ପେଟ୍ରୋଲ ପକାଇଲେ ଭାରି ବାଧୁଛି : ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ତେଲରୁ ୬ ମାସରେ ୧ ଲକ୍ଷ ୭୦ ହଜାର କୋଟି ଆଦାୟ କଲେଣି ସରକାର

158

କନକ ବ୍ୟୁରୋ : ତେଲ ଦର ବୃଦ୍ଧିରେ ଲାଗୁନି ବ୍ରେକ୍ । ଲଗାତର ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପୁଣି ପେଟ୍ରୋଲ ଲିଟର ପିଛା ୩୭ ପଇସା ଓ ଡିଜେଲ ୪୦ ପଇସା ମହଙ୍ଗା ହୋଇଛି । ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୧୧୦ ଟଙ୍କା ୬୯ ପଇସା ଓ ଡିଜେଲ ଲିଟର ୧୦୭ ଟଙ୍କା ୩୯ ପଇସା ହୋଇଛି ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ବଢିବା ଦ୍ୱାରା ସରକାରୀ କମ୍ପାନି ଗୁଡିକ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢାଇ ଚାଲିଛନ୍ତି । ହେଲେ ତେଲରୁ ସରକାର ଆଦାୟ କରୁଥିବା ଚଢା ଟିକସ ସାଧାରଣ ଲୋକଙ୍କୁ ଅଣନିଶ୍ୱାସୀ କରିଦେଇଛି । ବିଶ୍ୱ ବଜାରକୁ ଦେଖି ତେଲ ଦର ନିୟନ୍ତ୍ରଣ ହେଉଥିବା ବେଳେ ସରକାର କିନ୍ତୁ ତେଲରୁ ନିୟମିତ ଲାଭ କରି ଚାଲିଛନ୍ତି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗତ ୬ ମାସରେ ତେଲରୁ ସରକାରଙ୍କ ଲାଭ ୧ ଲକ୍ଷ ୭୦ ହଜାର କୋଟି ।

– କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଲିଟର ପିଛା ୩୨ ଟଙ୍କା ୯୦ ପଇସା ଆଦାୟ କରୁଛନ୍ତି
– ସେହିପରି ଗୋଟିଏ ଲିଟର ଡିଜେଲ ଉପରେ ୩୧ ଟଙ୍କା ୮୦ ପଇସା ଆଦାୟ କରୁଛି କେନ୍ଦ୍ର
– ଟିକସରେ ରାସ୍ତା ନିର୍ମାଣ ସେସ୍ ବାବଦରେ କେନ୍ଦ୍ର ଆଦାୟ କରୁଛି ଲିଟର ପିଛା ୧୮ ଟଙ୍କା
– ୨୦୨୧ ମାର୍ଚ୍ଚରୁ ୬ ମାସ ମଧ୍ୟରେ ୧ ଲକ୍ଷ ୭୦ ହଜାର କୋଟି ଟିକସ ସଂଗ୍ରହ ହୋଇଛି
– ଗତ ଆର୍ଥିକ ବର୍ଷ ତୁଳନାରେ ୩୩ ପ୍ରତିଶତ ଅଧିକ ଟିକସ ସଂଗ୍ରହ କରିଛନ୍ତି କେନ୍ଦ୍ର ସରକାର
– ମହାମାରୀ ପୂର୍ବବର୍ତ୍ତୀ ସମୟ ଅପେକ୍ଷା ପେଟ୍ରୋଲ ଓ ଡିଜେଲରୁ ଟିକସ ସଂଗ୍ରହ ୭୯ ପ୍ରତିଶତ ବୃଦ୍ଧି
– ତୈଳ ଦର ବୃଦ୍ଧି ପାଇଁ ୟୁପିଏ ସରକାରଙ୍କ ତୈଳ ବଣ୍ଡ ଦାୟୀ ବୋଲି ମୋଦୀ ସରକାରଙ୍କ ଯୁକ୍ତି
– ୟୁପିଏ ସରକାରଙ୍କ ଅମଳରେ ୧ ଲକ୍ଷ ୩୪ ହଜାର କୋଟି ଟଙ୍କାର ତୈଳ ବଣ୍ଡ ଜାରି ହୋଇଥିଲା
– ତୈଳ ବଣ୍ଡ ବାବଦକୁ ଯେତିକି ଶୁଝିବାର ଅଛି, ତାହାଠାରୁ ଯଥେଷ୍ଠ ଅଧିକ ରାଜସ୍ୱ ସଂଗ୍ରହ ହେଲାଣି
– ମହାମାରୀ ସମୟରେ ଟିକସ ବୃଦ୍ଧି କରି ଗ୍ରାହକଙ୍କ ଉପରେ ଦରବୃଦ୍ଧି ବୋଝ ଲଦି ଦିଆଯାଇଛି
– ଅଶୋଧିତ ତୈଳ ଦର ୧୯ ଡଲାର ଥିବା ବେଳେ ୧୯ ଟଙ୍କା ୯୮ ପଇସା ଟିକସ ବଢିଥିଲା
– ଏବେ ଅଶୋଧିତ ତୈଳ ବ୍ୟାରେଲ ୮୫ ଡଲାର, ତଥାପି ଟିକସ କମାଉନାହାନ୍ତି କେନ୍ଦ୍ର ସରକାର