ଆଜି ବସିବ ଜିଏସଟି କାଉନସିଲର ବୈଠକ : ପେଟ୍ରୋଲ ଲିଟର ପିଛା ଦର ୭୫ ଟଙ୍କାକୁ କମିପାରେ

ତେଲକୁ ଜିଏସଟି ଅଧୀନରେ ଆଣିବାକୁ ଆସିପାରେ ପ୍ରସ୍ତାବ; ପାରିତ ହେଲେ ୭୫ଟଙ୍କାକୁ ଖସି ଆସିପାରେ ପେଟ୍ରୋଲ

1,428

କନକ ବ୍ୟୁରୋ : ଜିଏସଟି କାଉନସିଲର ବୈଠକ ଆଜି ହେବାକୁ ଯାଉଥିବା ବେଳେ ଏହି ବୈଠକ ଉପରେ ସମସ୍ତଙ୍କ ନଜର ଅଟକିଛି । କାରଣ ବୈଠକରେ ପେଟ୍ରୋଲ ଓ ଡିଜେଲ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିପାରେ । ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅଧୀନରେ ଆଣିବାକୁ ବୈଠକରେ ଆସିପାରେ ପ୍ରସ୍ତାବ । ଆଉ ଯଦି ଏହି ପ୍ରସ୍ତାବ ପାରିତ ହୁଏ, ତାହେଲେ ପେଟ୍ରୋଲ ଓ ଡିଜେଲର ଦର ଖୁବ୍ କମିପାରେ ବୋଲି କୁହାଯାଉଛି । ଏପରିକି ପେଟ୍ରୋଲ ଲିଟର ପିଛା ଦର ୭୫ ଟଙ୍କା ଓ ଡିଜେଲର ଲିଟର ପିଛା ଦର ୬୮ ଟଙ୍କାକୁ କମିପାରେ ।

ପେଟ୍ରୋଲ ଓ ଡିଜେଲ ଉପରେ ଯେଉଁ କେନ୍ଦ୍ରୀୟ ଓ ରାଜ୍ୟ ଶୁଳ୍କ ଲାଗୁଛି, ତାହା କମିଯିବ, ଆଉ ଏହାଫଳରେ ତେଲ ଦରରେ ହ୍ରାସ ଘଟିପାରେ । ପୂର୍ବରୁ ଏସମ୍ପର୍କରେ କେରଳ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ  । ଜିଏସଟି ଅଧୀନରେ ପେଟ୍ରୋଲ ଡିଜେଲ ଆଣିବା ଉପରେ ବିଚାର କରିବାକୁ କହିଛନ୍ତି କେରଳ ହାଇକୋର୍ଟ ।  ତେବେ ଏହି ପ୍ରସ୍ତାବ ପାରିତ ହେବା ଏତେ ସହଜ ନୁହେଁ  । କାରଣ ବହୁ ରାଜ୍ୟ ଏହି ପ୍ରସ୍ତାବକୁ ଯେ ବିରୋଧ କରିବେ, ତାହା ନିଶ୍ଚିତ  । କାରଣ ପେଟ୍ରୋଲ ଓ ଡିଜେଲ ଉପରୁ ଶୁଳ୍କ କମିଲେ, ଏଥିରୁ ରାଜ୍ୟ ମାନଙ୍କୁ ମିଳୁଥିବା ଅର୍ଥ କମିଯିବ  । ଏପରିକି କର୍ଣ୍ଣାଟକରେ ବିଜେପି ସରକାର ଚାଲିଥିବା ବେଳେ ଏଠାକାର ସରକାର ଏହି ପ୍ରସ୍ତାବକୁ ବିରୋଧ କରିବ ବୋଲି ଜଣାପଡ଼ିଛି  ।

ସୂଚନାଯୋଗ୍ୟ ଯେ, ଏବେ ଦେଶରେ ତେଲଦର ଆକାଶ ଛୁଆଁ ରହିଛି । ଏବେ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୨ ଟଙ୍କା ୪ ପଇସା ଥିବା ବେଳେ ଡିଜେଲ ଦର ୯୬ ଟଙ୍କା ୬୧ ପଇସା ରହିଛି  । ସେପଟେ ଦିଲ୍ଲୀରେ ଏବେ ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୧୯ ପଇସାରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୮୮ ଟଙ୍କା ୬୨ ପଇସାରେ ବିକ୍ରି ହେଉଛି  ।