କରୋନା କଟକଣାରେ ମହଙ୍ଗା ମାଡ! ପୁଣି ବଢିପାରେ ଡିଜେଲ, ପେଟ୍ରୋଲ ଦର

Advertisment
କରୋନା କଟକଣାରେ ମହଙ୍ଗା ମାଡ! ପୁଣି ବଢିପାରେ ଡିଜେଲ, ପେଟ୍ରୋଲ ଦର

image courtesy: google

କନକ ବ୍ୟୁରୋ: ତୈଳ କଂପାନିଗୁଡ଼ିକ ପୁଣି ଥରେ ପ୍ରତିଦିନ ତେଲ ଦର ସଂଶୋଧନ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି। ଏହା ହେଲେ ପେଟ୍ରୋଲ୍ ଓ ଡିଜେଲ୍ ଦର ପୁଣି ବଢ଼ିବ ବୋଲି କୁହାଯାଉଛି। ଦେଶରୁ ଲକଡାଉନ୍ ହଟିବା ପରେ କିମ୍ବା ବହୁତ କୋହଳ ହୋଇଯିବା ପରେ ଦର ସଂଶୋଧନ ପ୍ରକ୍ରିୟାକୁ ପୁଣି ଆରମ୍ଭ କରାଯିବ। ମାତ୍ର ଏନେଇ ଏପର୍ଯ୍ୟନ୍ତ କୌଣସି ନିର୍ଦିଷ୍ଟ ନିଷ୍ପତ୍ତି ନିଆଯାଇନାହିଁ। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ଦାମ୍ ଗତ ମାସ ତୁଳନାରେ ୫୦ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପିଛା ୩୦ ଡଲାରରେ ପହଞ୍ଚିଛି। ଏହି ସମୟରେ ଆମେରିକୀୟ ଡଲାର ତୁଳନାରେ ଟଙ୍କାର ଦାମ୍ ହ୍ରାସ ପାଇ ୭୬ ଟଙ୍କାରୁ ଅଧିକ ହୋଇଯାଇଛି। ତେଣୁ ଏପ୍ରିଲ୍ ତୁଳନାରେ ମେ’ ମାସରେ ତେଲ କିଣିବା ଲାଗି କଂପାନିଗୁଡ଼ିକୁ ଅଧିକ ଟଙ୍କା ଗଣିବାକୁ ପଡ଼ୁଛି। କଂପାନିଗୁଡ଼ିକ ତେଲ ଦର ସଂଶୋଧନ କରିବା ବେଳେ ଏହି ଦୁଇଟି ବିଷୟକୁ ବିଚାରକୁ ନେଇଥାନ୍ତି।

ସାରା ଦେଶରେ ମାର୍ଚ୍ଚ ୧୬ ପରଠାରୁ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ବଢ଼ିନାହିଁ। କିନ୍ତୁ କେତେକ ରାଜ୍ୟର ସରକାର ତୈଳ ଉପରେ ଭାଟ୍ ବଢ଼ାଇବା ପରେ ସେଠାରେ ଦରରେ କିଛିଟା ବୃଦ୍ଧି ଘଟିଛି। ନିକଟରେ କେନ୍ଦ୍ର ସରକାର ପେଟ୍ରୋଲ୍ ଲିଟର ପିଛା ଟିକସ ୧୦ ଟଙ୍କା ଏବଂ ଡିଜେଲ୍ରେ ୧୩ ଟଙ୍କା ବଢ଼ାଇଥିଲେ। କିନ୍ତୁ ଗ୍ରାହକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ବିକ୍ରି ଦର ଭିତରେ ସେହି ଟିକସକୁ ମିଶାଇ ଦିଆଯାଇଛି। ଗ୍ରାହକମାନଙ୍କ ପର୍ଯ୍ୟନ୍ତ ସେହି ଦରବୃଦ୍ଧି ଆସିନାହିଁ। ଦିନ ଗଡ଼ିବା ସହିତ ସ୍ଥିତି ମଧ୍ୟ ବଦଳିଯାଇଛି। ପୁଣି ଥରେ ଦର ସଂଶୋଧନ ଆରମ୍ଭ ହେବା ପରେ ପୁଣି ପେଟ୍ରୋଲ୍ ଓ ଡିଜେଲ୍ ଦାମ ବଢ଼ିବାର ଆଶଙ୍କା ଦେଖାଦେଇଛି। ତେବେ ଏହି ଦୁଇ ପ୍ରମୁଖ ଇନ୍ଧନର ଦାମ୍ ଗୋଟିଏ ନିର୍ଦିଷ୍ଟ ସୀମା ପରେ ଆହୁରି ଆଗକୁ ବଢ଼ୁ ବୋଲି ସରକାର ଚାହୁନାହାନ୍ତି। ତେଣୁ ଦୈନିକ ତୈଳ ଦର ସଂଶୋଧନ ଆରମ୍ଭ ହେବା ପରେ ମଧ୍ୟ ତେଲ ଦାମ୍ରେ ଏତେ ବଡ଼ ଧରଣର ବୃଦ୍ଧି ଘଟିବ ନାହିଁ।

ଉତ୍ପାଦନ ଖର୍ଚ୍ଚ ଏବଂ ବିକ୍ରି ମୂଲ୍ୟରେ ରହିଥିବା ଅନ୍ତରକୁ ଦୂର କରିବା ଲାଗି ତେଲ କଂପାନିଗୁଡ଼ିକ ଦରକୁ ଦୈନିକ ୩୦-୩୫ ପଇସା ବଢ଼ାଇବେ। ଯେତେବେଳେ ଏହି ପ୍ରକ୍ରିୟା ପୁଣି ଆରମ୍ଭ ହେବ ତାହାର ପୂର୍ବ ୧୫ ଦିନ ଭିତରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ଏବଂ ଡଲାରର ବିନିମୟ ମଲ୍ୟ ଦରବୃଦ୍ଧି ପ୍ରକୃତରେ କେତେ ହେବ ତାହା ଉପରେ ନିର୍ଭର କରିବ। ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଉତ୍ପାଦନ ଶୁଳ୍କ ବଢ଼ିବା ପୂର୍ବରୁ ତେଲ କଂପାନିଗୁଡ଼ିକ ପ୍ରତି ଲିଟର ପିଛା ୧୨-୧୮ ଟଙ୍କାର ମାର୍ଜିନ ପାଉଥିଲେ। ଟିକସ ବଢ଼ିଯିବା ପରେ ଏହି ମାର୍ଜିନ୍ ବହୁତ କମିଯାଇଛି। ତେଣୁ କଂପାନିଗୁଡ଼ିକ ଉପରେ ଆର୍ଥିକ ଚାପ ସୃଷ୍ଟି ହୋଇଛି। କିଛି ଦିନ ଏଭଳି ଚାଲିଲେ ସେମାନେ କ୍ଷତି ସହିବାର ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe