ଭୁବନେଶ୍ୱରରେ ୧୦୮ ଟଙ୍କା ଟପିଲା ପେଟ୍ରୋଲ ଦର । ଡିଜେଲ ଲିଟର ପ୍ରତି ଦାମ ମଧ୍ୟ ୧୦୫ ଟଙ୍କା ଉପରେ

67

କନକ ବ୍ୟୁରୋ: ତେଲ ଦର ବୃଦ୍ଧିରେ ଲାଗୁନି ଲଗାମ୍ । କ୍ରମାଗତ ୫ ଦିନ ହେଲା ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପୁଣି ପେଟ୍ରୋଲ ୩୬ ପଇସା ଓ ଡିଜେଲ ୩୯ ପଇସା ମହଙ୍ଗା ହୋଇଛି । ଦର ବଢିବା ପରେ ଏବେ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୧୦୮ ଟଙ୍କା ୫୫ ପଇସା ଏବଂ ଡିଜେଲ ଦର ୧୦୫ ଟଙ୍କା ୯ ପଇସା ରହିଛି । ପ୍ରାୟ ଦେଢ ବର୍ଷ ମଧ୍ୟରେ ପେଟ୍ରୋଲ ଦର ୩୬ ଟଙ୍କା ଏବଂ ଡିଜେଲ ଦର ୨୭ ଟଙ୍କା ବୃଦ୍ଧି ପାଇଛି । ସେହିପରି ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ଦର ୧୦୭ ଟଙ୍କା ୫୯ ପଇସା ହୋଇଛି । ଡିଜେଲ ଲିଟର ୯୭ ଟଙ୍କା ୩୨ ପଇସାକୁ ବୃଦ୍ଧି ପାଇଛି । ମୁମ୍ବାଇରେ ପେଟ୍ରୋଲ ଦର ୧୧୩ ଟଙ୍କା ୪୬ ପଇସା ଓ ଡିଜେଲ ଦର ୧୦୪ ଟଙ୍କା ୪୮ ପଇସାରେ ପହଞ୍ଚିଛି ।

ଅନ୍ୟପଟେ ପେଟ୍ରୋଲ ଓ ଡିଜେଲ ଦାମ ଆକାଶଛୁଆଁ ହେବା ପରେ ଏହାକୁ ନେଇ ଲୋକଙ୍କ ଭିତରେ ଏକପ୍ରକାରର ଅସନ୍ତୋଷ ଦେଖିବାକୁ ମିଳିଛି । ପେଟ୍ରୋଲ ପକାଉଥିବା ଗ୍ରାହକମାନେ ସରକାରଙ୍କ ଉପରେ ବିଷ ଓଗାଳିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହା କଣ ଅଛେ ଦିନ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ସେହିପରି କେନ୍ଦ୍ର ସରକାରକୁ ଟାର୍ଗେଟ କରି କିଛି ଛାତ୍ରଛାତ୍ରୀମାନେ ମଧ୍ୟ ପେଟ୍ରୋଲ ରେଟ୍ ବଢିବା ନେଇ ନିଜର ଅସନ୍ତୋଷ ଜାହିର କରିଛନ୍ତି ।