ବଦଳିଲା ନ୍ୟାସନାଲ ପେନସନ୍ ସିଷ୍ଟମ ନିୟମ । ଫେବୃଆରୀ ପହିଲାରୁ ହେବ ଲାଗୁ

9,092

କନକ ବ୍ୟୁରୋ: ପେନସନ୍ ଫଣ୍ଡ ନିୟାମକ ଓ ବିକାଶ ପ୍ରାଧୀକରଣ ତରଫରୁ ନ୍ୟାସନାଲ ପେନସନ ସିଷ୍ଟମ ନିୟମର ବଡ ପରିବର୍ତ୍ତନ କରାଯାଇଛି । ଏନପିଏସରୁ ଟଙ୍କା ଉଠାଣ ନେଇ ଜାରି ହୋଇଥିବା ନୂଆ ନିୟମ ଫେବୃଆରୀ ପହିଲାରୁ ଲାଗୁ କରାଯିବ । ପିଏଫଆରଡିଏ ମୁତାବକ ଏନପିଏସର ନୂଆ ନିୟମ କ୍ରମରେ ଜମା ଖାତାରୁ ଏକ କାଳୀନ ସର୍ବାଧିକ ୨୫ ପ୍ରତିଶତ ଅର୍ଥ ଉଠାଣ କରିହେବ । ଏହି ଅର୍ଥ ନିଯୁକ୍ତିଦାତା ଓ କର୍ମଚାରୀ ଉଭୟଙ୍କ ଟଙ୍କାରୁ ଉଠାଣ କରିହେବ ।

ଏନପିଏସ ଖାତା ଧାରକମାନେ ତାଙ୍କ ନିବେଶ ସମୟ ମଧ୍ୟରେ କେବଳ ୩ଥର ଆଂଶିକ ଭାବେ ଉଠାଣ କରିପାରିବେ । ଯଦି ଆଂଶିକ ଉଠାଣ କରୁଛନ୍ତି ତେବେ ସର୍ବନିମ୍ନ ୩ ବର୍ଷ ନିବେଶ କରିବା ପରେ ଏହା କରିପାରିବେ । ଏହାର ଅର୍ଥ ୨୫ ପ୍ରତିଶତ ଅର୍ଥ ନିବେଶ ଆରମ୍ଭ କରିବାର ୩ବର୍ଷ ପରେ କୌଣସି ବି ସମୟରେ ଉଠାଇ ପାରିବେ । ଏହା କେବଳ ପିଲାଙ୍କ ଶିକ୍ଷା, ବାହାଘର, ଘର ନିର୍ମାଣ କିମ୍ବା ଚିକିତ୍ସା ଭଳି କାର୍ଯ୍ୟ ପାଇଁ ଉଠାଇପାରିବେ । ଏହାସହ ଆପଣ ଜମା କରିବା ଅବଧି ଶେଷ ହେବା ଯାଏଁ ମାତ୍ର ୩ ଥର ଆଂଶିକ ଉଠାଣ କରିପାରିବେ ।

ପିଏଫଆରଡିଏ ମୁତାବକ ଜଣେ ନିବେଶକ ୬୦ ବର୍ଷ ବୟସ ପରେ ଏନପିଏସର ସମ୍ପୂର୍ଣ୍ଣ ପରିପକ୍ୱ ରାଶିରୁ ଏକକାଳୀନ ୬୦ ପ୍ରତିଶତ ଅର୍ଥ ଉଠାଣ କରିପାରିବେ । ଏହା ଟ୍ୟାକ୍ସ ଫ୍ରି ହେବ । ବାକି ୪୦ ପ୍ରତିଶତ ପରିପକ୍ୱ ରାଶି ଆନ୍ୟୁଟି ପ୍ଲାନରେ ନିବେଶ କରିବାକୁ ପଡିବ । ଏଥିରୁ ନିବେଶକାରୀଙ୍କୁ ମାସିକ ପେନସନ୍ ମିଳିବ । ଆନ୍ୟୁଟିରେ ନିବେଶ କରାଯାଉଥିବା ରାଶି ସମ୍ପୂର୍ଣ୍ଣ ଟ୍ୟାକ୍ସ ଫ୍ରି, ବାକି ଆନ୍ୟୁଟିରୁ ମିଳୁଥିବା ରାଶି ଉପରେ କୌଣସି କର ଛାଡ ହେବ ନାହିଁ ।