ସୁନା ନୁହେଁ କି ଟଙ୍କା ନୁହେଁ… ସାଙ୍ଗ ବାହାଘରେ ପେଟ୍ରୋଲ ଗିଫ୍ଟ । ପେଟ୍ରୋଲ୍ ମୂଲ୍ୟ ବୃଦ୍ଧି ନେଇ ଝାରସୁଗୁଡା ଯୁବକଙ୍କ ନିଆରା ପ୍ରତିବାଦ

ଝାରସୁଗୁଡ଼ାର କିଛି ଯୁବକ ଅଭିନବ ଢଙ୍ଗରେ ପ୍ରତିବାଦ

81

ସାଙ୍ଗ ବାହାଘରେ ପେଟ୍ରୋଲ ଗିଫ୍ଟ । ସାଧାରଣତଃ ବାହାଘରରେ ସାଙ୍ଗମାନେ ହୁଅନ୍ତୁ ସମ୍ପର୍କିୟ, ଫୁଲ ବୁକେ, ଟଙ୍କା, ସୁନା ଜିନିଷ ଆଦି ଗିଫ୍ଟ ଦେଇଥାନ୍ତି । କିନ୍ତୁ ଝାରସୁଗୁଡାରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି ସାଙ୍ଗ ବାହାଘରେ ସାଙ୍ଗମାନେ ସାଙ୍ଗକୁ କୌଣସି ସୁନା ଜିନିଷ ନୁହେଁ ବରଂ ପେଟ୍ରୋଲ ଗିଫ୍ଟ କରିଛନ୍ତି

ପେଟ୍ରୋଲିୟମ ଉତ୍ପାଦ ଗୁଡ଼ିକର ଦର ହୁ ହୁ ହୋଇ ବଢ଼ୁଛି। ପେଟ୍ରୋଲ ଓ ଡିଜେଲ ଦର ବଢ଼ୁଥିବାରୁ ପରିବହନ ଖର୍ଚ୍ଚ ମଧ୍ୟ ସେହି ଅନୁସାରେ ବଢ଼ୁଛି। ତୈଳ ଦର ବୃଦ୍ଧିକୁ ଝାରସୁଗୁଡ଼ାର କିଛି ଯୁବକ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ଗୁରୁବାର ସ୍ଥାନୀୟ ପୁରୁଣାବସ୍ତି ନିବାସୀ ଘନଶ୍ୟାମ ପଟ୍ଟନାୟକଙ୍କ ସୁପୁତ୍ର ଦେବାଶିଷ ସହ ଶିବନିଙ୍କ ବିବାହ ଉତ୍ସବରେ ଉପହାର ସ୍ୱରୂପ ତାଙ୍କ ସହପାଠୀମାନେ ଏକ ଜାରକିନ୍‌ରେ ୫ ଲିଟର ପେଟ୍ରୋଲକୁ ଉପହାର ଭାବରେ ନବଦମ୍ପତିଙ୍କୁ ପ୍ରଦାନ କରିଥିଲେ। ବର୍ଦ୍ଧିତ ତୈଳ ଦର ଯୋଗୁଁ ମଧ୍ୟବିତ୍ତ ପରିବାର ଉପରେ ପଡୁଥିବା ଚାପ ବିରୋଧରେ ଏକ ଭିନ୍ନ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ବୋଲି କହିଛନ୍ତି ସଂଗ୍ରାମ ମହାନ୍ତି।

ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିବା ବେଳେ ଦେଶରେ ପେଟ୍ରୋଲ ଡିଜେଲ ଦର ହ୍ରାସ ପାଇବା ପରିବର୍ତ୍ତେ ଅହେତୁକ ଭାବରେ ବୃଦ୍ଧି ପାଉଛି। ଏହାକୁ ଯଥାଶୀଘ୍ର ବିଚାରକୁ ନେଇ ତୈଳ ଦର ହ୍ରାସ କରିବା ପାଇଁ ସ୍ଥାନୀୟ ଯୁବକମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।