୧୦ ଦିନ ହେଲା ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର ! ନବରଙ୍ଗପୁର ଓ କୋରାପୁଟରେ ୮୧ ଟପିଲା ପେଟ୍ରୋଲ, ଆନ୍ଦୋଳନ ପାଇଁ ସଜବାଜ ହେଉଛି ବିଜେଡି ।

16

କନକ ବ୍ୟୁରୋ : ଲଗାତାର ୧୦ ଦିନହେଲା ବଢି ବଢି ଚାଲିଛି ତେଲ ଦର । ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଓ କୋରାପୁଟରେ ଆଜି ପେଟ୍ରୋଲ ଲିଟର ୮୧ ଟପିଛି । ଆଉ ପେଟ୍ରୋଲକୁ ପିଛା କରି ୮୦ ପାଖାପାଖି ପହଂଚିଲାଣି ଡିଜେଲ୍ । ସେପଟେ କେନ୍ଦ୍ରକୁ ଦାୟୀ କରି ଆନ୍ଦୋଳନ ପାଇଁ ସଜବାଜ ହେଉଛି ବିଜେଡି । ଆସନ୍ତା ୭ରୁ ପେଟ୍ରୋଲ ପମ୍ପ ଆଗରେ ତିନି ଦିନିଆ ପ୍ରତିବାଦ କରିବ ବିଜୁ ଜନତା ଦଳ । ଏପଟେ ବିଜେପି କହିଛି, କେନ୍ଦ୍ରୀୟ ଟିକସରୁ ରାଜ୍ୟରେ ବିକାଶମୂଳକ କାମ ହେଉଛି, କିନ୍ତୁ ରାଜ୍ୟ ସରକାର ଭାଟ୍ କମାଇବା ଦିଗରେ ପଦକ୍ଷେପ ନିଅନ୍ତୁ ।

ବଢୁଛି ପେଟ୍ରୋଲ ପୋଡୁଛି ପକେଟ୍ । ଗାଁରୁ ସହର ଦାନା ବାନ୍ଧୁଛି ଅସନ୍ତୋଷ । ପ୍ରଥମେ ଆସନ୍ତୁ ଜାଣିବା, ଓଡିଶାର ବିଭିନ୍ନ ସ୍ଥାନରେ ଆଜି ଦିନରେ ପେଟ୍ରୋଲ ଓ ଡିଜେଲର ଦାମ ଉପରେ ।

ନବରଙ୍ଗପୁର

ପେଟ୍ରୋଲ- ୮୧ ଟଙ୍କା ୪୧ ପଇସା

ଡିଜେଲ- ୭୯ ଟଙ୍କା ୭୮ ପଇସା

କୋରାପୁଟ

ପେଟ୍ରୋଲ- ୮୧ ଟଙ୍କା ୩୫ ପଇସା

ଡିଜେଲ- ୭୯ ଟଙ୍କା ୭୧ ପଇସା

ଭୁବନେଶ୍ୱର

ପେଟ୍ରୋଲ- ୭୮ ଟଙ୍କା ୧୮ ପଇସା

ଡିଜେଲ- ୭୬ ଟଙ୍କା ୫୪ ପଇସା

କଟକ

ପେଟ୍ରୋଲ- ୭୮ ଟଙ୍କା ୩୯ ପଇସା

ଡିଜେଲ- ୭୬ ଟଙ୍କା ୭୫ ପଇସା

ପୁରୀ

ପେଟ୍ରୋଲ- ୭୮ ଟଙ୍କା ୨୯ ପଇସା

ଡିଜେଲ- ୭୬ ଟଙ୍କା ୬୫ ପଇସା

ଗଞ୍ଜାମ

ପେଟ୍ରୋଲ- ୭୯ ଟଙ୍କା ୧୧ ପଇସା

ଡିଜେଲ- ୭୭ ଟଙ୍କା ୪୭ପଇସା

ଗତ ୧୦ ଦିନ ହେଲା କ୍ରମାଗତ ଭାବେ ବଢିଚାଲିଛି ଉଭୟ ପେଟ୍ରୋଲ ଡିଜେଲ ମୂଲ୍ୟ । ଗତମାସ ୨୬ ତାରିଖରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୭୬ ଟଙ୍କା ୬୬ ପଇସା ଥିବାବେଳେ ୧୦ ଦିନରେ ଏଥିରେ ପ୍ରାୟ ୨ ଟଙ୍କା ବୃଦ୍ଧି ପାଇଲାଣି । ସେହିପରି ଡିଜେଲ ମୂଲ୍ୟ ୨ଟଙ୍କା ୧୮ ପଇସା ବଢିଛି । ସବୁଠାରୁ ବଡକଥା ହେଉଛି ନବରଙ୍ଗପୁର ଓ କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ପେଟ୍ରୋଲ ମୂଲ୍ୟ ୮୧ ଟଙ୍କା ଉପରେ ପହଂଚିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ କମ ରହିଥିବାବେଳେ ସରକାରଙ୍କ ଟିକସ ବୋଝ ଅନୁନ୍ନତ ଜିଲ୍ଲାବାସୀଙ୍କୁ ବେଶ ବାଧୁଛି । ନିତି ଦିନିଆ କାମରେ ବାହାରକୁ ବାହାରିଲେ ବାଇକ ବଦଳରେ ସାଇକେଲରେ ବାହାରି ଯିବାକୁ ପଡୁଛି । କାରଣ ପେଟ୍ରୋଲ ଟାଙ୍କିକୁ ଗଲେ ପକେଟ୍ ପୋଡୁଛି ।

କେନ୍ଦ୍ରରେ ୟୁପିଏ ସରକାର ସମୟରେ ବର୍ଦ୍ଧିତ ତେଲଦରକୁ ନେଇ ପାଟି କରୁଥିବା ବିଜେପି କ୍ଷମତାକୁ ଆସିବା ଦିନରୁ ପେଟ୍ରୋଲିୟମ ସାମଗ୍ରୀ ଉପରେ ଉତ୍ପାଦନ ଶୁଳ୍କ ବଢାଇ ଚାଲିଛନ୍ତି । ଆଜିର ଦିନରେ ପେଟ୍ରୋଲ ଉପରେ କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ ସର୍ବକାଳୀନ ଅଧିକ ୧୯ ଟଙ୍କା ୪୮ ପଇସା ଓ ଡିଜେଲ ଉପରେ ୧୫ ଟଙ୍କା ୩୩ ପଇସା ଆଦାୟ କରୁଛନ୍ତି । ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ରାଜ୍ୟ ସରକାର ୨୬ ପ୍ରତିଶତ ଭାଟ ବସାଉଛନ୍ତି । ଯାହା ସିଧାସଳଖ ସାଧାରଣ ଉପଭୋକ୍ତାଙ୍କ ପକେଟ ଉପରେ ପ୍ରଭାବ ପକାଉଛି ।

ଗତବର୍ଷ ଅକ୍ଟୋବର ୪ ତାରିଖରେ ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ଲିଟର ପିଛା ୨ଟଙ୍କା କମାଇଥିଲେ କେନ୍ଦ୍ରରେ ମୋଦି ସରକାର । ଏହାପରେ କେତେକ ରାଜ୍ୟ ଟିକସ କମାଇଥିଲେ ବି ଓଡିଶା ସରକାର ଆଦାୟ କରୁଥିବା ୨୬ ପ୍ରତିଶତ ଭାଟକୁ ଅପରିବର୍ତିତ ରଖିଛନ୍ତି । କିନ୍ତୁ ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଅତ୍ୟଧିକ ଟିକସ ବସାଇ ସାଧାରଣ ଉପଭୋକ୍ତାଙ୍କୁ ହନ୍ତସନ୍ତ କରୁଥିବା ଅଭିଯୋଗରେ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଛି ବିଜେଡି । ଆଗାମୀ ୭ ତାରିଖରୁ ଦଳ ତିନିଦିନ ଧରି ପେଟ୍ରୋଲ ପମ୍ପ ସମ୍ମୁଖରେ ପ୍ରତିବାଦ କରିବ ବୋଲି କହିଛି ।

ମୋଦି ସରକାରଙ୍କ ସଫେଇ ପୂର୍ବ ୟୁପିଏ ସରକାର ୨୦୦୫ରୁ ୧୦ ମଧ୍ୟରେ ତେଲ ବଣ୍ଡ ଜାରି କରି ପରବର୍ତି ପୀଢି ପାଇଁ ପ୍ରାୟ ଦେଢ ଲକ୍ଷ କୋଟି ଟଙ୍କାର ରୁଣ ଛାଡିଯାଇଛନ୍ତି । ଯାହାକୁ ୨୦୧୮ ସୁଦ୍ଧା ଭରଣା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ହେଲେ ଗୋଟିଏ ସରକାର ରୁଣ କରିବେ ଆଉ ପରବର୍ତି ସରକାର ଏହାକୁ ପରିଷୋଧ କରିବାକୁ ଅତ୍ୟଧିକ ଟିକସ ଆଦାୟ କରିବେ । ଏବଂ ନବରଙ୍ଗପୁର, କୋରାପୁଟ ପରି ଆଦିବାସୀ ଅଧ୍ୟୁଷିତ ଅଂଚଳର ଗ୍ରାହକ ଏଥିପାଇଁ ହନ୍ତସନ୍ତ ହେବେ । ନିର୍ବାଚନୀ ବର୍ଷରେ ଏହା ସବୁଠାରୁ ବଡ ରାଜନୈତିକ ପ୍ରସଙ୍ଗ ପାଲଟି ଯାଇଛି ।