ପୁଣି ଉପରମୁହାଁ ତେଲଦର : କାଲିମେଳାରେ ପେଟ୍ରୋଲ ପିଛା ଦର ୧୧୦ଟଙ୍କା ଉପରେ

59

କନକ ବ୍ୟୁରୋ : ଲଗାଗତ ୩ ଦିନ ତେଲଦର ବଢିବା ପରେ ଗତକାଲି ସ୍ଥିର ରହିଥିଲା ପେଟ୍ରୋଲ ଓ ଡିଜେଲ ଦର । ହେଲେ ପୁଣି ଆଜି ପେଟ୍ରୋଲ ୨୫ ପଇସା ଓ ଡିଜେଲ ୩୦ ପଇସା ମହଙ୍ଗା ହୋଇଛି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ରାଜ୍ୟରେ ମାଲକାନଗିରି ଜିଲ୍ଲା କାଲିମେଳାରେ ସର୍ବାଧିକ ରହିଛି ପେଟ୍ରୋଲ ଓ ଡେଜିଲ ଦର ।

ଆଜି କାଲିମେଳାରେ ପେଟ୍ରୋଲ ଲିଟର ପିଛା ଦର ୧୧୦ ଟଙ୍କା ଓ ୧୫ ପଇସା ରହିଛି । ସେହିପରି ଡିଜେଲ ଲିଟର ପିଛା ୧୦୫ ଟଙ୍କା ୬୬ ପଇସାରେ ବିକ୍ରି ହେଉଛି । ସ୍ପିଡ ପେଟ୍ରୋଲ ଦର ୧୧୩ ଟଙ୍କା ୩୦ ପଇସା ରହିଛି । ସାଧାରଣ ଗ୍ରାହକଙ୍କୁ ବାଧୁଛି ତେଲର ମହଙ୍ଗା ମାଡ । ଦିଲ୍ଲୀ, ମୁମ୍ବାଇ ଭଳି ମେଟ୍ରୋ ସହର ଅପେକ୍ଷା ଓଡିଶାର ଉପାନ୍ତ ମାଲକାନଗିରି ଜିଲ୍ଲା କାଲିମେଳାରେ ଅଧିକ ରହିଛି ପେଟ୍ରୋଲ ଓ ଡିଜେଲ ଦର ।

ସୂଚନାଯୋଗ୍ୟ, ଆଜି ଭୁବନେଶ୍ବରରେ ପେଟ୍ରୋଲ ଦର ୧୦୩ ଟଙ୍କା ୨୭ ପଇସା ଥିବା ବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୯୮ ଟଙ୍କା ୯୮ ପଇସା ରହିଛି। ଏଣେ ରାଜଧାନୀ ନୂଆଦିଲ୍ଲୀ ସମେତ ସମସ୍ତ ମହାନଗରରେ ତୈଳ ଦର ବୃଦ୍ଧି ପାଇଛି । ଆଇଓସିଏଲର ୱେବସାଇଟ ମୁତାବକ, ପେଟ୍ରୋଲ ୧ ଲିଟର ପିଛା ୨୫ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି । ଏହା ସହ ନୂଆଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ୧୦୨ ଟଙ୍କା ୬୪ ପଇସାରେ ପହଞ୍ଚିଥିବାବେଳେ ଡିଜେଲ ଦର ୯୧ ଟଙ୍କା ୦୭ ପଇସା ରହିଛି ।