ବନ୍ଦ୍ ସତ୍ୱେ କମିଲାନି ତେଲ ଦର: ଓଡିଶାର ଅଧିକାଂଶ ଜିଲ୍ଳାରେ ୮୦ଟପିଲା ଲିଟର ପିଛା ପେଟ୍ରୋଲ ମୂଲ୍ୟ, ମାଲକାନଗିରିରେ ଡେଇଁଲା ୮୩

କନକ ବ୍ୟୁରୋ: ବନ୍ଦ ସତ୍ୱେ କମୁନି ତେଲ ଦର । ରାଜ୍ୟର ଅଧିକାଂଶ ସ୍ଥାନରେ ତେଲ ଦର ୮୦ ଟପିଛି । ମାଲକାନଗିରିରେ ତେଲ ଦର ୮୩ ଟଙ୍କା ଟପିଛି । ନବରଙ୍ଗପୁର, ଜୟପୁର ଓ କୋରାପୁଟରେ ରାୟଗଡା, କାଳାହାଣ୍ଡି, ଢେଙ୍କାନାଳ ଓ ଅନୁଗୁଳରେ ବି ତେଲଦର ୮୦ ଟଙ୍କା ଟପିଛି । କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ କମାଇବାକୁ ମନା କରିଦେଇଛନ୍ତି । ନିକଟ ଭବିଷ୍ୟତରେ ଏହା ହେବାର ନାହିଁ ବୋଲି କେନ୍ଦ୍ର ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି । ରାଜସ୍ଥାନ ପରେ ଆନ୍ଧ୍ର ବି କମାଇଛି ଭାଟ । ଫଳରେ ଆନ୍ଧ୍ରରେ ତୈଳ ଦର ଆଉ ୨ ଟଙ୍କା ଶସ୍ତା ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାର ତେଲ ଉପରୁ ଟିକସ ଛାଡିଲେ ସେମାନଙ୍କ ନିଅଂଟ ବଢିଯିବ ବୋଲି କହିଛନ୍ତି ।

ସବୁଠାରୁ ବଡ଼ କଥା ହେଲା, ଓଡ଼ିଶାର ଏକାଧିକ ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ଦର ୮୦ ଟଙ୍କା ଡେଇଁସାରିଲାଣି। ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଏହା ୮୩ ଟଙ୍କା ଅତିକ୍ରମ କରିସାରିଛି। ପାରାଦୀପରେ ୮୦ ଟଙ୍କା ଛୁଇଁଲାଣି। ଅନେକ ଜିଲ୍ଲାରେ ଡିଜେଲ ମଧ୍ୟ ୮୦ ଟପିଗଲାଣି।

ଭୁବନେଶ୍ୱରରେ ସୋମବାର ଡିଜେଲ ମୂଲ୍ୟ ଲିଟର ପିଛା ୭୮ ଟଙ୍କା ୧୫ ପଇସା ଥିଲା। ଏଠାରେ ପେଟ୍ରୋଲର ଲିଟର ପିଛା ମୂଲ୍ୟ ଥିଲା ୭୯ ଟଙ୍କା ୫୮ ପଇସା। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲେ ମଧ୍ୟ ସୋମବାର ଭୁବନେଶ୍ୱରରେ ଡିଜେଲ ମୂଲ୍ୟ ୨୪ ପଇସା ଏବଂ ପେଟ୍ରୋଲ ମୂଲ୍ୟ ୨୨ ପଇସା ବଢ଼ିଥିଲା।

ମାଲକାନଗିରିର ଗ୍ରାହକମାନେ ଗୋଟିଏ ଲିଟର ପେଟ୍ରୋଲ ପାଇଁ ସର୍ବାଧିକ ୮୩ ଟଙ୍କା ୩୩ ପଇସା ଦେଇଛନ୍ତି। ଡିଜେଲ ଲିଟର ୮୧ ଟଙ୍କା ୯୦ ପଇସା ଥିଲା ଏଠାରେ। ସେହିଭଳି ଜୟପୁର, କୋରାପୁଟ ଓ ନବରଙ୍ଗପୁରରେ ମଧ୍ୟ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୮୦ ଟଙ୍କା ଉପରେ ଏବେ ରହିଛି।

ଜୟପୁରରେ ପେଟ୍ରୋଲ ଦର ୮୨ ଟଙ୍କା ୭୫, ଡିଜେଲ ଦର ୮୧ ଟଙ୍କା ୩୨, କୋରାପୁଟରେ ପେଟ୍ରୋଲ ଦର ୮୨ ଟଙ୍କା ୮୩ ଏବଂ ଡିଜେଲ ଦର ୮୧ ଟଙ୍କା ୪୦ ରହିଛି। ସେହିଭଳି ନବରଙ୍ଗପୁରରେ ପେଟ୍ରୋଲ ଦର ୮୨ ଟଙ୍କା ୫୬ ଏବଂ ଡିଜେଲ ଦର ୮୦ ଟଙ୍କା ୮୯ ପଇସାରେ ବିକ୍ରି ହେଉଛି। ତେଲ ଦର ଏତେ ଅଧିକ ହୋଇଯାଇଥିଲେ ମଧ୍ୟ ସରକାର ବେଫିକର ହୋଇ ବସି ପଡ଼ିଛନ୍ତି। ଜିଏସ୍‌ଟି ପରିସରକୁ ତେଲ ଅଣାଗଲେ ଏହାର ଦର କମିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର କହୁଛନ୍ତି। କିନ୍ତୁ ଏ ନେଇ କୌଣସି ଠୋସ୍‌ ପଦକ୍ଷେପ କେନ୍ଦ୍ର ସରକାର ନେଉନାହାନ୍ତି।

ରବିବାର ରାଜସ୍ଥାନ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଅଢ଼େଇ ଟଙ୍କା ଏବଂ ସୋମବାର ଆନ୍ଧ୍ର ପ୍ରଦେଶ ସରକାର ୨ ଟଙ୍କା ଭାଟ୍‌ ହ୍ରାସ କରିଥିଲେ ମଧ୍ୟ ଅନ୍ୟ କୌଣସି ରାଜ୍ୟ ଏପର୍ଯ୍ୟନ୍ତ ଭାଟ୍‌ କମାଇବା ନେଇ କିଛି ସଙ୍କେତ ଦେଇ ନାହାନ୍ତି। ଓଡ଼ିଶା ସରକାର ବି ଏ ପ୍ରସଙ୍ଗରେ ନିରବ ରହିଛନ୍ତି।

ସୋମବାର ଜଣେ ସରକାରୀ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି କେନ୍ଦ୍ର ସରକାର ଏବେ ରାଜସ୍ୱ ହରାଇବା ସ୍ଥିତିରେ ନାହାନ୍ତି। ସେହିଭଳି ଅନେକ ରାଜ୍ୟ ମଧ୍ୟ ରାଜସ୍ୱ ଛାଡ଼ିବା ପରିସ୍ଥିତିରେ ନାହାନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାର ତେଲ ଉପରୁ ଟିକସ ଛାଡ଼ିଲେ ସେମାନଙ୍କ ନିଅଣ୍ଟ ବଢ଼ିଯିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି।

ନିର୍ବାଚନ ଆଉ ଅଳ୍ପ କିଛିମାସ ଅଛି। ସରକାରରେ ଥିବା ଦଳ ଲୋକଙ୍କ ନିକଟକୁ ଭୋଟ ମାଗିବାକୁ ଯିବେ। ଦେଶରେ ତେଲ ଦର ବୃଦ୍ଧି ଯୋଗୁ ଲୋକେ ତାତିକରି ରହିଥିଲେ ମଧ୍ୟ ସରକାର ଏନେଇ କୌଣସି ପଦକ୍ଷେପ ଏପର୍ଯ୍ୟନ୍ତ ନେଉନାହାନ୍ତି। ଫଳରେ ଜନସାଧାରଣଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ଦାନା ବାନ୍ଧୁଛି। କେନ୍ଦ୍ର ସରକାର ଏହାକୁ ହୃଦୟଙ୍ଗମ କରିପାରୁ ନାହାନ୍ତି କିମ୍ବା ଅନ୍ୟ କୌଣସି ଗୋପନ ଏଜେଣ୍ଡା ରଖି ଦର କମାଇବା ଲାଗି ପଦକ୍ଷେପ ନେଉନାହାନ୍ତି ତାହା ବୁଝାପଡ଼ୁ ନାହିଁ।

ଉଲ୍ଲେଖଯୋଗ୍ୟ, ଦେଶରେ ଏବେ ଅଧିକାଂଶ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ଦର ୮୦ ଟଙ୍କା ଟପିଗଲାଣି। ଉଭୟ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପ୍ରଭାବରେ ଦେଶରେ ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ଘଟିବା ଆରମ୍ଭ ହୋଇଗଲାଣି। ଲୋକେ ପଛେ ଦର ବୃଦ୍ଧି ଯୋଗୁ ଆଉଟୁପାଉଟୁ ହୁଅନ୍ତୁ ସରକାର କିନ୍ତୁ ତାଙ୍କ ତହବିଲକୁ ପ୍ରଭାବିତ ହେବାକୁ ଦେଉନାହାନ୍ତି। ଏଭଳି ଜିଦ୍‌ରେ ସରକାର ରହିଥିବା ଭଳି ମନେ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe