UG ଓ PGର ସମସ୍ତ ପରୀକ୍ଷାକୁ ବାତିଲ କଲେ ସରକାର । ପରୀକ୍ଷା ହେବନି, ହେଲେ ଫଳ ଆସିବ । ଅଧିକ ମାର୍କ ଆଶାୟୀ ଛାତ୍ରଛାତ୍ରୀ ଆଉ ଥରେ ଦେଇପାରିବେ ପରୀକ୍ଷା ।

2,432

କନକ ବ୍ୟୁରୋ : ପରୀକ୍ଷା ହେବନି ଫଳ ଆସିବ । ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏସନର ସମସ୍ତ ପରୀକ୍ଷାକୁ ବାତିଲ କରିଛନ୍ତି ସରକାର । କରୋନା ସ୍ଥିତିକୁ ନଜରରେ ରଖି ଉଚ୍ଚ ଶିକ୍ଷା ବିଭାଗ ଏହି ନିଷ୍ପତି ନେଇଛି । ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡିକ ୟୁଜିସି ପ୍ରସ୍ତାବ ଅନୁସାରେ ବିକଳ୍ପ ମୂଲ୍ୟାୟନ କରି ଫଳାଫଳ ପ୍ରକାଶ କରିବେ ।

ଅଗଷ୍ଟ ମାସ ଶେଷ ସୁଦ୍ଧା ବିକଳ୍ପ ମୂଲ୍ୟାୟନ ଜରିଆରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ । ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏସନର ଶେଷ ବର୍ଷ କିମ୍ବା ଶେଷ ସେମିଷ୍ଟାର ଥିବା ଛାତ୍ରଛାତ୍ରୀଙ୍କୁ ବିକଳ୍ପ ମୂଲ୍ୟାୟନ ଦ୍ୱାରା ନମ୍ବର ଦିଆଯିବ । ସେହିଭଳି ଶେଷ ସେମିଷ୍ଟାର କିମ୍ବା ଶେଷ ବର୍ଷର ଯେଉଁ ଛାତ୍ରଛାତ୍ରୀଙ୍କର ଗୋଟିଏ କିମ୍ବା ୨ଟି ବ୍ୟାକ୍ ପେପର ଥିବ ତାଙ୍କର ପେପର ବାତିଲ କରାଯିବ । Proportionate Quotient ବା ଅନ୍ୟ କୌଣସି ପ୍ରଣାଳୀରେ ବ୍ୟାକ୍ ପେପରର ମୂଲ୍ୟାୟନ କରାଯିବ ।

ଏହାଛଡା ଯେଉଁ ଛାତ୍ରଛାତ୍ରୀ ମାନଙ୍କର ଦୁଇଟିରୁ ଅଧିକ ପେପରରେ ବ୍ୟାକ୍ ଥିବ ସେମାନେ ପରୀକ୍ଷା ଦେବେ । ବିଶ୍ୱବିଦ୍ୟାଳୟ ଓ ସ୍ୱୟଂସାଶିତ ମହାବିଦ୍ୟାଳୟ ଗୁଡିକ କରୋନା ସ୍ଥିତିକୁ ଦେଖି ପରୀକ୍ଷାର କାର୍ଯ୍ୟସୂଚୀ ଧାର୍ଯ୍ୟ କରିବେ । ତେବେ ଯେଉଁମାନେ ଅଧିକ ନମ୍ବର ପାଇବାକୁ ଆଶାୟୀ ଥିବେ ସେମାନେ ନଭେମ୍ବର ମାସରେ ଯଥାରୀତିରେ ପରୀକ୍ଷା ଦେଇପାରିବେ । ଏମାନଙ୍କର ପରିବର୍ତିତ ପରୀକ୍ଷା ଫଳ ଡିସେମ୍ବର ମାସରେ ପ୍ରକାଶ ପାଇବ ।