ପାକିସ୍ତାନରେ ଗୋଟିଏ ଦିନରେ ପେଟ୍ରୋଲ ଦର ବଢିଲା ୧୦ ଟଙ୍କା । ଡିଜେଲ ଦର ବି କନ୍ଦାଉଛି ।

635

କନକ ବ୍ୟୁରୋ : ପାକିସ୍ତାନରେ ମହଙ୍ଗା ମାଡ । ପାକିସ୍ତାନରେ ପେଟ୍ରୋଲ ଦର ବୃଦ୍ଧିରେ ଲାଗୁନି ବ୍ରେକ୍ । ଲଗାତାର ବଢିଚାଲିଛି ପେଟ୍ରୋଲ ଦର । ପାକିସ୍ତାନ ସରକାର ପେଟ୍ରୋଲ ଦାମ ଲିଟର ପିଛା ଗୋଟିଏ ଦିନରେ ୧୦ ଟଙ୍କା ୪୯ ପଇସା ବଢାଇଛନ୍ତି ।  ହାଇସ୍ପିଡ ଡିଜେଲ ଦାମ ଲିଟର ପିଛା ୧୨ ଟଙ୍କା ୪୪ ପଇସା ବୃଦ୍ଧି କରିଛନ୍ତି । ଆଉ ଦର ବୃଦ୍ଧି ଫଳରେ ପାକିସ୍ତାନରେ ଏବେ ପେଟ୍ରୋଲ ଲିଟର ପିଛା ୧୩୭ ଟଙ୍କା ୭୯ ପଇସା ଧ ହାଇସ୍ପିଡ ଡିଜେଲ ଦାମ ୧୩୪ ଟଙ୍କା ୪୮ ପଇସାରେ ପହଞ୍ଚିଛି । ସେହିଭଳି କିରୋସିନ ଓ ଲାଇଟ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୧୦ ଟଙ୍କା ୯୫ ପଇସା ଓ ୮ ଟଙ୍କା ୮୪ ପଇସା ମହଙ୍ଗା ହୋଇଛି ।

 ପାକିସ୍ତାନରରେ ପ୍ରଥମ ଥର ପାଇଁ ଉପରୋକ୍ତ ୪ଟି ପେଟ୍ରୋଲିୟମ ଉତ୍ପାଦ ଦର ୧୦୦ ଟଙ୍କାରୁ ଅଧିକ ରହିଛି ବୋଲି କୁହାଯାଉଛି । ଯାହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୮୫ ଡଲାରରେ ପହଞ୍ଚିଥିବାରୁ ସରକାର ଏହିସବୁ ଇନ୍ଧନ ମୂଲ୍ୟରେ ବୃଦ୍ଧି କରିଥିବା କୁହାଯାଉଛି । ଏହାସହ ଖାଇବା ତେଲ ଓ ଗହମ ଭଳି ଖାଦ୍ୟ ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି ପାଇଛି । ଯଦି ଏହିଭଳି ପରିସ୍ଥିତି ଲାଗି ରୁହେ ତେବେ ପାକିସ୍ତାନରେ ଭୟଙ୍କର ସମସ୍ୟା ଦେଖାଦେବ ଓ ଲୋକେ ଭୋକରେ ଆଉଟୁପାଉଟୁ ହେବେ ବୋଲି ଇମ୍ରାନଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ।

କେବଳ ପାକିସ୍ତାନରେ ନୁହେଁ ଭାରତରେ ମଧ୍ୟ ଲଗାତାର ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଅନେକ ସ୍ଥାନରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୧୦୦ ଟଙ୍କା ପାର କରିଥିବା ବେଳେ ଲୋକଙ୍କ ମନରେ ଅସନ୍ତୋଷ ବଢୁଛି । ତେଣୁ ଏବେ ଅଧିକାଂଶ ଲୋକ ବ୍ୟାଟେରୀ ଚାଳିତ ଗାଡିକୁ ଅଧିକ ପସନ୍ଦ କରୁଛନ୍ତି ।