କନକ ବ୍ୟୁରୋ: ଦେଶରେ ହୁହୁ ହୋଇ ବଢିଚାଲିଛି ଡିଜେଲ ପେଟ୍ରୋଲ ଦର । ସେଥିପାଇଁ ମଧ୍ୟ ବଢିଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀର ଦର । ଏହାକୁ ନେଇ ସାରା ଦେଶବାସୀଙ୍କ ମୁଣ୍ଡରେ ଚଡକ ପଡିଥିବାବେଳେ ଏହାକୁ ଅତି ହାଲକା ଭାବେ ଗ୍ରହଣ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ । ଦେଶରେ ତୈଳ ଦର ବୃଦ୍ଧିକୁ ସମର୍ଥନ କରି ପୁରୀ କହିଛନ୍ତି ଯେ, ପେଟ୍ରୋଲ ଡିଜେଲ ଟ୍ୟାକ୍ସରୁ ଯେଉଁ ଅର୍ଥ ମିଳୁଛି ତାକୁ ଦେଶର ଏକାଧିକ କଲ୍ୟାମୂଳକ ଯୋଜନାରେ ବ୍ୟବହାର କରାଯାଉଛି । ମିଳୁଥିବା ଟିକସ ଅର୍ଥ ମହାମାରୀ ସମୟରେ କୋଟି କୋଟି ଲୋକଙ୍କୁ ମାଗଣା କୋଭିଡ୍ ଟିକା, ଖାଦ୍ୟ ଓ ରନ୍ଧନ ଗ୍ୟାସ୍ ଯୋଗାଇବା ନିମନ୍ତେ ସରକାରୀ ଯୋଜନାକୁ ସହାୟକ ହେଉଛି।
ପୁରୀଙ୍କ କହିବା ଅନୁସାରେ, ମହାମାରୀ ସମୟରେ ଦେଶରେ ୧ କୋଟି ଡୋଜ୍ ଟିକାକରଣ ସମ୍ପୂର୍ଣ୍ଣ ହୋଇଛି। ବର୍ଷେ ପର୍ୟ୍ୟନ୍ତ ଦୈନିକ ୩ ବେଳା କରି ୯୦ କୋଟି ଜନତାଙ୍କୁ ଭୋଜନ ଦିଆଯାଇଛି। ଉଜ୍ଜ୍ୱଳା ଯୋଜନା ପ୍ରବର୍ତ୍ତନ କରାଯାଇ ୮ କୋଟି ଦରିଦ୍ର ଜନତାଙ୍କୁ ମାଗଣାରେ ରନ୍ଧନ ଗ୍ୟାସ୍ ଯୋଗାଇ ଦିଆଯାଉଛି। ଲିଟର୍ପିଛା ଇନ୍ଧନରୁ ପ୍ରାପ୍ତ ୧୨ ଟଙ୍କା ଟିକସରେ କେତେ ନା କେତେ ଜନକଲ୍ୟାଣ ଯୋଜନା ହୋଇ ପାରୁଛି। ଏହାସହ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଉଥିବାରୁ ଦେଶରେ ତୈଳ ଦର ବୃଦ୍ଧି ପାଉଥିବା କହିଛନ୍ତି ପୁରୀ । ତେବେ ଯୋଜନା ଗୁଡିକ ପାଇଁ ତୈଳ ଦର ଏପରି ଭାବେ ବଢାଇବା କେତେ ଦୂର ଯଥାର୍ଥ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ।
ସୂଚନା ମୁତାବକ, ବର୍ଷକ ଭିତରେ ପାଖାପାଖି ୨୬ ଟଙ୍କା ବଢିଲାଣି ତୈଳ ଦର । ଲଗାତାର ଦର ବୃଦ୍ଧି କ୍ରମରେ ଆଜି ମଧ୍ୟ ଡିଜେଲ , ପ୍ରେଟ୍ରୋଳର ଦର ବଢିଛି ।ଲିଟର୍ ପିଛା ୩୫ ପଇସା ବୃଦ୍ଧି କରିବାରୁ ଆଜିକୁ ମିଶାଇ ଦେଶରେ ଇନ୍ଧନ ଦର ବୃଦ୍ଧି ଚତୁର୍ଥ ଦିନରେ ରେକର୍ଡସ୍ତରରେ ପହଞ୍ଚିଛି । ସେହି ହିସାବରେ, ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଲିଟର୍ ପିଛା ପେଟ୍ରୋଲ୍ ଦର ଟ. ୧୦୮.୧୯ରେ ପହଞ୍ଚିଥିବା ବେଳେ ଡିଜେଲ୍ ମୂଲ୍ୟ ରହିଛି ଟ. ୧୦୪.୭୦ । ଗତକାଲି ରାଜଧାନୀରେ ଲିଟର୍ପିଛା ପେଟ୍ରୋଲ୍ ଦର ଟ. ୧୦୭.୮୪ ଥିଲାବେଳେ ଡିଜେଲ୍ ମୂଲ୍ୟ ର ଥିଲା ଟ. ୧୦୪.୩୬ । ପ୍ରାପ୍ତ ସୂଚନା ଅନୁସାରେ, ଜାତୀୟ ରାଜଧାନୀ ଦିଲ୍ଲୀରେ ଲିଟର୍ପିଛା ପେଟ୍ରୋଲ୍ ଦର ଟ. ୧୦୭.୨୪ ବିକ୍ରି ହେଉଥିବା ବେଳେ ଡିଜେଲ୍ ଟ. ୯୫.୯୭ ବିକ୍ରି ହେଉଛି ।
ମୁମ୍ବାଇରେ ପେଟ୍ରୋଲ୍ ଦର ଲିଟର୍ପିଛା ଟ. ୧୧୩.୧୨ ଥିବା ବେଳେ ଡିଜେଲ୍ ଟ. ୧୦୪/- ରହିଛି । ସେହିପରି, ଚେନ୍ନାଇରେ ପେଟ୍ରୋଲ୍ ଦର ଲିଟର୍ପିଛା ଟ. ୧୦୪.୨୨ ଥିବା ବେଳେ ଡିଜେଲ୍ ଟ. ୧୦୦.୨୫ ରହିଛି । କୋଲକାତାରେ ମଧ୍ୟ ପେଟ୍ରୋଲ୍ ଦର ଲିଟର୍ପିଛା ଟ. ୧୦୭.୭୮ରେ ବିକ୍ରି ହେଉଥିବା ବେଳେ ଡିଜେଲ୍ ବିକ୍ରି ହେଉଛି ଟ. ୯୯. ୦୮ ରହିଛି ।