ଲଗାମ ଛଡ଼ା ହେଉଛି ତେଲ ଦର । ଦେଶର କିଛି ସ୍ଥାନରେ ସେଞ୍ଚୁରୀ ମାରିଲା ପେଟ୍ରୋଲ । ଏପଟେ ମାଲକାନଗିରିର କାଲିମେଳାରେ ୯୫ ଟଙ୍କା ଟପିଲା । 

82

କନକ ବ୍ୟୁରୋ : ସେଂଚୁରୀ ମାରିଲା ପେଟ୍ରୋଲ ଦର । ରାଜସ୍ଥାନରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପି ଯାଇଛି । ଏପଟେ ଓଡିଶାର ଅଧିକାଂଶ ସ୍ଥାନରେ ୯୦ ଉପରେ ରହିଛି ଦର । ସେପଟେ କାଲିମେଳାରେ ପେଟ୍ରୋଲ ୯୫ ଟଙ୍କା ୭୩ ପଇସାରେ ପହଁଚିଛି । ଭୁବନେଶ୍ୱରରେ ମଧ୍ୟ ଦାମ୍ ଟପିଲାଣି ୯୦ ଟଙ୍କା । ବଢୁଥିବା ତେଲ ଦାମକୁ ବିରୋଧ କରି ପ୍ରତିବାଦକୁ ଓହ୍ଲାଇଛି ଯୁବ କଂଗ୍ରେସ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନ ଆଗରେ ବିରୋଧ ପ୍ରଦର୍ଶନ କରି ପୋଲିସ ସହ ଠେଲାପେଲା କରିଛନ୍ତି ଯୁବ କଂଗ୍ରେସ କର୍ମୀ । ପେଟ୍ରୋଲ ଦାମ, କେଉଁଠି କେତେ?

କାଲିମେଳା—୯୫ ଟଙ୍କା ୭୩ ପଇସା

ମାଲକାନଗିରି – ୯୪ ଟଙ୍କା ୮୮ ପଇସା

ପାରଳାଖେମୁଣ୍ଡି—୯୨ ଟଙ୍କା ୩୧ ପଇସା

ଭୁବନେଶ୍ୱର—୯୦ଟଙ୍କା ୨୫ ପଇସା

କଟକ – ୯୦ ଟଙ୍କା ୫୫ ପଇସା

ସମ୍ବଲପୁର—୯୦ ଟଙ୍କା ୮୦ ପଇସା

ଶ୍ରୀଗଙ୍ଗାନଗର(ରାଜସ୍ଥାନ) – ୧୦୦ ଟଙ୍କା ୧୩ ପଇସା

ରାଜ୍ୟରେ ତୈଳଦରର ଏପରି ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ଯୁବ କଂଗ୍ରେସ । କେନ୍ଦ୍ର ପେଟ୍ରୋଲଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘର ଆଗରେ ଯୁବ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବାସଭବନ ଭିତରକୁ ଧସେଇ ପସିବାକୁ ଉଦ୍ୟମ କରିଥିଲେ । ଏତିକି ବେଳେ ଯୁବ କଂଗ୍ରେସ ସଭାପତିଙ୍କ ସମେତ ଅନେକ କର୍ମୀଙ୍କୁ ପୋଲିସ ଗିରଫ କରିଛି । ରାଜ୍ୟରେ ତେଲ ଦର ନକମିବା ଯାଏଁ ବିରୋଧ ଜାରି ରଖିବାକୁ ଚେତାବନୀ ଦେଇଛି ଯୁବ କଂଗ୍ରେସ ।

ଗତବର୍ଷ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମିବା ପରେ କରୋନା ମହାମାରୀର ଆଳ ଦେଖାଇ ରାଜସ୍ୱ ବୃଦ୍ଧି ପାଇଁ ଟିକସ ବଢ଼ାଇଥିଲେ ସରକାର । ଏବେ କିନ୍ତୁ ଅଶୋଧି୍ତ ତେଲ ଦର ବଢ଼ିଛି, କିନ୍ତୁ ଟିକସ କମାଇନାହାନ୍ତି ସରକାର । ଏପଟେ ଅନ୍ତର୍ଜାତୀୟ ବଜାରରେ ତେଲ ଦର ବୃଦ୍ଧି ଦର୍ଶାଇ ମନଇଚ୍ଛା ତେଲ ଦର ବଢ଼ାଇ ଚାଲିଛନ୍ତି ତୈଳ କଂପାନୀ ।