ପେଟ୍ରୋଲକୁ ନେଇ ଜନତାଙ୍କୁ ପରିହାସ ! ୧୬ ଦିନ ପରେ ଦର କମିଲା ମାତ୍ର ୧ ପଇସା

21

କନକ ବ୍ୟୁରୋ : ନାମକୁ ମାତ୍ର କମିଲା ପେଟ୍ରୋଲ ଓ ଡିଜେଲ ଦର । ଦୀର୍ଘ ୧୬ ଦିନ ଧରି ବଢ଼ି ଚାଲିଥିବା ତେଲ ଦରରେ ଆଜି ମାତ୍ର ୧ ପଇସା କମିଛି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାଠଗଡ଼ାରେ ଠିଆ କରିଛନ୍ତି ରାହୁଲ ଗାନ୍ଧୀ । କହିଛନ୍ତି- ଲୋକଙ୍କ ସହ ଉପହାସ କରୁଛନ୍ତି ମୋଦି । ତେଲ ଦରକୁ ନେଇ ଚାଲିଥିବା ଏହି ଛକାପଞ୍ଝା ଭିତରେ କେରଳ ସରକାର ଲିଟର ପିଛା ଏକ ଟଙ୍କା କମାଇବାକୁ ନିଷ୍ପତି ନେଇଛନ୍ତି ।

ବର୍ଦ୍ଧିତ ତେଲ ଦରକୁ ନେଇ ସାରା ଦେଶରେ ଏକ ଅସନ୍ତୋଷର ମାହୋଲ ଥିବା ବେଳେ ସମସ୍ତେ ଚାହିଁ ରଖିଥିଲେ କେବେ କମିବ ପଟ୍ରୋଲ ଓ ଡିଜେଲ ଦର । ଆଉ ଯେତେବେଳେ ତେଲ ଦର କମିଲା, ତାକୁ କମିଲା ବୋଲି କହିବା ପରିବର୍ତେ ଗ୍ରାହକଙ୍କୁ ତାତ୍ସଲ୍ୟ କରାଗଲା ବୋଲି କହିଲେ ହୁଏତ ଭୁଲ ହେବ ନାହିଁ । କାରଣ ତେଲ ଦର କମିଛି ମାତ୍ର ଏକ ପଇସା ।

କ୍ରମାଗତ ଭାବରେ ଦୀର୍ଘ ୧୬ ଦିନ ଧରି ବଢ଼ି ଚାଲିଥିବା ତେଲ ଦରରେ ଆଜି ଯେଉଁ ଛୋଟିଆ ବିରାମଟିଏ ଲାଗିଲା, ତାହା କେବଳ ସଂଖ୍ୟା ଗଣିତରେ ଆଖିକୁ ଦେଖାଯିବ ସିନା, ଗ୍ରାହକଙ୍କ ପକେଟ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଲିଟର ପିଛା ମାତ୍ର ଗୋଟିଏ ପଇସା ହ୍ରାସ ପାଇବା ପରେ ଟ୍ୱିଟରରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀଙ୍କୁ ମୋଦି କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ରାହୁଲ ଗାନ୍ଧୀ ଲେଖିଛନ୍ତି, ଆପଣ ପେଟ୍ରୋଲ-ଡିଜେଲ ଦର ଏକ ପଇସା କମ୍ କଲେ? ମାତ୍ର ଏକ ପଇସା ? ଏହା ପରିହାସର କୌଣସି ବାଟ ନା’ ପିଲାଲିଆମି । ଗତ ସପ୍ତାହରେ ମୁଁ ତେଲ ଦର କମ୍ କରିବାକୁ ଚ୍ୟାଲେଂଜ ଦେଇଥିଲି । ଏହାର ଉତର ଗୋଟିଏ ପଇସା ହେବା କଥା ନୁହେଁ ।

ବିଜେପିର ଏହି ସଫେଇ ଭିତରେ କିନ୍ତୁ କେରଳ ସରକାର ପେଟ୍ରେଲ ଦରରେ ଏକ ଟଙ୍କା କମାଇବାର ଘୋଷଣା କରି ମୋଦି ସରକାରଙ୍କ ଆଗରେ ଏକ ବଡ ବାର୍ତା ରଖିଛନ୍ତି । ଭାଟ ଦର କମ୍ କରିବା ସହ ଜୁନ୍ ୧ ତାରିଖରୁ ଏହି ନୂଆ ଦର ଲାଗୁ କରିବା ନେଇ ଘୋଷଣା କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ । ବଡ କଥା ହେଉଛି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ୬୦ ପଇସା ତେଲଦର କମାଇବା ନେଇ ପ୍ରଥମେ ଘୋଷଣା କରିଥିଲା । ଆଉ ମାତ୍ର କେଇ ଘଂଟା ପରେ ଖବର ଆସିଲା ଏହା ୬୦ ପଇସା ନୁହେଁ ବରଂ ମାତ୍ର ୧ ପଇସା । ବୈଷୟିକ ତୃଟି ଯୋଗୁଁ ଭୁଲ ସୂଚନା ଦିଆଯାଇଥିବା କଂପାନୀ ପକ୍ଷରୁ କୁହାଯାଇଥିଲା ।