କନକ ବ୍ୟୁରୋ : ଲକ୍ଷସ୍ଥଳରେ ପହଂଚିବାକୁ କିଏ କହେ ଅର୍ଥ ବାଧକ, କିଏ କହେ ଶରୀର ବାଧକ ତ କିଏ କହେ ବୟସ ବାଧକ । ହେଲେ ବାସ୍ତବରେ ନିଷ୍ଠା ହିଁ ଆପଣଙ୍କୁ ଲକ୍ଷ ସ୍ଥଳରେ ପହଂଚାଇବାର ଏକ ମାତ୍ର ମାର୍ଗ । ଆପଣ ଆପଣଙ୍କ କର୍ମକୁ ଯେତେ ନିଷ୍ଠାର ସହ କରିପାରିବେ ସେତେ ଶିଘ୍ର ଆପଣ ଆପଣଙ୍କ ଲକ୍ଷ୍ୟସ୍ଥଳରେ ପହଂଚିପାରିବେ । ଯାହାର ଉଦାହରଣ ଦେଖିବାକୁ ମିଳିଛି ହାଇଦ୍ରାବାଦର ୧୪ ବର୍ଷିୟ ବାଳକ ଅଗସ୍ତ୍ୟଙ୍କ କ୍ଷେତ୍ରରେ ।
ହାଇଦ୍ରାବାଦର ୧୪ ବର୍ଷ ବୟସ୍କ ଅଗସ୍ତ୍ୟ ଜୈସୱାଲ ଯେ କି ଭାରତର ପ୍ରଥମ ଛାତ୍ର ଭାବେ ୧୪ ବର୍ଷ ବୟସରେ ସ୍ନାତକ ଡିଗ୍ରୀ ହାସଲ କରି ଉଦାହରଣ ସୃଷ୍ଟି କରିଛନ୍ତି । ଅଗସ୍ତ୍ୟ ଓସମାନିଆ ବିଶ୍ୱ ବିଦ୍ୟାଳୟରୁ ସାମ୍ବାଦିକତା ଓ ଗଣ ଯୋଗାଯୋଗ କ୍ଷେତ୍ରରେ ସ୍ନାତକ ହାସଲ କରିଛନ୍ତି । ଏହସହ ସେ ଜଣେ ଜାତୀୟ ସ୍ତରର ଟେବୁଲ ଟେନିସ୍ ଖେଳାଳି ଭାବେ ବି ବେସ୍ ପରିଚିତ । ଏତିକିରେ ସରି ନାହିଁ ଅଗସ୍ତ୍ୟଙ୍କ କୃତିତ୍ତ୍ୱ । ସେ ନିଜର ଦୁଇହାତ ମାଧ୍ୟମରେ ଏକା ସଂଗରେ ଚିତ୍ର ଆଙ୍କିପାରନ୍ତି ।
ଆପଣମାନଙ୍କ ଭାଷାରେ ଅଗସ୍ତ୍ୟ ଜଣେ ସ୍ୱତନ୍ତ୍ର ବାଳକ । କେବଳ ପାଠ ପଢା ନୁହେଁ, ବିଭିନ୍ନ କଳାରେ ତାଙ୍କର ପାରଦର୍ଶିତା ବାବଦରେ ଜାଣିଲେ ଆପଣ ଚକିତ ହୋଇଯିବେ । ସେ ଜଣେ ଗାୟକ ଓ ପିଆନୋ ବାଦକ ମଧ୍ୟ । ଏହା ସହ ସେ ଜଣେ ଆନ୍ତର୍ଜାତୀୟ ମୋଟିଭେସନାଲ ବକ୍ତା ଭାବେ ପରିଚିତ । ଏନେଇ ତାଙ୍କ ବାପା ମା କହିଛନ୍ତି କି ପ୍ରତ୍ୟେକ ପିଲା ମଧ୍ୟରେ କିଛି ନା କିଛି ବିଶେଷ ଗୁଣ ରହିଛି । ଯଦି ସମସ୍ତଙ୍କ ପିତା ମାତା ତାହାକୁ ଅନୁଧ୍ୟାନ କରି ତାହା ଉପରେ ଫୋକସ୍ କରିବେ ତେବେ ସେମାନଙ୍କ ପିଲା ମଧ୍ୟ କୌଣସି ନା କୌଣସି କ୍ଷେତ୍ରରେ ଇତିହାସ ସୃଷ୍ଟି କରିବ ।
ଏତିକିରେ ସରିନାହିଁ ଅଗସ୍ତ୍ୟଙ୍କ ସଫଳତା । ସେ ତେଲେଙ୍ଗାନାର ପ୍ରଥମ ଛାତ୍ର ଭାବେ ୯ ବର୍ଷ ବୟସରେ ୭.୫ ଜିପିଏ ସହ ଦଶମ ପାସ୍ କରିଥିଲେ । ୧୧ ବର୍ଷ ବୟସରେ ତେଲେଙ୍ଗାନାର ପ୍ରଥମ ଛାତ୍ର ଭାବେ ୬୩ ପ୍ରତିଶତ ନମ୍ବର ରଖି ଯୁକ୍ତ ୨ ପାସ୍ କରିଥିଲେ ।
ଏ ନେଇ ଅଗସ୍ତ୍ୟ କହିଛନ୍ତି କି ଯେ ସେ ଡାକ୍ତର ହେବାକୁ ଇଚ୍ଛା ରଖିଛନ୍ତି । ସେ ଆହୁରି କହିଛନ୍ତି କି ମୋତେ ପ୍ରଶ୍ନ କରିବାକୁ ଭଲ ଲାଗେ । କୌଣସି ଗୋଟିଏ କଥାକୁ ଶତ ପ୍ରତିଶତ ନବୁଝିବା ଯାଏ ନା ଶିକ୍ଷକ ନା ଅଭିଭାବକ କାହାରିକୁ ମୁଁ ପ୍ରଶ୍ନ ପଚାରିବା ବନ୍ଦ କରେ ନାହିଁ ।