ଲିଭୁନି ପେଟ୍ରୋଲ ଦରରେ ଲାଗିଥିବା ମହଙ୍ଗା ନିଆଁ ! ଜାଣନ୍ତୁ କେଉଁ ରାଜ୍ୟ ନେଉଛି କେତେ ଭାଟ୍

32

କନକ ବ୍ୟୁରୋ : ପେଟ୍ରୋଲ ଦରରେ ଲାଗିଥିବା ମହଙ୍ଗା ନିଆଁ ଲିଭିବାର ନାଁ ନେଉଥିବା ବେଳେ କ୍ରମାଗତ ୧୧ ଦିନ ହେଲା ବଢ଼ି ଚାଲିଛି ତେଲ ଦର । ଗତ ୧୧ ଦିନ ଭିତରେ ତେଲର ଦାମ ପ୍ରାୟ ୩ଟଙ୍କା ବଢ଼ିଛି । ଗତ ୧୪ ତାରିଖରୁ ଆଜି ଭିତରେ ପେଟ୍ରୋଲ ଦର ଲିଟର ପିଛା ୨ ଟଙ୍କା ୮୨ ପଇସା ବଢ଼ିଥିବା ବେଳେ ଡିଜେଲ ୨ଟଙ୍କା ୭୧ ଟଙ୍କା ବୃଦ୍ଧି ପାଇଛି । ଆଜି ଭୁବନେଶ୍ୱରରେ ପେଟ୍ରୋଲ ୭୬ ଟଙ୍କା ୨୮ ପଇସା ଏବଂ ଡିଜେଲ ୭୩ ଟଙ୍କା ୪୬ ପଇସା ପହଂଚିଥିବା ବେଳେ କଟକରେ ପେଟ୍ରୋଲ ୭୬ ଟଙ୍କା ୪୨ ପଇସା ଏବଂ ଡିଜେଲ ୭୩ ଟଙ୍କା ୬୦ ପଇସାରେ ପହଂଚିଛି । ବ୍ରହ୍ମପୁରରେ ପେଟ୍ରୋଲ ୭୭ ଟଙ୍କା ୧୭ ପଇସା ଏବଂ ଡିଜେଲ ୭୪ ଟଙ୍କା ୩୫ ପଇସାରେ ପହଂଚିଛି । ଅନୁରୁପ ଭାବରେ ସମ୍ବଲପୁରେ ପେଟ୍ରୋଲ ୭୬ ଟଙ୍କା ୬୯ ପଇସା ଏବଂ ଡିଜେଲ ୭୪ ଟଙ୍କା ୮୮ ଟଙ୍କା ଛୁଇଁଲାଣୀ ।

ବଡ କଥା ହେଲା- ଦେଶର ୪ ପ୍ରମୁଖ ମହାନଗରରେ ଦେଲ ଦର ଆକାଶଛୁଆଁ ହୋଇଛି । ମୁମ୍ବାଇରେ ପେଟ୍ରୋଲ ଦର ୮୫ ଟଙ୍କା ୨୯ ପଇସା, ଦିଲ୍ଲୀରେ ୭୭ଟଙ୍କା ୪୭ ପଇସା, ଚେନ୍ନାଇରେ ୮୦ ଟଙ୍କା ୪୨ ପଇସା ଏବଂ କୋଲକତାରେ ୮୦ ଟଙ୍କା ୧୨ ପଇସାରେ ପହଂଚିଛି । ଏପଟେ କ୍ରମାଗତ ଭାବରେ ବଢ଼ୁଥିବା ଏହି ତେଲ ଦରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । କହିଛନ୍ତି- ପଟ୍ରୋଲ ଦର କମାନ୍ତୁ ନହେଲେ ବିକ୍ଷୋଭକୁ ସାମ୍ନା କରିବାକୁ ପ୍ରସ୍ତୁତ ରୁହନ୍ତୁ । ଫିଟନେସ୍ ଚ୍ୟାଲେଞ୍ଚକୁ ରାହୁଲ ଗ୍ରହଣ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ତେଲଦର ନିୟନ୍ତ୍ରଣ କରିବାକୁ ଚ୍ୟାଲେଂଜ୍ ଦେଇଛନ୍ତି । ଆଉ ଏସବୁ ଭିତରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ପଟ୍ରୋଲିୟମ ମନ୍ତ୍ରୀ । କହିଛନ୍ତି-ତେଳ ଦର କମ୍ କରିବା ପାଇଁ ରାଜ୍ୟ ସରକାର ଭାଟ୍ କମ୍ କରନ୍ତୁ ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ଆଦାୟ କରୁଥିବା ବେଳେ ରାଜ୍ୟ ସରକାର କାହିଁକି ଟିକସ କମ୍ କରୁନାହାଁନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିବା ସହ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଧର୍ମେନ୍ଦ୍ରଙ୍କ ଏହି ଆହା୍ୱନକୁ କିନ୍ତୁ ସହଜରେ ଗ୍ରହଣ କରି ନାହାଁନ୍ତି ଅର୍ଥମନ୍ତ୍ରୀ ଶଶୀ ଭୁଷଣ ବେହେରା । ମାତ୍ର ୨ଦୁଇ ଟଙ୍କା ଏକ୍ସସାଇଜ୍ ଡୁଟି କମାଇଥିବା କେନ୍ଦ୍ର ସରକାର ୧୦ଟଙ୍କା କାହିଁକି କମାଉ ନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ।

ନଜର ପକାନ୍ତୁ ପେଟ୍ରୋଲ ଉପରେ କେଉଁ ରାଜ୍ୟରେ କେତେ ଭାଟ୍ ବ୍ୟବସ୍ଥା ରହିଛି ।
– ଓଡ଼ିଶାରେ ପେଟ୍ରୋଲ ଉପରେ ଲାଗିଥାଏ ୨୬% ଭାଟ୍ । ମହାରାଷ୍ଟ୍ରରେ ଭାଟର ପରିମାଣ ୪୬.୫୨% ଥିବାବେଳେ ମଧ୍ୟପ୍ରଦେଶରେ ରହିଛି ୩୮.୭୯% । ହିମାଚଳ ପ୍ରଦେଶରେ ୨୭% ଥିବାବେଳେ ପଂଜାବରେ ୩୬.୦୪% ଭାଟ୍ ଲାଗିଥାଏ । ହରିୟାଣାରେ ୨୬.୨୫% ଭାଟ୍ ଲାଗୁଥିବା ବେଳେ ଦିଲ୍ଲୀରେ ରହିଛି ୨୭% । ଗୋଆରେ ମାତ୍ର ୧୨% ଭାଟ୍ ଲାଗୁଥିବା ବେଳେ ଆନ୍ଧ୍ରପ୍ରଦେଶରେ ୩୮.୮୨% ଭାଟ୍ ଲାଗିଥାଏ ।
କେନ୍ଦ୍ର ସରକାର ରାଜ୍ୟ ମାନଙ୍କୁ ଭାଟ୍ କମାଇବା ପାଇଁ କହୁଛନ୍ତି, ଓଡ଼ିଶା ସରକାର କେନ୍ଦ୍ରକୁ ଟିକସ କମାଇବା ପାଇଁ କହୁଛନ୍ତି । ଆଉ ରାଜନୀତିର ଆରୋପ-ପ୍ରତ୍ୟାରୋପ ଭିତରେ କିନ୍ତୁ ପେଶି ହେଉଛନ୍ତି ସାଧାରଣ ଜନତା ।