ଭାରତରେ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଲା ଫାଇଜର କମ୍ପାନୀ : ଡିସିଜିଆଇକୁ କଲା ଆବେଦନ

ବ୍ରିଟେନ ଓ ବାହାରିନରେ ବ୍ୟବହାର ପାଇଁ ମିଳିସାରିଛି ଅନୁମତି

102

କନକ ବ୍ୟୁରୋ: ଭାରତରେ କରୋନା ଭୂତାଣୁ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମାଗିଲା ଫାଇଜର । ଏନେଇ ଡିସିଜିଆଇ ବା ଡ୍ରଗ୍ସ କଂଟ୍ରୋଲର ଅଫ ଇଣ୍ଡିଆକୁ ଡିସେମ୍ବର ୪ତାରିଖରେ ଆବେଦନ କରି ଅନୁମତି ଲୋଡିଛି ଫାଇଜର । ପୂର୍ବରୁ ଇଂଲଣ୍ଡ ଓ ବାହାରିନରେ ଟିକା ବ୍ୟବହାର ପାଇଁ ଅନୁମତି ମିଳିସାରିଛି । ଟିକା ଆମଦାନୀ କରି ଦେଶରେ ବଂଟନ କରିବା ପାଇଁ ଡିସେମ୍ବର ୪ତାରିଖରେ ଦାଖଲ ହୋଇଥିବା ଏହି ଆବେଦନରେ ଫାଇଜର ଇଣ୍ଡିଆ ଏହି ଅନୁମତି ମାଗିଛି ।

ଏହାସହ ୨୦୧୯ ନୂଆ ଡ୍ରଗ ଓ କ୍ଲିନିକାଲ ଟ୍ରାଏଲ୍ସ ନିୟମରେ ଥିବା ସ୍ୱତନ୍ତ୍ର ବ୍ୟବସ୍ଥା ଅନୁଯାୟୀ ଭାରତବାସୀଙ୍କ ଉପରେ ଏହି ଟିକାର ନୈଦାନିକ ପରୀକ୍ଷଣ ଛାଡ କରିବାକୁ ମଧ୍ୟ ଫାଇଜର ଅନୁମତି ଲୋଡିଛି । କୌଣସି ଟିକା ଭାରତରେ ବ୍ୟବହାର ପାଇଁ ଅନୁମୋଦନ ପାଇବା ପୂର୍ବରୁ ନୈଦାନିକ ପରୀକ୍ଷଣ ଶେଷ କରାଯିବା ଆବଶ୍ୟକ ବୋଲି ପୂର୍ବରୁ କୁହାଯାଇଥିଲା । ତେବେ କୌଣସି ଟିକାର ସ୍ଥାନୀୟ ପରୀକ୍ଷଣ ଛାଡ କରିବା ନିମନ୍ତେ ଡିସିଜିଆଇର କ୍ଷମତା ରହିଛି । ଫାଇଜର ଦ୍ୱାରା ନିର୍ମିତ ଏହି ଟିକାକୁ ଗତ ବୁଦବାର ଦିନ ପ୍ରଥମେ ଇଂଲଣ୍ଡରେ ଜରୁରୀକାଳିନ ବ୍ୟବହାର ଲାଗି ଅନୁମତି ମିଳିଥିଲା । ଏହି ଟିକା କରୋନା ଭୂତାଣୁ ବିରୋଧରେ ୯୦ପ୍ରତିଶତ ଫଳପ୍ରଦ ବୋଲି କୁହାଯାଉଛି ।