ପୁରୀରେ ମିଳିବ ପେଟ୍ରୋଲ! ଖନନ ପାଇଁ ଆସିଲା ମେସିନ ।

646

କନକ ବ୍ୟୁରୋ: ପୁରୀ ଜିଲ୍ଲା ଗୋପରେ ତୈଳ ଓ ପ୍ରାକୃତିକ ଗ୍ୟାସ୍ ସନ୍ଧାନ ମିଳିବା ପରେ ଖନନ ପ୍ରକ୍ରିୟା ଆରମ୍ଭ ହୋଇଛି । ୪ଟି ରାଜ୍ୟରୁ ୧୧ଟି ଅତ୍ୟାଧୁନିକ ମେସନ ସହ ଖନନ ପାଇଁ ଆବଶ୍ୟକୀୟ ସାମଗ୍ରୀ ପହଞ୍ଚିଛି । ଆଗକୁ ଆହୁରି ମେସନ୍ ଆସିବ । ମାସେ ଭିତରେ କୁଶୁପୁରର ଚିହ୍ନଟ ଅଞ୍ଚଳରୁ ମେସିନ ଦ୍ୱାରା ଖୋଳି ମାଟିତଳର ପଙ୍କ ଓ ମାଟି, ବାଲିକୁ ନିଆଯାଇ ରିଫାଇନ କରାଯିବ ବୋଲି ଅଏଲ ଇଣ୍ଡିଆ ପକ୍ଷରୁ କୁହାଯାଇଛି । ମାଟି, ବାଲିକୁ ରିଫାଇନ କରିବା ପରେ ମାଟି ତଳେ ତୈଳ ଓ ପ୍ରାକୃତିକ ଗ୍ୟାସ ଅଛି ନା ନାହିଁ ସ୍ପଷ୍ଟ ହେବ ।
ଗୋପ ବ୍ଲକରେ ଅଏଲ ଇଣ୍ଡିଆର ସର୍ଭେରେ କୁଶୁପୁରରେ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିବା ପରେ ଆରମ୍ଭ ହୋଇଛି ଖନନ ପ୍ରକ୍ରିୟା । ସେଇଥି ପାଇଁ ୪ଟି ରାଜ୍ୟରୁ ୧୧ଟି ଅତ୍ୟାଧୁନିକ ମେସିନ କୁଶୁପୁରକୁ ପହଞ୍ଚିବା ପରେ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି ।

ଖନନ କାମ ସହ ବିଶୋଧନ ପାଇଁ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ସହିତ ଆଉ କିଛି ରାଜ୍ୟରୁ ଅତ୍ୟାଧୁନିକ ମେସିନ୍ ଅଣାଯାଇଛି । କୁଶୁପୁର ଅଞ୍ଚଳର ୮ ଏକର ଚିହ୍ନଟ ଜମିରେ ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସର ଅନୁସନ୍ଧାନ ପାଇଁ ଆସନ୍ତା ଏକ ମାସ ଭିତରେ ଖୋଳା କାମ ଆରମ୍ଭ ହେବ । ଏଥିପାଇଁ ୩୭ ଜଣ ଚାଷୀଙ୍କ ଜମିକୁ ୯୭ ଲକ୍ଷ ଟଙ୍କା ଦେଇ ଲିଜରେ ନେଇଛି ଅଏଲ ଇଣ୍ଡିଆ କମ୍ପାନୀ ।

କୁଶୁପୁର ଅଞ୍ଚରୁ ପେଟ୍ରୋଲ ବାହାରିଲେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବ, ଅଞ୍ଚଳର ବିକାଶ ହେବ । ଏହା ରାଜ୍ୟର ଅର୍ଥନୀତିକୁ ମଧ୍ୟ ସୁଦୃଢ କରିବାରେ ସହାୟକ ହେବ । ଏବେ ଖନନ ପାଇଁ ଅତ୍ୟାଧୁନିକ ମେସିନ ଆସିବା ପରେ ଖୁବ ଶୀଘ୍ର ମାଟି ତଳୁ ପେଟ୍ରୋଲ ବାହାରିବା ଆଶା ସଂଚାର ହୋଇଛି ।

ପୂର୍ବରୁ ଗୋପ ବ୍ଲକର କୁଶୁପୁର, ମହଲପଡା ପଞ୍ଚାୟତର ଚିତ୍ରା ଗାଁରେ ୨ଟି ପର୍ଯ୍ୟାୟରେ ଖୋଳିବା କାମ କରାଯାଇଥିଲା । କୁଶୁପୁରରେ ଖନନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଚିତ୍ରା ଗାଁରେ ବର୍ତମାନ ସୁଦ୍ଧା ଖନନ କାମ ଆରମ୍ଭ ହୋଇନାହିଁ ।