ଉପରମୁହାଁ ତେଲ ଦର । ଲଗାତାର ୧୩ ଦିନରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର । ଭୁବନେଶ୍ୱରରେ ପେଟ୍ରୋଲ ଦର ପଖାପାଖି ୮୦ ଟଙ୍କା । ୧୩ ଦିନରେ ବଢିଲାଣି ୭ ଟଙ୍କା 

465

କନକ ବ୍ୟୁରୋ : ଉପରମୁହାଁ ହେଉଛି ତେଲ ଦର । ଆଜି ଲଗାତାର ୧୩ ଦିନରେ ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଏହି ବର୍ଧିତ ଦର ସହ ଭୁବନେଶ୍ୱରରେ ପେଟ୍ରୋଲ ଦର ପଖାପାଖି ୮୦ ଟଙ୍କାରେ ପହଂଚିଛି । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଚ୍ଛା ୭୮ଟଙ୍କା ୯୧ ପଇସା ଥିବାବେଳେ ଡିଜେଲ ଲିଟର ପ୍ରତି ୭୫ ଟଙ୍କା ୨୭ ପଇସା ରହିଛି । ଏହାକୁ ମିଶାଇ ୧୩ ଦିନ ମଧ୍ୟରେ ପ୍ରାୟ ୭ଟଙ୍କା ବଢିଲାଣି ତୈଳଦର ।

୨୦୧୭ ଜୁନ୍ ମାସରୁ କେନ୍ଦ୍ର ସରକାର ତୈଳ କଂପାନୀ ଗୁଡିକୁ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦର ସଂଶୋଧନ ଅନୁମତି ଦେଇଛନ୍ତି । କିନ୍ତୁଗତ ୩ ବର୍ଷ ଭିତରେ ଏପରି କୌଣସି ଥର କ୍ରମାଗତ ଭାବେ ଏତେ ବୃଦ୍ଧି ଦେଖିବାକୁ ମିଳିନଥିଲା । ଗୋଟିଏ ପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢୁଥିବା ବେଳେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଦୁର୍ବଳ ହେଉଥିବାରୁ ଏବେ ତୈଳ ଦର କ୍ରମାଗତ ବଢି ଚାଲିଛି । କରୋନା କଟକଣା ସମୟରେ କ୍ରମାଗତ ୮୨ ଦିନ ଧରି ତୈଳ କଂପାନୀ ଗୁଡିକ ତୈଳ ଦରରେ କୌଣସି ସଂଶୋଧନ କରିନଥିଲେ । କିନ୍ତୁ ଗତ ୬ ତାରିଖରୁ କ୍ରମାଗତ ଭାବେ ତୈଳ କଂପାନୀ ଗୁଡିକ ଦର ବଢାଇ ଚାଲିଛନ୍ତି । ଯାହାକି ଖାଉଟିଙ୍କ ଉପରେ ଚାବୁକ ମାଡ ପରି ହୋଇଛି । ସରକାର ଉତ୍ପାଦ ଶୁଳ୍କ ହ୍ରାସ ନକଲେ ତୈଳ ଦରରେ ହ୍ରାସ ଆସିବ ନାହିଁ ବୋଲି ବିଶେଷଜ୍ଞ କହୁଛନ୍ତି ।