ସହରରୁ ମହାନଗର, ସାରା ଓଡ଼ିଶାରେ ଶତକ ମାରିଲା ପେଟ୍ରୋଲ ଦର । କଟକ-ଭୁବନେଶ୍ୱରରେ ଟପିଲା ଶହେ, ମାଲକାନିଗିରି କାଲିମେଳାରେ ଲିଟର ପିଛା ୧୦୬ ଟଙ୍କା ।

115

କନକ ବ୍ୟୁରୋ: ଉପାନ୍ତ ଅଂଚଳ ହେଉ, କି ଉପକୂଳ ଓଡ଼ିଶା ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିଛି । କଟକ, ଭୁବନେଶ୍ୱର ଠାରୁ ଆରମ୍ଭ କରି ସମ୍ବଲପୁର ପର୍ଯ୍ୟନ୍ତ ସବୁଠୁ ପେଟ୍ରୋଲ ଦର ଶହେ ଟଙ୍କା ଉପରକୁ ଉଠିଛି । କାଲିମେଳାରେ ପେଟୋଲ ଲିଟରକୁ ସର୍ବାଧିକ ୧୦୬ ଟଙ୍କାରେ ବିକ୍ରି ହେଉଛି । ମହାମାରୀ ସମୟରେ ଏଭଳି ଦରବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ।
ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା । ଅସହ୍ୟ ହେଲାଣି, ଆଉ ସହି ହେଉନି । ମହାମାରୀ ଭିତରେ ଏତେ ଜୋରରେ ମହଙ୍ଗା ମାଡ଼ ହେଉଛି ଯେ, ଲୋକ ଗାଡ଼ି ଗାଡ଼ିବାକୁ ଦୁଇ ଥର ଭାବିବା ଆରମ୍ଭ କରି ଦେଲେଣି । ସହରଠୁ ନଗର, ଉପାନ୍ତରୁ ଉପକୂଳ ସବୁଠି ସେଂଚୁରୀ ମାରିଛି ତେଲ ଦର ।

ସହର           ପେଟ୍ରୋଲ          ଦର
ଭୁବନେଶ୍ୱର    ୧୦୦ ଟଙ୍କା     ୧ ପଇସା
କଟକ          ୧୦୦ ଟଙ୍କା     ୨୭ ପଇସା
ସମ୍ବଲପୁର     ୧୦୦ଟଙ୍କା      ୬୩ ପଇସା
ବାଲେଶ୍ୱର     ୧୦୦ ଟଙ୍କା     ୦୨ ପଇସା
କାଲିମେଳା    ୧୦୬ଟଙ୍କା
ରାୟଗଡା     ୧୦୩ ଟଙ୍କା    ୩୬ ପଇସା

ଦେଶ ମହାମାରୀ ସଂକଟ ଦେଇ ଗତି କରୁଥିବା ବେଳେ ଲୋକଙ୍କ ଆୟ କମିଛି । କିଏ ଚାକିରି ହରାଇଛି, ତ ଆଉ କିଏ ବେଉସା । ଏଭଳି ଏକ ସ୍ଥିତି ଦେଇ ଗତି କରୁଥିବା ପ୍ରତିଟି ମଧ୍ୟବିତ ଏବଂ ନିମ୍ନମଧ୍ୟବିତଙ୍କ ଉପରେ ତେଲ ଦର ବୋଝ ଉପରେ ନଳିତା ବିଡ଼ା ଭଳି ହୋଇଛି ।
ପେଟ୍ରୋଲ ଓ ଡିଜେଲ ଉପରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ନେଉଥିବା ଟିକସ୍ ହିଁ ତେଲର ଅସ୍ୱାଭାବିକ ଦର ବୃଦ୍ଧିର ପ୍ରମୁଖ କାରଣ । ତେଲର ମୌଳିକ ଦରଠାରୁ ଢ଼େର ଅଧିକ ଟିକସ ଆକାରରେ ଗ୍ରାହକଙ୍କୁ ଖର୍ଚ୍ଚ କରିବାକୁ ପଡୁଛି ।

ନଜର ପକାନ୍ତୁ ପେଟ୍ରୋଲ ଦରର ଏ ସରଳ ହିସାବ ଉପରେ । ଯଦି ପେଟ୍ରେଲ ଲିଟର ପିଛା ଶହେ ଟଙ୍କା ହୁଏ ତେବେ, ତେଲର ମୌଳିକ ଦର ୪୦ ଟଙ୍କା ୨୧ ପଇସା, କେନ୍ଦ୍ର ସରକାରଙ୍କ ଏକ୍ସାଇଜ୍ ଡ୍ୟୁଟି ୩୨ ଟଙ୍କା ୯୦ ପଇସା, ରାଜ୍ୟ ସରକାରଙ୍କ ଭାଟ୍ ୨୩ ଟଙ୍କା ୩୧ ପଇସା ଏବଂ ଡିଲର କମିଶନ ୩ ଟଙ୍କା ୩୦ ପଇସା ଦେବାକୁ ପଡୁଛି ।
ପେଟ୍ରୋଲ ଗଣିତ
ମୌଳିକ ଦର ୪୦.୨୧ ଟଙ୍କା
କେନ୍ଦ୍ର ଟିକସ ୩୨.୯୦ ଟଙ୍କା
ରାଜ୍ୟ ଟିକସ ୨୩.୩୧ ଟଙ୍କା
ଡିଲର କମିଶନ ୩.୩୦ ଟଙ୍କା

ଆଉ ଏସବୁ ଭିତରେ ବଡ଼ କଥା ହେଉଛି, ତେଲ ଦର କେବେ କମିବ ଏବଂ କେତେ କହିବ ତାର ସ୍ପଷ୍ଟ ଉତର ବର୍ତର୍ମାନ ସମୟରେ କାହା ପାଖରେ ନାହିଁ ।