ଏଣିକି ଫାର୍ମାସିଷ୍ଟ ଦେଖିପାରିବେ ରୋଗୀ : ଡାକ୍ତରଙ୍କ ଅନୁପସ୍ଥିତିରେ ଦେଇପାରିବେ ଔଷଧ

 ଅନୁମତି ଦେଲେ ରାଜ୍ୟ ସରକାର; ଜ୍ୱର, ମ୍ୟାଲେରିଆ, ଚର୍ମରୋଗ, ଡାଇରିଆ ପାଇଁ ଦେଇପାରିବେ ମେଡିସିନ୍, ତାଲିକା ଜାରି

509

କନକ ବ୍ୟୁରୋ : ଏଣିକି ଫାର୍ମାସିଷ୍ଟ ଦେଖିପାରିବେ ରୋଗୀ । ଡାକ୍ତରଙ୍କ ଅନୁପସ୍ଥିତିରେ ଦେଇପାରିବେ ଔଷଧ । ରାଜ୍ୟର ଯେଉଁ ସରକାରୀ ହସ୍ପିଟାଲରେ ଡାକ୍ତର ନାହାନ୍ତି, ସେଠାରେ ବୁଝାସୁଝା କରୁଥିବା ଫାର୍ମାସିଷ୍ଟ ରୋଗୀର ଚିକିତ୍ସା କରିପାରିବେ । ଏନେଇ ସରକାର ବିଧିବଦ୍ଧ ଅନୁମତି ଦେଇଛନ୍ତି । ଏଥିପାଇଁ ସେମାନେ କେଉଁ ରୋଗ ପାଇଁ କେଉଁ ଔଷଧ ଦେବେ ତାହାର ତାଲିକା ଜାରି କରାଯାଇଛି । ଲକ୍ଷଣ ଯୁକ୍ତ ଜ୍ୱର ପାଇଁ ପାରାସିଟାମଲ, ଆଜିଥ୍ରୋମାସିନ୍, ସେଫିକ୍ୱଜାଇମ୍, ଆମୋକ୍ସିସିଲିନ୍ ମେଡିସିନ୍ ଦେଇପାରିବେ । ସେହିପରି ମ୍ୟାଲେରିଆ, ଚର୍ମରୋଗ, ଡାଇରିଆ ଓ ଅନ୍ୟ ରୋଗ ପାଇଁ ମଧ୍ୟ ଔଷଧ ତାଲିକା ଜାରି ହୋଇଛି । ଏହି ତାଲିକା ଅନୁସାରେ ଫାର୍ମାସିଷ୍ଟମାନେ ରୋଗୀଙ୍କୁ ଔଷଧ ଦେଇପାରିବେ ।

ବହୁ ପୂର୍ବରୁ ପଞ୍ଚାବ୍ୟାଧି ଚିକିତ୍ସାରେ ଫାର୍ମାସିଷ୍ଟମାନଙ୍କୁ ଟ୍ରେନିଂ ଦିଆଯାଇଥିଲା । ଯେଉଁଠି ଡାକ୍ତର ନଥିଲା, ସେଠାରେ ଔଷଧ ସୁପାରିଶ କରିବା ପାଇଁ ଫାର୍ମାସିଷ୍ଟମାନଙ୍କୁ କୁହାଯାଇଥିଲା । ସେତେବେଳେ ଗୋଟିଏ ରୋଗ ପାଇଁ ଦୁଇଟି ଔଷଧ ଥିଲା, ଏବେ ତିନୋଟି ଔଷଧ ଆସିଛି । ଡ୍ରଗ କଣ୍ଟ୍ରୋଲରଙ୍କ ପରାମର୍ଶ ନେଇ ଏହି ସଂଖ୍ୟା ବଢ଼ାଗଲା । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିସାରିଛି ଯେ କରୋନା ଖସୁଛି । ଯାହା ସମସ୍ତଙ୍କ ପାଇଁ ଭଲ ଖବର। ହେଲେ ସଚେତନ ରହିବାକୁ ଏବେ ବି ଆହ୍ୱାନ ରହିଛି । ଲହରୀ କେଉଁଠି କଣ ଆସିଲା, ତାହାର କିଛି ଅର୍ଥ ନାହିଁ । ଆମ ରାଜ୍ୟର ସ୍ଥିତି ଦେଖି ତୃତୀୟ ଲହରୀ କଥା ସମୀକ୍ଷା କରିବା । ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର  ।