ତେଲ ଟିକସରୁ ଭର୍ତ୍ତି ହେବାରେ ଲାଗିଛି କେନ୍ଦ୍ର ସରକାରଙ୍କ ରାଜକୋଷ !

ସାରା ଦେଶରେ ୧୦୦ ଟଙ୍କା ଉପରେ ରହିଛି ପେଟ୍ରୋଲ; ତଥାପି ଟିକସ କମାଇବାକୁ ଅରାଜି ସରକାର

438

କନକ ବ୍ୟୁରୋ : ୪ ମାସରେ ତେଲରୁ ଲକ୍ଷେ କୋଟି ଆୟ । ଚଳିତ ଆର୍ଥିକ ବର୍ଷର ପ୍ରଥମ ୪ ମାସରେ ତେଲରୁ ଉତ୍ପାଦନ ଶୁଳ୍କ ଭାବେ ଲକ୍ଷେ କୋଟି ଟଙ୍କା ଆୟ ହୋଇଛି । ତେଲ ଟିକସ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ରାଜକୋଷ ଭର୍ତ୍ତି ହେବାରେ ଲାଗିଛି । ପୂର୍ବ ଆର୍ଥିକ ବର୍ଷରେ ଏହି ସମୟରେ ୬୭ ହଜାର ୮୯୫ କୋଟି ଟଙ୍କାର ଟିକସ ମିଳିଥିଲା । ଚଳିତ ବର୍ଷ ତାହା ତୁଳନାରେ ୩୨ ହଜାର ୪୯୨ କୋଟି ଟଙ୍କା ଅଧିକ ଆୟ ହୋଇଛି ।

ଦେଶରେ ଜିଏସଟି ଲାଗୁ ହେବା ପରେ କେବଳ ପେଟ୍ରୋଲ ଡିଜେଲ, ପ୍ରାକୃତିକ ଗ୍ୟାସ୍ ଓ ବିମାନ ଇନ୍ଧନରୁ ଉତ୍ପାଦନ ଶୁଳ୍କ ସଂଗହ କରାଯାଉଛି । ଅନ୍ୟ ସବୁ ପ୍ରକାର ସାମଗ୍ରୀ ଓ ସେବା ଗୁଡିକୁ ଜିଏସଟିରେ ସାମିଲ କରାଯାଇଛି । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଶାସନ ଭାର ଗ୍ରହଣ କରିବା ପରଠାରୁ ତେଲରୁ ୨୫ ଲକ୍ଷ କୋଟି ଟଙ୍କା ଆୟ କରି ସାରିଲେଣି । ତେଲ ଉପରୁ ଟିକସ କମ୍ କରାଯିବ ନାହିଁ ବୋଲି ଗତ ମାସରେ ସ୍ପଷ୍ଟ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଗତବର୍ଷ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୩୦ ଡାଲାର ଭଳି ନିମ୍ନ ସ୍ତରରେ ଥିବା ବେଳେ ସରକାର ପେଟ୍ରୋଲ ଟିକସରେ ୧୯ ଟଙ୍କା ୯୮ ପଇସା ବୃଦ୍ଧି କରିଥିଲେ ।

ଲୋକେ ଏବେ ପ୍ରତି ଲିଟର ପିଛା କେନ୍ଦ୍ର ସରକାରଙ୍କୁ ୩୨ ଟଙ୍କା ୯୦ ପଇସା ଟିକସ ଗଣୁଛନ୍ତି । ଏହା ବାଦ୍ ରାଜ୍ୟ ସରକାରଙ୍କୁ ଭାଟ୍ ଦେଉଛନ୍ତି । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ତୈଳ ବଣ୍ଡ ଜାରି କରିବାକୁ ନିଷ୍ପତି ହୋଇଥିଲା ।ଜାରି କରାଯାଇଥିବା ତୈଳ ବଣ୍ଡର ମାତ୍ର ୩ ହଜାର ୫୦୦ କୋଟି ଟଙ୍କାର ମୂଳଧନ ପରିଶୋଧ କରାଯାଇଛି । ୨୦୨୫-୨୬ ସୁଦ୍ଧା ବଳକା ଟଙ୍କା ସୁଝିବାକୁ ପଡ଼ିବ । ଚଳିତ ଆର୍ଥିକ ବର୍ଷରେ ସରକାର ୧୦ ହଜାର କୋଟି ଟଙ୍କା ପରିଶୋଧ କରିବେ । ସେହିପରି ୨୦୨୩-୨୪ରେ ୩୧ ହଜାର ୧୫୦ କୋଟି, ୨୦୨୪-୨୫ରେ ୫୨ ହଜାର ୯୮୦ କୋଟି, ୨୦୨୫-୨୬ରେ ୩୬ ହଜାର ୯୧୩ କୋଟି ଟଙ୍କା ପରିଶୋଧ କରିବାକୁ ପଡ଼ିବ ।