ଲଗାତର ଦ୍ୱିତୀୟ ଦିନ ପାଇଁ ବଢିଲା ପେଟ୍ରୋଲ-ଡିଜେଲ ଦର । ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ ସରିବା ପରେ ଲୋକଙ୍କ ଉପରେ ମହଙ୍ଗା ମାଡ

404

କନକ ବ୍ୟୁରୋ : ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ନିର୍ବାଚନ ଶେଷ ହେବାକୁ ଯେମିତି ଅପେକ୍ଷା କରିଥିଲେ ତେଲ କମ୍ପାନି । ଗତ ୨ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବାପରେ ଲଗାତର ୨ ଦିନ ହେଲାଣି ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପୁଣି ପେଟ୍ରୋଲ ଲିଟର ପିଛା ଦର ୧୯ ପଇସା ଓ ଡିଜେଲ ୨୧ ପଇସା ବୃଦ୍ଧି ହୋଇଛି । ଗତକାଲି ପେଟ୍ରୋଲ ଲିଟର ପିଛା ୧୫ ପଇସା ଓ ଡିଜେଲ ଲିଟର ପିଛା ୧୮ ପଇସା ମହଙ୍ଗା ହୋଇଥିଲା । ଫଳରେ ଦେଶରେ ପ୍ରମୁଖ ସହର ଗୁଡିକରେ ତେଲଦର ବୃଦ୍ଧି ହୋଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୯୦ ଟଙ୍କା ୭୪ ପଇସା ଓ ଡିଜେଲ ୮୧ ଟଙ୍କା ୧୨ ପଇସା ହୋଇଛି । ମୁମ୍ବାଇରେ ପେଟ୍ରୋଲ ୯୭ ଟଙ୍କା ୧୮ ପଇସା ଓ ଡିଜେଲ ୮୮ ଟଙ୍କା ୧୯, ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ଦର ୯୨ ଟଙ୍କା ୭୦ ପଇସା ଓ ଡିଜେଲ ୮୬ ଟଙ୍କା ୯ ପଇସା ହୋଇଛି । ସେହିପରି କୋଲକାତାରେ ପେଟ୍ରୋଲ ୯୦ ଟଙ୍କା ୯୨ ଓ ଜିଡେଲ ୮୩ ଟଙ୍କା ୯୮ ପଇସାରେ ବିକ୍ରି ହେଉଛି ।

ନିର୍ବାଚନ ସରିବା ପରେ ପେଟ୍ରୋଲ-ଡିଜେଲ ଦର ବଢିବା ନେଇ ଯେଉଁ ଆଶଙ୍କା କରାଯାଉଥିଲା ତାହା ଆଜି ସତ ହୋଇଛି । ପୂର୍ବରୁ ତେଲ ଦର ଦେଶର କେତେକ ସ୍ଥାନରେ ଶହେ ଟଙ୍କା ଛୁଇଁଥିଲା । କିନ୍ତୁ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଯେତେବେଳେ ନିର୍ବାଚନର ସମୟ ଆସିଲା ସେତେବେଳେ ତେଲ ଦର କିଛିମାତ୍ରାରେ ତଳକୁ ଖସିଥିଲା କିନ୍ତୁ ଏବେ ପୁଣି ଲୋକଙ୍କ ପକେଟ ଉପରେ ମହଙ୍ଗା ମାଡ ଦେଇଛି ପେଟ୍ରୋଲ-ଡିଜେଲ ଦର । ନିର୍ବାଚନ ସରିବାର ମାତ୍ର କେଇଟା ଦିନ ବିତିଥିବା ବେଳେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୯ ପଇସା ବଢିଛି ଏବଂ ଡିଜେଲ ଦର ଲିଟର ପିଛା ୨୧ ପଇସା ବଢିଛି ।

ଦେଶରେ ବଢୁଥିବା କରୋନା ସଂକ୍ରମଣ ପାଇଁ ଅନେକ ରାଜ୍ୟରେ ଲକଡାଉନ୍, ସଟଡାଉନ୍ ଘୋଷଣା ହୋଇଛି । ଅନେକ ଲୋକ ପୁଣି ଚାକିରି ହରାଇଛନ୍ତି । ଦାଦନ ଶ୍ରମିକଙ୍କ କଥା ତ ନକହିଲେ ଭଲ । ଆଉ ଏଭଳି ପରିସ୍ଥିତିରେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଲୋକଙ୍କୁ କନ୍ଦାଉଛି ।