ସାଉଦି ଆରବର ତୈଳ ଭଣ୍ଡାର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣ : ବଢ଼ିଲା ଅଶୋଧିତ ତୈଳ ଦର, ବ୍ୟାରେଲ ପିଛା ୭୦ ଡଲାରରୁ ଅଧିକ

 ପୁଣି ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର 

591

କନକ ବ୍ୟୁରୋ : ମହଙ୍ଗା ହେଲା ଅଶୋଧିତ ତୈଳ ଦର । ପୁଣି ବଢ଼ିପାରେ ପେଟ୍ରୋଲ, ଡିଜେଲର ଦାମ୍ । ଦେଶରେ ପେଟ୍ରୋଲ ଓ ହିଜେଲ ଦାମ ଆକାଶ ଛୁଆଁ ସ୍ତରରେ ପହଂଚିଛି । ଏହି ସମୟରେ ବିଶ୍ୱ ସ୍ତରରେ ଏଭଳି ଘଟଣା ଘଟିଛି ଯାହା ଏହି ଦୁଇ ପ୍ରକାର ଇନ୍ଧନ ମୂଲ୍ୟରେ ଆହୁରି ବୃଦ୍ଧିର କାରଣ ହୋଇପାରେ । ବିଶ୍ୱର ଏକ ପ୍ରମୁଖ ଉତ୍ପାଦନକାରୀ ଦେଶ ସାଉଦି ଆରବର କିଛି ତୈଳ ଭଣ୍ଡାର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ ଜରିଆରେ ଆକ୍ରମଣ ହୋଇଛି । ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ମଧ୍ୟରେ ଚାଲିଥିବା ଆଂଚଳିକ ବିବାଦର ପରିମାଣ ସ୍ୱରୂପ ଏଭଳି ଆକ୍ରମଣ ହୋଇଛି ।

ଏହି ଖବର ଜଣାପଡ଼ିବା ପରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୭୦ ଡଲାରରୁ ଅଧିକ ହୋଇଯାଇଛି । ଅଶୋଧିକ ତୈଳକୁ ବିଶୋଧନ କରି ସେଥିରୁ ପେଟ୍ରୋଲ, ଡିଜେଲ ଓ ଅନ୍ୟାନ୍ୟ ପେଟ୍ରୋଲିୟମ୍ ସାମଗ୍ରୀ ଉତ୍ପାଦନ କରାଯାଏ । ଯେହେତୁ ଆମଦାନୀ କରାଯାଉଥିବା ଅଶୋଧିତ ତୈଳ ମହଙ୍ଗା ହୋଇଛି ତାହାର ସିଧାସଳଖ ପ୍ରଭାବ ପେଟ୍ରୋଲ ଓ ଡିଜେଲର ଖୁଚୁରା ଦାମରେ ପଡ଼ିବାର ଆଶଙ୍କା ରହିଛି । ଯଦି ତେଲ କଂପାନିଗୁଡ଼ିକ ଏହି ବୋଘ ଗ୍ରାହକଙ୍କ ମୁଣ୍ଡରେ ଲଦିବାକୁ ନିଷ୍ପତ୍ତି ନେବେ ତେବେ ଖୁବଶୀଘ୍ର ପେଟ୍ରୋଲ ଦାମରେ ଆଉ କିଛି ଟଙ୍କା ବୃଦ୍ଧି ହେବ ।