ହୁ ହୁ ହୋଇ ବଢୁଛି ତେଲ ଦର, ଗାଡି ଚଲାଇବାକୁ ଲାଗୁଛି ଡର…ମୁମ୍ବାଇରେ ଯାହା ମାଲକାନଗିରିରେ ତାହା । ୯୦ ଟପିଲା ପେଟ୍ରୋଲ ଦର ।

299

କନକ ବ୍ୟୁରୋ: ଗତ ୬ଦିନ ହେଲା ପେଟ୍ରୋଲ ଓ ଡିଜେଲ ଦର ଲଗାତର ବୃଦ୍ଧି ହେବା ପରେ ଦୁଇଦିନ ହେଲା ସ୍ଥିର ରହିଛି । ହେଲେ ଗତ ଦୁଇବର୍ଷରେ ସର୍ବାଧିକ ସ୍ତରକୁ ଛୁଇଁଛି ତେଲଦର । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ମୁମ୍ବାଇ ଭଳି ମେଟ୍ରୋ ସହରଠାରୁ ଅଧିକ ରହିଛି ଓଡିଶାରେ ପେଟ୍ରୋଲ ଦର । ଆଜି ମାଲକାନଗିରି କାଲିମେଳାରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ୯୪ ପଇସାରେ ବିକ୍ରି ହୋଇଛି । ଯାହା ସାଧାରଣ ଉପଭୋକ୍ତାଙ୍କ ଭିତରେ ପ୍ରବଳ ଅସନ୍ତୋଷ ସୃଷ୍ଟି କରିଛି । ସେପଟେ ପେଟ୍ରୋଲ ୯୦ ଟଙ୍କା ଛୁଇଁବା ପରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ।

ମାଲକାନଗିରି ଜିଲ୍ଲା କାଲିମେଳାର ଏକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଲିଟର ପିଛା ଦର ୯୦ ଟଙ୍କା ୯୪ ପଇସା । ଡିଜେଲ ପ୍ରତି ଲିଟର ଦର ରହିଛି ୮୬ ଟଙ୍କା ୮୧ ପଇସା । କାଲିମେଳା ଭଳି ଓଡିଶାର ଉପାନ୍ତ ଅଂଚଳରେ ତେଲଦର ଏଭଳି ଅହେତୁକ ଦରବୃଦ୍ଧି ଗ୍ରାହକଙ୍କୁ ଅସନ୍ତୁଷ୍ଟ କରିଛି ।
ମୁମ୍ବାଇ ଭଳି ମେଟ୍ରୋ ସହରଠାରୁ ବି ଓଡିଶାର କାଲିମେଳାରେ ଅଧିକ ରହିଛି ପେଟ୍ରୋଲ ଦର । ଟିକେ ନଜର ପକାନ୍ତୁ ଆଜି ଦେଶର କେଉଁସବୁ ବଡବଡ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର ।

ସହର  ପେଟ୍ରୋଲ (ଲିଟର ପିଛା)  ଡିଜେଲ (ଲିଟର ପିଛା)
ମୁମ୍ବାଇ  ୯୦ ଟଙ୍କା ୩୪ ପଇସା  ୮୦ ଟଙ୍କା ୫୧ ପଇସା
ଦିଲ୍ଲୀ  ୮୩ ଟଙ୍କା ୭୧ ପଇସା  ୭୩ ଟଙ୍କା ୮୭ ପଇସା
ଚେନ୍ନାଇ  ୮୬ ଟଙ୍କା ୫୧ ପଇସା  ୭୯ ଟଙ୍କା ୨୧ ପଇସା
କୋଲକାତା  ୮୫ ଟଙ୍କା ୧୩ ପଇସା  ୭୭ ଟଙ୍କା ୪୪ ପଇସା
ଭୁବନେଶ୍ୱର  ୮୪ ଟଙ୍କା ୪୦ ପଇସା  ୮୦ ଟଙ୍କା ୫୨ ପଇସା

ପେଟ୍ରୋଲ ଦର ୯୦ ଟଙ୍କା ଛୁଇଁବା ପରେ କେନ୍ଦ୍ରରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ । ଟ୍ୱିଟ୍ କରି ଲେଖିଛନ୍ତି ସାଧାରଣ ଲୋକଙ୍କୁ ଶୋଷଣର ସବୁସୀମା ଟପି ଯାଇଛନ୍ତି କେନ୍ଦ୍ର ସରକାର । ଏପରକି ପେଟ୍ରୋଲର ଉଚିତ୍ ମୂଲ୍ୟର ଏକ ହିସାବ ଦେଇଛନ୍ତି । ତାଙ୍କ କହିବା ହେଲା ବିଶୋଧନାଗାରରୁ ବାହାରିବା ପୂର୍ବରୁ ଗୋଟିଏ ଲିଟର ପେଟ୍ରୋଲର ଦର ଥାଏ ୩୦ ଟଙ୍କା । ଏଥିରେ ବିଭିନ୍ନ ପ୍ରକାର ଟିକସ ଓ ପେଟ୍ରୋଲ ପମ୍ପ କମିଶନକୁ ମିଶାଇ ଅତିରିକ୍ତ ୬୦ ଟଙ୍କା ଆଦାୟ କରାଯାଉଛି । ତାଙ୍କ ମତରେ ଗୋଟିଏ ଲିଟର ପେଟ୍ରୋଲର ଦାମ ସର୍ବାଧିକ ୪୦ ଟଙ୍କା ହେବାକଥା ।

ଶେଷଥର ପାଇଁ ୨୦୧୮ ଅକ୍ଟୋବରରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଏହି ସ୍ତରକୁ ଛୁଇଁଥିଲା । ବିଶେଷଜ୍ଞଙ୍କ ମତରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ଉପରମୁହାଁ ରହିଥିବାରୁ ଏହି ଦର ଆହୁରି ବଢିପାରେ । ଏକ ହିସାବ କହୁଛି ଅଶୋଧିତ ତୈଳଦର ବ୍ୟାରେଲ ପିଛା ଏକ ଡଲାର ବଢିଲେ ଭାରତର ତୈଳ ଆମଦାନୀ ବିଲ ବାର୍ଷିକ ୧୦ ହଜାର ୭ଶହ କୋଟି ହେବ ।