କନକ ବ୍ୟୁରୋ: ରାଜ୍ୟର ଶିକ୍ଷା ବ୍ୟବସ୍ଥା ପଛରେ ପଡିଥିବା ନେଇ ରାଜନୀତି ଜୋର ଧରିଥିବାବେଳେ ସାମ୍ନାକୁ ଆସିଛି ପିଜିଆଇ ରିପୋର୍ଟ । ଏହି ରିପୋର୍ଟ ଆଧାରରେ ଡିଜିଟାଲ ଶିକ୍ଷାରେ ଓଡିଶା ବହୁ ପଛରେ ଥିବା ଦେଖିବାକୁ ମିଳିଛି । ୨୦୨୦-୨୧ ଶିକ୍ଷାବର୍ଷରେ ଓଡିଶା ଏହି ସୂଚକାଙ୍କ ରିପୋର୍ଟରେ ୧୦ ନମ୍ବର ସ୍ଥାନରେ ଥିବାବେଳେ ୨୦୨୧-୨୨ ରିପୋର୍ଟରେ ଏହା ୧୪ ନମ୍ବରୁ ଖସିଛି । ଏହାକୁ ନେଇ ଶାସକ-ବିରୋଧୀ ହୋଇଛନ୍ତି ମୁହାଁମୁହିଁ । ସେପଟେ କାହିଁକି ଡିଜିଟାଲ ଶିକ୍ଷାରେ ପଛରେ ପଡିଛି ଓଡିଶା ଏହାକୁ ନେଇ ଏକ ସର୍ବଦଳୀୟ ବୈଠକ କରିଛି ଓଡ଼ିଶା ଅଭିଭାବକ ମହାସଂଘ ।

Advertisment

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ପ୍ରକାଶିତ ପ୍ରଦର୍ଶନ ସୂଚକାଙ୍କ ବା ପିଜିଆଇ ରେ ଓଡିଶା ୧୪ଟି ସ୍ଥାନ ତଳକୁ ଖସିଥିଲା  ।  ଏବେ ୨୦୨୦-୨୧ ଏବଂ ୨୦୨୧-୨୨ ଶିକ୍ଷାବର୍ଷର ପିଜିଆଇ- ଡିଜିଟାଲ ରିପୋର୍ଟ ପ୍ରକାଶ ପାଇଛି  ।

୨୫ଟି ଜିଲ୍ଲାର ପ୍ରଦର୍ଶନ ଅତି ଦୟନୀୟ ରହିଥିବା ରିପୋର୍ଟରେ ଦର୍ଶାଯାଇଛି  । 

୫୦ ମାର୍କରୁ ଓଡିଶାର ମାତ୍ର ୧୧ଟି ଜିଲ୍ଲା ଦୁଇ ଅଙ୍କ ଛୁଇଁବାରେ ସକ୍ଷମ ହୋଇଛନ୍ତି । 

ଖୋର୍ଦ୍ଧା ୧୫, କଟକ ୧୫, ନୟାଗଡ଼ ୧୪, ଭଦ୍ରକ ୧୩, ଯାଜପୁର ୧୪, ସୁନ୍ଦରଗଡ଼ ୧୫

ସମ୍ବଲପୁର ୧୦, ବରଗଡ଼ ୧୨, ଝାରସୁଗୁଡ଼ା ୧୧, କେନ୍ଦ୍ରାପଡ଼ା ୧୩, ଗଞ୍ଜାମ ୧୪ 

ମାର୍କ ରଖି ପାରିଛନ୍ତି । 

ଅନ୍ୟ ୧୯ଟି ଜିଲ୍ଲା ବହୁ ପଛରେ ପଡ଼ିଛନ୍ତି । 

ପରଫର୍ମାନ୍ସ ଗ୍ରେଡିଂ ଇନଡେକ୍ସ ରିପୋର୍ଟ ଆସିବା ପରେ କେନ୍ଦ୍ରକୁ ଟାର୍ଗେଟ କରିଥିଲା ବିଜେଡି  । ବିଜେଡି ସାଂସଦ ସସ୍ମିତ ପାତ୍ର ଓଡିଶାର ଶିକ୍ଷାନୁଷ୍ଠାନ ମୂଲ୍ୟାୟନରେ ରାଜନୀତି ହେଉଥିବା ଅଭିଯୋଗ ଆଣିଥିଲେ  । ଓଡିଶାକୁ ବଦନାମ ପାଇଁ କେନ୍ଦ୍ର ପ୍ରୟାସ କରୁଥିବା ପ୍ରତିକ୍ରିୟା ରଖିଥିଲେ ସାଂସଦ । ସାମ୍ବାଦିକ ସମ୍ମ୍ିଳନୀରେ ପାଲଟା ଜବାବ ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର  । କେନ୍ଦ୍ର ଓ ରାଜ୍ୟ ମିଶି ଏହି ରିପୋର୍ଟ ପ୍ରସ୍ତୁତ କରନ୍ତି ।  ରାଜ୍ୟ ସରକାର ଚାହିଁଲେ ରିପୋର୍ଟ ଦେଖିପାରିବେ ବୋଲି କହିଛନ୍ତି ଲେଖାଶ୍ରୀ  ।

ଓଡ଼ିଶାରେ ସ୍କୁଲ ଶିକ୍ଷାର ମାନ ହ୍ରାସ ହୋଇଥିବା ନେଇ ପିଜିଆଇ ରିପୋର୍ଟ ପ୍ରକାଶ ପରେ ସର୍ବଦଳୀୟ ବୈଠକ ଡାକିଥିଲା ଓଡ଼ିଶା ଅଭିଭାବକ ମହାସଂଘ । ଏଥିରେ ବିଜେଡି ସାମିଲ ହୋଇନଥିବା ବେଳେ ବିଜେପି, କଂଗ୍ରେସ, ସିପିଆଇଏମ୍, ସାମାଜିକ କର୍ମୀ ଓ ଶିକ୍ଷାବିତ୍ ଯୋଗ ଦେଇଥିଲେ । ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି ।