ଅସହ୍ୟ ହେଲାଣି ତେଲ ତାତି । ରାଜସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ତ ଡିଜେଲ ୧୦୦ ଟଙ୍କା ପାର

110

କନକ ବ୍ୟୁରୋ : ଦେଶରେ ଇନ୍ଧନ ଜାତୀୟ ତୈଳଦର ଏବେ ଲଗାମ ଛଡା । ପେଟ୍ରୋଲ ଓ ଡିଜେଲର ଦାମ ଏବେ ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଘରୋଇ ବଜାରରେ ଆଜି (ଜୁନ-୨୭) ପୁଣି ତୈଳଦର ବୃଦ୍ଧି ହୋଇଛି । କେବଳ ମଧ୍ୟପ୍ରଦେଶ ନୁହେଁ ଆଜି ତୈଳଦର ବୃଦ୍ଧି ଫଳରେ ରାଜସ୍ଥାନରେ ବି ଡିଜେଲ ଲିଟର ପିଛା ୧୦୦ ଟଙ୍କା ପାର କରିଛି ।

ଅହେତୁକ ଭାବେ ବଢୁଥିବା ପେଟ୍ରୋଲ ଓ ଡିଜେଲକୁ ନେଇ ଏବେ ସାଧାରଣ ଲୋକେ ମୁଣ୍ଡରେ ହାତ ଦେଲେଣି । ଲୋକମାନେ କହିଲେଣି କି ଗାଡି କିଣିବା ସହଜ କିନ୍ତୁ ଏହି ସରକାର ସମୟରେ ଗାଡି ଚଳାଇବା ମୁସ୍କିଲ । ରାଜସ୍ଥାନରେ ପେଟ୍ରୋଲ ୧୧୦ ଟଙ୍କା ପ୍ରତି ଲିଟର ତ ଡିଜେଲ ୧୦୦ ଟଙ୍କା ପାର । ଯାହାକି ଭାରତ ଇତିହାସରେ କେବେ ଦେଖିବାକୁ ମିଳି ନଥିଲା । ଆଜି ପେଟ୍ରୋଲ ଲିଟର ପିଛା ୩୫ ପଇସା ଓ ଡିଜେଲ ଲିଟର ପିଛା ୨୭ ପଇସା ବୃଦ୍ଧି ଫଳରେ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ପ୍ରିମିୟମ କ୍ୱାଲିଟ ପେଟ୍ରୋଲ ଲିଟର ପ୍ରତି ୧୧୨.୫୪ ଟଙ୍କା ଓ ସାଧାରଣ କ୍ୱାଲିଟର ପେଟ୍ରୋଲ ଲିଟର ପ୍ରତି ୧୦୧.୯୬ ଟଙ୍କାରେ ପହଂଚିଯାଇଛି । ସେହିଭଳି ରାଜସ୍ଥାନର ହନୁମାନଗଡ ଜିଲ୍ଲାରେ ସାଧାରଣ କ୍ୱାଲିଟ ପେଟ୍ରୋଲର ଲିଟର ପ୍ରତି ଦାମ ରହିଛି ୧୦୯.୦୫ ଟଙ୍କା ।

ଦେଶରେ ଏଭଳି ଅଚାନକ ତୈଳଦର ବୃଦ୍ଧି ଲୋକଙ୍କୁ ଚିନ୍ତାରେ ପକାଉଥିବା ବେଳେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ ବି ଲୋକଙ୍କୁ ତାଜୁବ କରୁଛି । ତୈଳଦର ବୃଦ୍ଧିର କାରଣ ବତାଇବାକୁ ଯାଇ କେବେ ଶୀତ ପାଇଁ ତ କେବେ କରୋନା କାଳରେ ସରକାର ଲୋକଙ୍କ ପାଇଁ ଖର୍ଚ୍ଚ କରୁଥିବା ଅର୍ଥର ଭରଣା ପାଇଁ ତେଲଦର ବୃଦ୍ଧି ହେଉଛି ବୋଲି ମତ ଦେଉଛନ୍ତି ।