୁ ଇସ୍ତଫା ଦେଇଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ, ସେ ପଟିଆଲା ବିଶ୍ୱବିଦ୍ୟାଳୟର ପଟିଆଲାରେ ୧୧ ବର୍ଷ ଧରି ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ, କିନ୍ତୁ ଏତେ ବର୍ଷର କଠିନ ପରିଶ୍ରମ ପରେ ମଧ୍ୟ ସରକାର ତାଙ୍କୁ ନିୟମିତ କରି ନ ଥିଲେ ।
ସନ୍ଦୀପ ସିଂ ଏହା ମଧ୍ୟ କହିଛନ୍ତି କି । ସେ ଏବେବି ପ୍ରଫେସର ଭାବରେ କାମ କରିବା ପାଇଁ ଚାହୁଁଛନ୍ତି । ହେଲେ ତାଙ୍କ ପରିସ୍ଥିତି ଏହାକୁ ଅନୁମତି ଦେଉନାହିଁ । ସେ ବର୍ତ୍ତମାନ ବି.ଲିବ ଅଧ୍ୟୟନ କରୁଛନ୍ତି ଏବଂ କହିଛନ୍ତି ଯେ ସେ ତାଙ୍କ ଜୀବନସାରା ଅଧ୍ୟୟନ ଜାରି ରଖିବେ ।
ସନ୍ଦୀପ ସିଂ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ, ସେ ବର୍ତ୍ତମାନ ପ୍ରଫେସର ଭାବରେ କାମ କରିବା ଅପେକ୍ଷା ପନିପରିବା ବିକ୍ରି କରି ଅଧୀକ ଟଙ୍କା ରୋଜଗାର କରୁଛନ୍ତି । ସେ ଦିନସାରା କାମ କରିବା ପରେ ଘରକୁ ଫେରି ସେ ଆଗାମୀ ପରିକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତି । ସେ ପ୍ରତିଦିନ ନିଜର ଠେଲା ଗାଡି ଲୋକମାନଙ୍କ ଘର ସାମ୍ନାକୁ ନେଇ ପନିପରିବା ବିକ୍ରି କରନ୍ତି ଏବଂ ତାଙ୍କର ସେହି ଛୋଟ ଠେଲା ଗାଡିରେ ପିଏଚଡି ବାଲାର ଏକ ପୋଷ୍ଟର ମଧ୍ୟ ଲାଗିଛି ।
ସନ୍ଦୀପ ସିଂ ପ୍ରଫେସର ଚାକିରୀ ଛାଡିଦେଇଥିଲେ ମଧ୍ୟ ସେ ଶିକ୍ଷାଦାନ ପ୍ରତି ନିଜର ଆଗ୍ରହକୁ ଛାଡି ନାହାନ୍ତି । ସେ ଚାକିରୀ ଛାଡିବା ପରେ ପନିପରିବା ବିକ୍ରି କରିବା ଆରମ୍ଭ କଲେ, ଯାହାଫଳରେ ସେ ଟଙ୍କା ସଂଚୟ କରିପାରିବେ ଏବଂ ଦିନେ ନିଜର ଶିକ୍ଷାଦାନ କେନ୍ଦ୍ର ଖୋଲିବେ ବୋଲି ଆଶା ରଖିଛନ୍ତି ।