ଅନଲକର ସଙ୍କେତ ଦେଲେ ସରକାର : କମ ସଂକ୍ରମଣ ହାର ଥିବା ଜିଲ୍ଲାରେ ତାଲାବନ୍ଦ ଖୋଲିବାକୁ କରୁଛନ୍ତି ବିଚାର

4,933

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହର କମୁଥିବାବେଳେ ଅନଲକର ସଙ୍କେତ ଦେଇଛନ୍ତି ରାଜ୍ୟ ସରକାର । ଭିଡିଓ କନଫରେନ୍ସିଂରେ କୋଭିଡ ସ୍ଥିତି ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁ ଜିଲ୍ଲାଗୁଡିକରେ ସଂକ୍ରମଣ ହାର କମୁଛି ସେଠାରେ ପର୍ଯ୍ୟାୟକ୍ରମେ ଅନଲକ ପ୍ରକ୍ରିୟା ଆରମ୍ଭ କରିବା ବିଷୟ ସରକାରଙ୍କ ବିଚାରଧୀନ ରହିଛି । ବର୍ତମାନ ୧୨ଟି ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଛି । ବିଶେଷକରି ପଶ୍ଚିମ ଜିଲ୍ଲାଗୁଡିକରେ ପଜିଟିଭ ହାର କମିଛି । ତେଣୁ ପଜିଟିଭ ହାର କମିବା ଜିଲ୍ଲାଗୁଡିକରେ କଟକଣାକୁ କିଛି କୋହଳ କରାଯାଇପାରେ ।

ମୁଖ୍ୟମନ୍ତ୍ରୀ ଅଧିକ ସଂକ୍ରମଣ ହାର ଥିବା ରାୟଗଡା, ଯାଜପୁର, ପୁରୀ , ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ତଥା ଭୁବନେଶ୍ୱର ଓ କଟକ ମୁନିସପାଲ କମିଶନରଙ୍କ ସହିତ ସ୍ଥାନୀୟ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ । ରାଜ୍ୟରେ କୋଭିଡ ସଂକ୍ରମଣରେ ଉନ୍ନତି ପରିଲକ୍ଷିତ ହେବା ସହ ପଜିଟିଭି ରେଟ କମିଥିବାରୁ ମୁଖ୍ୟମନ୍ତ୍ରୀ ଆଶ୍ୱସ୍ତି ପ୍ରକାଶ କରିଥିଲେ ଓ ଆଗାମୀ କିଛି ସପ୍ତାହ ମଧ୍ୟରେ ପରିସ୍ଥିତିରେ ଆହୁରି ଉନ୍ନତି ଆସିବ ବୋଲି ଆଶାପ୍ରକାଶ କରିଥିଲେ । ତଥାପି କେତେ ଜିଲ୍ଲାରେ ପଜିଟିଭି ରେଟ୍ ଅଧିକ ଥିବାରୁ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ ।

Comments are closed.