କନକ ବ୍ୟୁରୋ : ଶ୍ରୀଲଙ୍କା ଭଳି ଅବସ୍ଥା ଏବେ ପାକିସ୍ତାନର ହେବାକୁ ବସିଲାଣି । ଆର୍ଥିକ ସଂକଟ ଦେଇ ଗତି କରୁଛି ପାକିସ୍ତାନ । ଅନ୍ତରାଷ୍ଟ୍ରିୟ ମୁଦ୍ରାକୋଷ (ଆଇଏମଏଫ) ତରଫରୁ ରଖାଯାଇଥିବା ସର୍ତ୍ତ ଅନୁଯାୟୀ ପେଟ୍ରୋଲିୟମ୍ ପଦାର୍ଥଗୁଡିକ ଉପରେ ଦର ବୃଦ୍ଧି କରିଦିଆଯାଇଛି । ଦେଶରେ ଏହି ନିସ୍ପତ୍ତି ଲାଗୁ ହେବା ପରେ ଲିଟର ପିଛା ୧୪ ରୁ ୧୯ ଟଙ୍କା ପର୍ଯ୍ୟନ୍ତ ପେଟ୍ରୋଲିୟମ୍ ପଦାର୍ଥର ଦର ବୃଦ୍ଧି ପାଇଛି ।
ଏହି କାରଣରୁ ପେଟ୍ରୋଲର ଲିଟର ପିଛା ଦାମ୍ ୧୪.୮୫ ପଇସାକୁ ବୃଦ୍ଧି ହୋଇଛି । ବର୍ତ୍ତମାନ ପାକିସ୍ତାନରେ ପେଟ୍ରୋଲ ଲିଟର ପିଛା ଦାମ୍ ୨୪୮ ଟଙ୍କା ୭୪ ପଇସା ରହିଛି । କେବଳ ପେଟ୍ରୋଲ ନୁହେଁ କିରୋସିନ୍ ଲିଟର ପିଛା ୨୩୦ ଟଙ୍କା ୨୬ ପଇସାରେ ବିକ୍ରି ହେଉଛି । ପେଟ୍ରୋଲ ଡିଜେଲର ଦର ବଢିବା ସାଙ୍ଗକୁ ଅନ୍ୟାନ୍ୟ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଇଛି । ପୂର୍ବରୁ କରୋନା କାଳରେ ଅଟା, ଟମାଟୋ ଏବଂ କ୍ଷୀରର ଦର ଆକାଶ ଛୁଆଁ ହୋଇଥିଲା । ପରେ ସ୍ଥିତିରେ ଟିକିଏ ସୁଧାର ହୋଇଆସିଥିବା ବେଳେ ପୁଣି ଏବେ ପରିସ୍ଥିତି ବିଗିଡିବାରେ ଲାଗିଛି । ଗରିବ ଓ ମଧ୍ୟବିତ ପରିବାରର ଲୋକେ ଦୁଇ ଓଳି ଖାଇବା ପାଇଁ ଡହଳ ବିକଳ ହେଉଛନ୍ତି । ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶ୍ରୀଲଙ୍କାରେ ଯେଉଁଭଳି ପରିସ୍ଥିତି ଉପୁଜିଥିଲା ଠିକ୍ ସେହି ଭଳି ପରିସ୍ଥିତି ହେବାକୁ ଯାଉଛି ପାକିସ୍ତାନର । ଅନ୍ୟପଟେ ଦେଶର ଆର୍ଥିକ ସ୍ଥିତି ସୁଧାରିବାକୁ ସରକାର ଚେଷ୍ଟା ଚଲାଇଛନ୍ତି ।