କନକ ବ୍ୟୁରୋ : ଦିନକୁ ଦିନ ବଢି ଚାଲିଛି ପେଟ୍ରୋଲର ଦର । କିଛି ଦିନ ହେଲାଣି ପ୍ରତ୍ୟେକ ଦିନ ବଢିବାରେ ଲାଗିଛି । ଓଡିଶାରେ ୭୦ ଛୁଇଁଥିବା ବେଳେ ମୁମ୍ବାଇରେ ଏହାର ଦର ୮୦କୁ ଗଲାଣି । ଏହି ପେଟ୍ରୋଲ୍ ଦର ବୃଦ୍ଧିକୁ ନେଇ ଟାର୍ଗେଟରେ ମୋଦି ସରକାର । ଆଉ ଏହାରି ଭିତରେ ମୋଦି ଏବଂ ବିଗ୍ ବିଙ୍କ ଏକ ପୁରୁଣା ଟୁଇଟ୍ ଭାଇରାଲ୍ ହୋଇଛି । ଯେଉଁଥିରେ ସେମାନେ ପେଟ୍ରୋଲ୍ ଦର ବୃଦ୍ଧିକୁ ନେଇ ୟୁପିଏ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।

Advertisment

ମୋଦିଙ୍କ ଟୁଇଟଟି ହେଉଛି ୨୦୧୩ର । ସେତେବେଳେ କ୍ଷମତାରେ ୟୁପିଏ ସରକାର ଥିବାବେଳେ ପେଟ୍ରୋଲ୍ ଦର ଲିଟର ପିଛା ଥିଲା ୬୩.୦୯ ଟଙ୍କା । ମୋଦି ଏହି ଟୁଇଟରେ ତାଛଲ୍ୟ କରିବା ସହ ସରକାରଙ୍କ ବିଫଳତାକୁ ଦର୍ଶାଇଥିଲେ । ସେହିପରି ମୋଦିଙ୍କ ଏହି ଟୁଇଟ୍ ସହ ବଲିଉଡ୍ ମେଗାଷ୍ଟାର୍ ଅମିତାଭ୍ ବଚ୍ଚନଙ୍କ ଏକ ଟୁଇଟ୍ ମଧ୍ୟ ଭାଇରାଲ୍ ହୋଇଛି । ବିଗ୍ ବିଙ୍କ ଏହି ଟୁଇଟଟି ହେଉଛି ୨୪ ମେ’ ୨୦୧୨ର । ଯେଉଁଥିରେ ସେ ପେଟ୍ରୋଲ୍ ଦର ବୃଦ୍ଧି ପରେ ପରିହାସ କରି ଏକ ଟୁଇଟ୍ କରିଛନ୍ତି ।

ଏବେ ଏହି ଦୁଇଟି ଟୁଇଟ୍ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଆଉ ଲୋକଙ୍କ ପ୍ରଶ୍ନ ଏବେ ଯେତେବେଳେ ପେଟ୍ରୋଲ୍ ଦର ଆକାଶ ଛୁଆଁ ସେତେବେଳେ କଣ ପାଇଁ ଚୁପ୍ ବିଗ୍ ବି । ଆଉ ବର୍ତ୍ତମାନ ମୋଦି ସରକାର କ୍ଷମତାରେ ଥାଇ ପେଟ୍ରୋଲ୍ ଦର ବୃଦ୍ଧି ପାଉଛି । ତା ହେଲେ ଏହା କଣ ମୋଦି ସରକାରଙ୍କ ଅପାରଗତାର ପ୍ରମାଣ ନୁହେଁ କି  ।

ସାରା ଦେଶରେ ପେଟ୍ରୋଲ ଓ ଡିଜେଲକୁ ନେଇ ସମାନ ସ୍ଥିତି । ଟିକସ ବୋଝ ଖାଉଟିଙ୍କ ମୁଣ୍ଡ ଉପରେ ଚଡକ ପକାଇଛି । ଲିଟରଟିଏ ପେଟ୍ରୋଲ ପାଇଁ ଗ୍ରାହକ ଗଣୁଛନ୍ତି ୩୯ ଟଙ୍କା ଟିକସ । ଏଥିରେ ଉଭୟ ରାଜ୍ୟ ଓ କେନ୍ଦ୍ରର ଟିକସ ଅନ୍ତର୍ଭୁକ୍ତ । ଯାହାକୁ ନେଇ ଏବେ ସବୁ ସ୍ତରରେ ଉଠିଛି ପ୍ରତିବାଦର ସ୍ୱର । ଜିଏସଟି ଅଧୀନକୁ ପେଟ୍ରୋଲିୟମ ଜାତ ସାମଗ୍ରୀ ଆଣିବାକୁ ରାଜ୍ୟ କିମ୍ବା କେନ୍ଦ୍ର ପ୍ରସ୍ତୁତ ନୁହଁନ୍ତି । କାରଣ ବଜେଟ ବାବଦ ସିଂହଭାଗ ଅର୍ଥ ଏହି କ୍ଷେତ୍ରରୁ ଆସୁଛି । ନା କେନ୍ଦ୍ର ଏଳ୍ସାଇଜ ଡ୍ୟୁଟି କମାଇବାକୁ ପ୍ରସ୍ତୁତ ଅଛି ନା ରାଜ୍ୟ ସରକାର ଭ୍ୟାଟ୍ କମାଉଛନ୍ତି ।

୨୦୧୪ ପରଠାରୁ କେନ୍ଦ୍ର ସରକାର ୯ ଥର ଉତ୍ପାଦ ଶୁଳ୍କ ବୃଦ୍ଧି କରିଥିବା ବେଳେ ରାଜ୍ୟ ସରକାର ଭାଟ ଦୁଇଥର ବଢାଇଛନ୍ତି । ଫଳରେ ଦର ତୁଳନାରେ ଟିକସ ଅଧିକ ପଡୁଛି ।

ଏବେ ନଜର ପକାନ୍ତୁ, ଗ୍ରାହକ କ୍ଷତି ସହୁଥିବା ବେଳେ, କିଏ ଲାଭ ପାଉଛନ୍ତି

– ପେଟ୍ରୋଲରୁ କେନ୍ଦ୍ରୀୟ ଟିକସ ୧୧୨% ଓ ଡିଜେଲରୁ ଟିକସ ୩୦୦% ବଢିଛି

– ପେଟ୍ରୋଲରୁ ରାଜ୍ୟ ଟିକସ ୨୨% ଓ ଡିଜେଲରୁ ଟିକସ ୨୮% ବଢିଛି

– ତୈଳ କଂପାନୀଙ୍କର ମିଳିତ ଲାଭ ୬୪% ବଢିଛି

– ୨୦୧୪ ପରଠାରୁ ଇଣ୍ଡିଆନ ଅଏଲର ଲାଭ ୨୧୦% ବଢିଛି

– ଏଚପିସିଏଲର ଲାଭ ୫୨୬% ଓ ବିପିସିଏଲର ଲାଭ ୨୨୪% ବଢିଛି

– ସେହିଭଳି ପେଟ୍ରୋଲ ପମ୍ପ ଡିଲରଙ୍କ କମିଶନ ୬୦% ବଢିଛି

ଏହି ତମାମ ତଥ୍ୟ ଗୋଟିଏ କଥା ପ୍ରମାଣିତ କରୁଛି, ଖାଉଟିଙ୍କୁ ଛାଡିଦେଲେ ବାକି ସମସ୍ତେ ଲାଭରେ ଅଛନ୍ତି ।
ଗୋଟିଏ ଲିଟର ପେଟ୍ରୋଲ ଦରରେ କିଭଳି ୭୦ ଟଙ୍କା ଛୁଉଁଛି, ଦେଖନ୍ତୁ ।

ବିଶୋଧନାଗାରରେ  : ୨୧.୫୦

ପ୍ରବେଶ ଶୁଳ୍କ,ବିଶୋଧନାଗାର ପ୍ରକ୍ରିୟାକରଣ ଲ୍ୟାଣ୍ଡି କଷ୍ଟ,ଅନ୍ୟାନ୍ୟ ପରିଚାଳନା ଖର୍ଚ୍ଚ, କଂପାନୀମାନଙ୍କ ମାର୍ଜିନ, ପରିବହନ ଖର୍ଚ୍ଚ ଇତ୍ୟାଦି  : ୯.୩୪

ବିନା ଟିକସରେ ପେଟ୍ରୋଲ : ୩୦.୮୪

କେନ୍ଦ୍ର ଏବଂ ରାଜ୍ୟ ଟିକସ  : ୩୮.୪୧

ଟିକସ ପରେ ଦର  : ୬୯.୨୫

ଏସବୁ ଭିତରେ କିନ୍ତୁ, ଟିକସ କମାଇବାକୁ ରାଜ୍ୟ କିମ୍ବା କେନ୍ଦ୍ର କେହି ପ୍ରସ୍ତୁତ ନୁହଁନ୍ତି ।

ଗୋଟିଏ ପଟେ ଦର ବୃଦ୍ଧି ଆଉ ଅନ୍ୟ ପଟେ ଜିଏସଟି ଭିତରକୁ ପେଟ୍ରୋଲିୟମ ସାମଗ୍ରୀକୁ ଆଣିବାକୁ ଦାବି, ଏହାରି ଭିତରେ ନଜର କିଭଳି ସମାଧାନର ସୁତ୍ର ବାହାର କରୁଛନ୍ତି କେନ୍ଦ୍ର ସରକାର ।