କନକ ବ୍ୟୁରୋ : ୧୯ ଯୁଦ୍ଧର ପଞ୍ଚମ ଅଧ୍ୟାୟ ପାଇଁ ରାତି ପାହିଲେ ପଡିବ ଭୋଟ୍ । ଦେଶରେ ଆସନ୍ତାକାଲି ପଞ୍ଚମ ନିର୍ବାଚନ ପାଇଁ ମତଗ୍ରହଣ ହେବ । ହେଭିୱେଟ୍ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ଆସନ୍ତାକାଲି ୭ଟି ରାଜ୍ୟରେ ୫୧ଟି ଲୋକସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ଏହି ଆସନ ଗୁଡିକ ମଧ୍ୟରେ ଉତ୍ତରପ୍ରଦେଶର ୧୪ଟି, ବିହାରର ୫ଟି, ରାଜସ୍ଥାନର ୧୨ଟି, ଜାମ୍ମୁକାଶ୍ମୀରର ୨ଟି, ମଧ୍ୟପ୍ରଦେଶର ୭ଟି, ପଶ୍ଚିମବଙ୍ଗର ୭ଟି, ଝାରଖଣ୍ଡର ୪ଟି ଆସନ ରହିଛି ।

Advertisment

ତେବେ ସବୁଠାରୁ ବଡ କଥା ହେଉଛି, ଆସନ୍ତାକାଲି ଯେଉଁ ସବୁ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବାକୁ ଯାଉଛି, ସେହି ଆସନ ଗୁଡିକରେ ୨୦୧୪ ନିର୍ବାଚନରେ ବିଜେପି ଖାତାକୁ ଯାଇଥିଲା ଅଧିକ ଆସନ । ଏଥର ମଧ୍ୟ ବିଜେପି ଅଧିକ ସିଟ୍ ଅକ୍ତିଆର କରିବା ପାଇଁ ଜୋରଦାର ପ୍ରୟାସ କରିଥିବା ବେଳେ କଂଗ୍ରେସ ମଧ୍ୟ ବଡ କସରତ କରିଛି । ଗତ ଥର ଆମେଠି ଏବଂ ରାୟବରେଲିରେ କଂଗ୍ରେସ ବଡ ବିଜୟ ହାସଲ କରିଥିଲା । ଆମେଠିରୁ ରାହୁଲ ଗାନ୍ଧି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ୧ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଥିଲେ । ସେହିପରି ସୋନିଆ ଗାନ୍ଧି ମଧ୍ୟ ରାୟବରେଲିରୁ ବିପୁଳ ଭୋଟ୍ ପାଇ ବିଜୟ ହୋଇଥିଲେ । ୧୯ ନିର୍ବାଚନରେ ଏହି ଦୁଇଟି ଆସନରେ ମଧ୍ୟ ଆସନ୍ତାକାଲି ମତଦାନ ହେବାକୁ ଯାଉଛି ।

୧୯ ଯୁଦ୍ଧରେ ଆସନ୍ତାକାଲି ଅନେକ ହେଭିୱେଟ୍ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ଗତ ୫ ବର୍ଷରେ ମୋଦି ସରକାରଙ୍କ ବିକାଶକୁ ଚଳିତ ନିର୍ବାଚନରେ ବିଜେପି ମୁଦ୍ଦା କରିଥିବା ବେଳେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ବିଜେପିର ବିଫଳତାକୁ ନେଇ ଏଥର ମଇଦାନକୁ ଓହ୍ଲାଇଛି କଂଗ୍ରେସ । ବିଶେଷ କରି ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ କଂଗ୍ରେସର ବଡ ବିଜୟ ବିଜେପି ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ପାକିସ୍ତାନ ବିପକ୍ଷରେ ଭାରତୀୟ ବାୟୁସେନାର ଏୟାରଷ୍ଟ୍ରାଇକ୍ ବିଜେପିକୁ ଆଉ ଏକ ନୂଆ ରାସ୍ତା ଦେଖାଇଛି ବୋଲି ଚର୍ଚ୍ଚା ହେଉଛି । ତେବେ ରାଜନୀତିରେ ଏହି କସରତ କେଉଁ ଦଳକୁ କେତେ ସଫଳତା ଦେଉଛି ତାହା ସମୟ ହିଁ କହିବ ।