ଓଡିଶାରେ ୧୦୦ ଛୁଇଁଲା ପେଟ୍ରୋଲ ଦର । କାଲିମେଳାରେ ଲିଟର ପ୍ରତି ଦାମ ୧୦୦ ଟଙ୍କା ୭୨ ପଇସା । ମୂଳଦରର ଦେଢ ଗୁଣାରୁ ଅଧିକ ପଡୁଛି ଟିକସ ।

237

କନକ ବ୍ୟୁରୋ: ରାଜ୍ୟରେ ରେକର୍ଡ ଛୁଇଁଲା ପେଟ୍ରୋଲ ଦର । ମାଲକାନଗିରି ଜିଲ୍ଲାରେ ୧୦୦ ଟଙ୍କା ଟପିଛି ଏକ ଲିଟର ପେଟ୍ରୋଲ ଦାମ । କାଲିମେଳାରେ ପେଟ୍ରୋଲ ଦର ଆଜି ୧୦୦ ଟଙ୍କା ୭୨ ପଇସା ପହଁଚି ଥିବା ବେଳେ ଡିଜେଲ ଦର ମଧ୍ୟ ଶତକ ମୁହାଁ । ତେବେ କରୋନା ସହ ଜୁଝୁଥିବା ଉପାନ୍ତ ଅଂଚଳବାସୀଙ୍କ ପାଇଁ ଏହି ଦରବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ଭୁବନେଶ୍ୱରରେ ମଧ୍ୟ ୯୫ ଟଙ୍କା ପାଖାପାଖି ପହଁଚିଛି ପେଟ୍ରୋଲ ଦର ।

  • ସେଞ୍ଚୁରୀ ମାରିଲା ପେଟ୍ରୋଲ ଦର
  • କାଲିମେଳାରେ ଶହେ ଉପରେ ପେଟ୍ରୋଲ

ମାଲକାନଗିରି ଜିଲ୍ଲା କାଲିମେଳାରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିଛି । କାଲିମେଳାରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ୭୨ ପଇସାରେ ବିକ୍ରି ହେଉଥିବା ବେଳେ ସ୍ପିଡ ପେଟ୍ରୋଲର ଦାମ ୧୦୩ ଟଙ୍କା ୮୭ ପଇସା ରହିଛି । ସେହିପରି ଡିଜେଲ ଦର ମଧ୍ୟ ଶତକ ମୁହାଁ ହୋଇଛି । କାଲିମେଳାରେ ଡିଜେଲ ଲିଟର ପିଛା ଦାମ ରହିଛି ୯୮ ଟଙ୍କା ୨୯ ପଇସା । ଆଉ ଏହାର ସିଧା ବୋଝ ଗ୍ରାହକଙ୍କ ଉପରେ ପଡିଛି। ପେଟ୍ରୋଲ ଦର ୧୦୦ ଟଙ୍କା ଟପି ଥିବା ବେଳେ ଏଥିରେ ଜଣେ ଗ୍ରାହକଙ୍କୁ ଟିକସ ବାବଦରେ କେତେ ଟଙ୍କା ଦେବାକୁ ପଡେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ । ନଜର ପକାନ୍ତୁ ତେଳ ଗଣିତ ଉପରେ –

  • ମୌଳିକ ମୂଲ୍ୟ ହେଉଛି ୪୦.୨୧ ଟଙ୍କା
  • କେନ୍ଦ୍ର ସରକାରଙ୍କ ଏକସାଇଜ୍ ଡ୍ୟୁଟି ରହିଛି ୩୨.୯୦ ଟଙ୍କା
  • ଭାଟ ବାବଦରେ ରାଜ୍ୟ ସରକାର ନେଉଛନ୍ତି ୨୩.୩୧ ଟଙ୍କା
  • ଡିଲର କମିଶନ ୩.୩୦ ଟଙ୍କା

ମାଲକାନଗିରି ଜିଲ୍ଲା ସମେତ ଦକ୍ଷିଣ ଓଡିଶାକୁ ବିଶାଖାପାଟଣ ଡିପୋରୁ ତୈଳ ଯୋଗାଣ ହୋଇଥାଏ । ତେଲ ଡିପୋ ଠାରୁ ପେଟ୍ରୋଲ ପମ୍ପର ଦୂରତା ଯୋଗୁଁ ପ୍ରତି ସହରରେ ଭିନ୍ନ ଭିନ୍ନ ତୈଳ ଦର ସ୍ଥିର କରିଥାନ୍ତି କମ୍ପାନୀ । ତେବେ ମାଲକାନଗିରରେ ପେଟ୍ରୋଲ ଦର ୯୯ ଟଙ୍କା ୭୯ ପଇସା ହୋଇଥିବା ବେଳେ ଏଠାରୁ ୪୦ କିଲୋମିଟର ଦୂର କାଲିମେଳାରେ ଶହେ ପାର କରିଛି ପେଟ୍ରୋଲ ।

Comments are closed.