ଲଗାତାର ବଢି ଚାଲିଛି ପେଟ୍ରୋଲ-ଡିଜେଲ ଦର: ସପ୍ତାହରେ ବଢିଲାଣି ୪ ଥର; ଆଜି ଭୁବନେଶ୍ୱରରେ ପେଟ୍ରୋଲ ୮୬ ଟଙ୍କା ୩୮ ପଇସା

ଡିଜେଲ ଲିଟର ପିଛା ଦର ୮୨ ଟଙ୍କା ୬୮ ପଇସା

201

କନକ ବ୍ୟୁରୋ: କ୍ରମାଗତ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୮୬ ଟଙ୍କା ୩୮ ପଇସା ଓ ଡିଜେଲ ୮୨ ଟଙ୍କା ୬୮ରେ ପହଞ୍ଚିଛି । ତେବେ ଚଳିତ ସପ୍ତାହରେ ୪ଥର ବଢିଲାଣି ପେଟ୍ରୋଲ ଓ ଡିଜେଲ ଦର ।

ଫଳରେ ପ୍ରତିଦିନ ଏହି ଦର ନୂଆ ଶିଖର ଛୁଉଁଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି । ରାଜ୍ୟର ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଦର ସର୍ବାଧିକ ୯୧ ଟଙ୍କା ୪୨ ପଇସା ରହିଛି । ସେହିପରି ଡିଜେଲ ଦର ମାଲକାନଗିରିରେ ରହିଛି ୮୭ ଟଙ୍କା ୫୬ ପଇସା । ସେହିପରି ସମ୍ବଲପୁରରେ ପେଟ୍ରୋଲ ଟ.୮୬.୯୭ ଓ ଡିଜେଲ ଟ. ୮୩.୨୭, ବାଲେଶ୍ବରରେ ପେଟ୍ରୋଲ ଟ.୮୬.୩୭ ଓ ଡିଜେଲ ଟ.୮୨.୬୯ରେ ବିକ୍ରି ହେଉଛି ।

ସେପଟେ, ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୮୫ ଟଙ୍କା ୭୦ ପଇସା ରହିଥିବାବେଳେ ଡିଜେଲ ଲିଟର ପିଛା ଦର ୭୫ ଟଙ୍କା ୮୮ ପଇସାରେ ପହଞ୍ଚିଛି । ଦେଶର ୪ଟି ମହାନଗର ମଧ୍ୟରୁ ମୁମ୍ବାଇରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଅଧିକ ରହିଛି । ଏଠାରେ ପେଟ୍ରୋଲ ଦର ୯୨ ଟଙ୍କା ୨୮ ପଇସା ଓ ଡିଜେଲ ୮୨ ଟଙ୍କା ୬୬ ପଇସା ରହିଛି । ତେବେ ଅନ୍ତର୍ଜାତୀୟ ବଜାରରେ  ଅଶୋଧିତ ତେଲର ମୂଲ୍ୟ ଗତ କିଛି ଦିନ ହେଲା ବଢିଚାଲିଛି । ଏହା ଫଳରେ ଭାରତରେ ତେଲଦର ବଢୁଛି ବୋଲି କୁହାଯାଉଛି ।  ଗତ ବର୍ଷ ଯେତେବେଳେ ଅଶୋଧିତ ତେଲ ଦର  ହ୍ରାସ ପାଇଥିଲା, ସରକାର ଉତ୍ପାଦ ଶୁଳ୍କ ବଢାଇଦେଇଥିଲେ, କିନ୍ତୁ ଏବେ ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ତେଲ ଦର ବଢିଚାଲିଛି, ପୁଣି ଥରେ ଶୁଳ୍କ ହ୍ରାସ ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।