କନକ ବ୍ୟୁରୋ : ଗାଡ଼ିରେ ପକାଉଥିବା ପେଟ୍ରୋଲ୍ର ମାନ ଠିକ୍ ଅଛି ତ? ଯେଉଁ ପରିମାଣର ପେଟ୍ରୋଲ ପକାଉଛନ୍ତି, ପ୍ରକୃତରେ ସେତିକି ମିଳୁଛି ତ? ଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଠିଥାଏ । ଏବେ ସାବଧାନ ହୋଇଯାଆନ୍ତୁ, କାରଣ କିଛି ପେଟ୍ରୋଲ ପମ୍ପରେ ହେଉଛି ବ୍ୟାପକ ହେରଫେର । ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଯେଉଁ ତଥ୍ୟ ରଖିଛନ୍ତି, ତାହା ଅତି ଉଦବେଗଜନକ ।

ନଜର ପକାନ୍ତୁ, ବିଧାନସଭାର ଏହି ଅଣତାରକା ପ୍ରଶ୍ନ ଓ ଏହାର ଉତର ଉପରେ ।
ପେଟ୍ରୋଲ ପମ୍ପରେ ମାପକ ଓ ମାନକରେ ତ୍ରୁଟି ବିଚ୍ୟୁତି ନେଇ ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଲିଖିତ ଉତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ।
ମାପକରେ ତ୍ରୁଟି ଯୋଗୁଁ ୩ ବର୍ଷରେ ହୋଇଛି ୮୩ ମାମଲା । ଆଦାୟ ହୋଇଛି ୧୦ ଲକ୍ଷ ୬୬ ହଜାର ଟଙ୍କାର ଜରିମାନା

ବିଭାଗୀୟ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ଅଚାନକ ଚଢ଼ାଉ କରାଯାଇ ଜାଲିଆତି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ ମକଦ୍ଦମା କରାଯାଇ ଫାଇନ ଆଦାୟ ହୋଇଛି ।
୨୦୨୦-୨୧
ପେଟ୍ରୋଲ ପମ୍ପ ବିରୋଧରେ ହୋଇଛି ୩୭ ମାମଲା
ମାପକରେ ତ୍ରୁଟି ପାଇଁ ଆଦାୟ ହୋଇଛି ୪ ଲକ୍ଷ ୬ ହଜାର ଟଙ୍କା ଫାଇନ
୨୦୨୧-୨୨
ଦାୟର ହୋଇଛି ୨୨ଟି ମାମଲା
୩ ଲକ୍ଷ ୪୩ ହଜାର ଟଙ୍କାର ଫାଇନ ଆଦାୟ
୨୦୨୨-୨୩
୨୪ଟି ମକଦ୍ଦମା କରାଯାଇଛି
ଆଦାୟ ହୋଇଛି ୩ ଲକ୍ଷ ୧୭ ହଜାର ଟଙ୍କାର ଜରିମାନା

ଏହିସବୁ ମାମଲା ହୋଇଛି ମାପକକୁ ନେଇ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଆମେ ଯେତିକି ପରିମାଣର ପେଟ୍ରୋଲ ପକାଉଛୁ, ସେତିକି ପରିମାଣର ପେଟ୍ରୋଲ ଦେଉନାହାନ୍ତି କିଛି ପେଟ୍ରୋଲ ପମ୍ପ । ଅର୍ଥାତ ଓଜନରେ ହେରଫେର କରାଯାଉଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ ପମ୍ପଗୁଡ଼ିକରେ ଜାଲିଆତି କରା ଯାଉଥିବା ନେଇ ଅନେକ ଅଭିଯୋଗ ଆସିଥାଏ । ଏସଂପର୍କିତ ଅଣତାରକା ପ୍ରଶ୍ନର ଉତର ଦେଇ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗତ ତିନି ବର୍ଷର ହିସାବ ଦେଇଛନ୍ତି । ସେହିପରି ମନ୍ତ୍ରୀ କହିଛନ୍ତି, ତୈଳ ବିପଣନ କଂପାନୀଗୁଡିକର କ୍ୱାଲିଟି ଆସୁରାନ୍ସ ସେଲ ଓ ଭିଜିଲାନ୍ସ ୱିଙ୍ଗ ଦ୍ୱାରା ପେଟ୍ରୋଲର ମାନକ ନିର୍ଦ୍ଧାରଣ ପାଇଁ ନିୟମିତ ତଦାରଖ କରାଯାଇଥାଏ । କ୍ୱାଲିଟି ବା ମାନକରେ ତ୍ରୁଟିବିଚ୍ୟୁତି ଦେଖାଗଲେ ସଂପୃକ୍ତ ପେଟ୍ରୋଲ ପମ୍ପଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ।